ଓଡ଼ିଶାଲାଇଭ୍ ବ୍ୟୁରୋ

୨୬ ଜାନୁଆରିରେ ସାରା ଦେଶରରେ ପାଳିତ ହେଉଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହା ଆମ ଗଣତନ୍ତ୍ରର ଏକ ବଡ଼ ପର୍ବ। ଗୁରୁବାର ଏହି ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।

ଗୁରୁବାର ସକାଳ ୮.୩୦ ମିନିଟରେ ପତାକା ଉତ୍ତୋଳନ ହେବା ପରେ ପରେଡ ଆରମ୍ଭ ହୋଇଥିଲା। ଏହି ପରେଡରେ ପ୍ରଥମ ଥର ପାଇଁ ଆନ୍ଧ୍ର ପୁଲିସର ଏକ ଟ୍ରୁପ ସାମିଲ ହୋଇଛି। ପରେଡରେ ଓଡ଼ିଶା ପୋଲିସ ସହ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ, ଏସ୍ଏସ୍ ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ଦଳ ଓ ପୁଲିସ୍ ବ୍ୟାଣ୍ଡ ପ୍ରଭୃତି ଦଳ ମିଳିତ ଭାବେ ଅଂଶଗ୍ରହଣ କରିଛନ୍ତି।

ଭୁବନେଶ୍ୱରର ସୈନିକ ସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପରେଡରେ ସାମିଲ ହୋଇଛନ୍ତି। ଭାରତ ସ୍କାଉଟ୍ ଆଣ୍ଡ ଗାଇଡର ଦୁଇଟି ପ୍ଲାଟୁନ୍ ବି ଏଥରେ ପରେଡ ପ୍ରଦର୍ଶନ କରିଛନ୍ତି।

ପରେଡ ପରେ ବାଇକରେ ଡେୟାରଡେଭିଲ୍ସ ଦୁଃସାହସିକ କଳା ପ୍ରଦର୍ଶନ କରାଯାଇଛି। ଏହା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ଓଡ଼ିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ ଓ ସ୍କେଟିଂ ଏକାଡେମି ପକ୍ଷରୁ ସ୍କେଟିଂ ପ୍ରଦର୍ଶନ କରାଯାଇଛି। ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି।

Tags: #RepublicDay #26January #Bhubaneswar #StatelevelParade #MahatmaGandhiMarg #Governor #CM #Odisha

Comment