ଓଡ଼ିଶାଲାଇଭ୍ ବ୍ୟୁରୋ

ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂକ୍ଷେପରେ ଜାଣନ୍ତୁ କ’ଣ ରହିଛି ଚଳିତ ବଜେଟର।

  • ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ନୂଆ ଆୟକର ବ୍ୟବସ୍ଥା ଘୋଷଣା କରିଛନ୍ତି। ସରକାର ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ଆୟକର ଟ୍ୟାକ୍ସ ସ୍ଲାବ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି ସରକାର। ନୂଆ ଟ୍ୟାକ୍ସ ବ୍ୟବସ୍ଥା ଅନୁସାରେ ବାର୍ଷିକ ଆୟ ୭ ଲକ୍ଷରୁ ଅଧିକ ହେଲା ଜାରି ହୋଇଥିବା ନୂଆ ଟ୍ୟାକ୍ସ ସ୍ଲାବ ଅନୁସାରେ କର ଦେବାକୁ ହେବ।
  • ନୂଆ ଟ୍ୟାକ୍ସ ସ୍ଲାବ ଅନୁସାରେ ପାଇଁ ଜଣେ ବ୍ୟକ୍ତିକୁ ବାର୍ଷିକ ଆୟ ୩ ଲକ୍ଷ ଯାଏଁ କୌଣସି କର ଦେବାକୁ ପଡ଼ିବ ନାହିଁ। ଏହା ପୂର୍ବରୁ ୨.୫ ଲକ୍ଷ ଟଙ୍କା ଥିଲା। ସେହିପରି ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୫ ପ୍ରତିଶତ କର ଦେବାକୁ ହେବ। ଏହାଛଡ଼ା ୬ରୁ ୯ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ, ୯ରୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ବାର୍ଷିକ ଆୟ ପାଇଁ ୩୦ ପ୍ରତିଶତ କର ଦେବାକୁ ହେବ।
  • ଆଗରୁ ଆୟକରଦାତାଙ୍କ ପାଇଁ ଥିବା ଷ୍ଟାଣ୍ଡର୍ଡ ଡିଡକ୍ସନକୁ ସରକାର ୫୦,୦୦୦ ଟଙ୍କାରୁ ୫୨,୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ୫ କୋଟିରୁ ଅଧିକ ବର୍ଷିକ ଆୟ ଉପରେ ଲାଗୁଥିବା ଅତିରିକ୍ତ ଶୁଳ୍କକୁ ସରକାର ୩୭ ପ୍ରତିଶତରୁ ୨୫ ପ୍ରତିଶତକୁ କମ କରିଛନ୍ତି।
  • ଚଳିତ ବଜେଟ୍ ଅନୁଯାୟୀ ଖେଳନା, ସାଇକେଲ, ଅଟୋମୋବାଇଲ ପାର୍ଟସ୍ ଶସ୍ତା ହେବ। ବୈଦ୍ୟୁତିକ ଯାନ ଶସ୍ତା ହେବ। ସେହିପରି ବିଦେଶରୁ ଆସୁଥିବା ରୂପା ଜିନିଷ ମହଙ୍ଗା ହେବ। ରୋଷେଇ ଘରର ଚିମିନି ମହଙ୍ଗା ହେବ। କିଛି ମୋବାଇଲ୍ ଫୋନ୍, କ୍ୟାମେରା ଲେନ୍ସ ଶସ୍ତା ହେବ। ଏଲଇଡି ଟିଭି ଓ ବାୟୋଗ୍ୟାସ ଶସ୍ତା ହେବ। ସିଗାରେଟ୍ ମହଙ୍ଗା ହେବ।
  • ସରକାର ଆସନ୍ତା ଆର୍ଥିକ ବର୍ଷରେ ମହିଳା ସମ୍ମାନ ସଞ୍ଚୟ ଯୋଜନା ଆରମ୍ଭ କରିବେ। ଏଥିରେ ମହିଳାମାନେ ୨ ଲକ୍ଷ ଟଙ୍କା ଯାଏଁ ସଞ୍ଚୟ ଉପରେ ୭.୫ ପ୍ରତିଶତ ସୁଧ ପାଇବେ। ବରିଷ୍ଠ ନାଗରିକ ସଞ୍ଚୟ ସ୍କିମର ସର୍ବାଧିକ ସୀମାକୁ ୧୫ ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି କରାଯିବ।
  • କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ ଆରମ୍ଭ କରିବେ। ଯୁବକମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବା ଏବଂ କୁଶଳୀ କରିବା ପାଇଁ ବିଭିନ୍ନ ରାଜ୍ୟରେ ୩୦ଟି ସ୍କିଲ୍ ଇଣ୍ଡିଆ ଅନ୍ତର୍ଜାତୀୟ କେନ୍ଦ୍ର ପ୍ରତିଷ୍ଠା କରାଯିବ।
  • ଗ୍ରୀନ ହାଇଡ୍ରୋଜେନ ଏବଂ ଅନ୍ୟ ସବୁଜ ଶକ୍ତି ପ୍ରକଳ୍ପ ପାଇଁ ସରକାର ୩୫,୦୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି।
  • ସରକାର ଆଗାମୀ ଆର୍ଥିକ ବର୍ଷରେ ଇ-କୋର୍ଟର ତୃତୀୟ ଫେଜ୍ ଆଣିବାକୁ ଯାଉଛନ୍ତି।
  • ସରକାର ଆଉ ୫୦ଟି ନୂଆ ବିମାନବନ୍ଦର ତିଆରି କରିବାକୁ ଯୋଜନା ରଖିଛନ୍ତି।
  • ଆଉ ଏକ ବର୍ଷ ପାଇଁ ରାଜ୍ୟର ସରକାରମାନଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ ଜାରି ରଖିବ କେନ୍ଦ୍ର।
  • ଆଗାମୀ ୩ ବର୍ଷରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ କରିବାକୁ ପ୍ରୋତ୍ସାହନ କରାଯିବ ଏବଂ ଏଥିଲାଗି ୧୦,୦୦୦ ବାୟୋ ଇନପୁଟ୍ କେନ୍ଦ୍ର ଖୋଲାଯିବ। ପ୍ରାକୃତିକ ସାରର ପ୍ରୋତ୍ସାହନ ପାଇଁ ‘ପିଏମ୍-ପ୍ରଣାମ’ ଯୋଜନା ଆରମ୍ଭ କରାଯିବ।
  • ୫ଜି ଉପରେ ଗବେଷଣା ପାଇଁ ବିଭିନ୍ନ ଇଂଜିନିଅରିଂ କଲେଜଗୁଡ଼ିକରେ ୧୦୦ଟି ଲ୍ୟାବ ନିର୍ମାଣ ହେବ।
  • ଆସନ୍ତା ଆର୍ଥିକ ବର୍ଷରେ ମାଗଣା ଶସ୍ୟ ଯୋଜନା ପାଇଁ ୨ ଲକ୍ଷ କୋଟି ଟଙ୍କା ବଜେଟ୍ ରଖାଯାଇଛି।
  • ଆସନ୍ତା ଆର୍ଥିକ ବର୍ଷରେ ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
  • ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ବ୍ୟୟ ୬୬ ପ୍ରତିଶତ ବୃଦ୍ଧି ହୋଇ ୭୯,୦୦୦ କୋଟିରୁ ଅଧିକ କରାଯାଇଛି।
  • ଶିଶୁ ଏବଂ ଯୁବକମାନଙ୍କ ପାଇଁ ଜାତୀୟ ଡିଜିଟାଲ୍ ଲାଇବ୍ରେରୀ ପ୍ରତିଷ୍ଠା ହେବ।
  • ଆସନ୍ତା ୩ ବର୍ଷ ମଧ୍ୟରେ ଆଦିବାସୀ ଛାତ୍ରମାନଙ୍କୁ ସମର୍ଥନ କରୁଥିବା ୭୪୦ ଏକଲବ୍ୟ ମଡେଲ ସ୍କୁଲ ତିଆରି ହେବ। ଏଥିଲାଗି ସରକାର ୩୮,୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତ କରିବେ।

କୃଷି କ୍ଷେତ୍ର ପାଇଁ ଚଳିତ ବଜେଟରେ ଦିଆଯିବ ପ୍ରାଥମିକତା

ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଅଧୀନରେ ସରକାର ଚାଷୀମାନଙ୍କୁ ୨.୨ ଲକ୍ଷ କୋଟି ଟଙ୍କା ନଗଦ ପ୍ରଦାନ କରାଯାଇଛି। ଏଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା କରାଯିବ। ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’। ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ ପାଇଁ ଦେଶରେ ଦିଆଯାଉଥିବା କୃଷି ଋଣକୁ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯିବ।

ଭାରତର ଅର୍ଥନୀତିର ୭ ପ୍ରତିଶତ ଦରରେ ଅଗ୍ରଗତି କରିବ 

ଭାରତ ଏବେ ସମଗ୍ର ବିଶ୍ଵର ପଞ୍ଚମ ବୃହତ ଅର୍ଥବ୍ୟବସ୍ଥା। ଭାରତର ପ୍ରତି ବ୍ୟକ୍ତି ଆୟ ୧ ଲକ୍ଷ ୯୭ ହଜାରରେ ପହଞ୍ଚିଛି। ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ କରୋନା ଟିକା ଦିଆଯାଇଛି। ୯.୬ କୋଟି ଏଲ୍‌ପିଜି କନେକ୍ସନ ଦିଆଯାଇଛି।

 

Comment