ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ମଟନ ଖାଇ ଖୁସି ମନାଇଲେ କଟକର ମୀନତି ବହିଦାର। 

ଚର୍ଚ୍ଚାରେ ମୀନତି ବହିଦାର। ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଡିଜିଟାଲ ମିଡିଆଠୁ ଆରମ୍ଭ କରି ପ୍ରତିଷ୍ଠିତ ଟିଭି ଚ୍ୟାନେଲରେ ମୀନତିଙ୍କ ଚେହେରା ଦେଖିବାକୁ ମିଳୁଛି। ନବ ଦାସଙ୍କ ହତ୍ୟା ଘଟଣାରେ ବିଭିନ୍ନ ଗଣମାଧ୍ୟମକୁ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଜାନୁଆରି ୨୯ ତାରିଖ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜ ନଗରରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ନବ କିଶୋର ଦାସଙ୍କୁ ପୋଲିସ ଏଏସଆଇ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଦିନକ ପରେ କେତେକ ଡିଜିଟାଲ ମିଡିଆରେ ମୀନତି ବହିଦାର ହଠାତ୍‌ ଦେଖିବାକୁ ମିଳିଥିଲେ। ନବ ଦାସଙ୍କୁ ଗୁଳିକରି ହତ୍ୟା କରିବା ଘଟଣାରେ ସେ ଖୁସି ପ୍ରକାଶ କରିଥିଲେ।

ସେ କହିଥିଲେ, ‘‘ନବ ଦାସଙ୍କ ମୃତ୍ୟୁ ଖବର ଜାଣିବା ପରେ ମୁଁ ଖୁସି ହୋଇ ଯାଇଥିଲି। ଟିଭି ଆଗରେ ଚିକେନ୍‌ ଖାଇ ହତ୍ୟାକାଣ୍ଡର ଖବର ଦେଖୁଥିଲି।’’

ମୀନତିଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଡିଜିଟାଲ ପରେ ଅନେକ ଟିଭି ଚ୍ୟାନେଲ ମଧ୍ୟ ମୀନତିଙ୍କର ବାଇଟ୍‌ ନେଉଛନ୍ତି। ଏହି ଭିଡିଓରେ ଭିୟୁଅର୍ସଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଦର୍ଶକଙ୍କ ଚାହିଦାକୁ ଦେଖି ଖବରର ଖୋରାକ ଯୋଗା ଯାଉଥିବା ଚର୍ଚ୍ଚା ହେଉଛି

ସେ ଆହୁରି କହିଥିଲେ, ‘‘ମୁଁ ନିଜେ କେବଳ ଚିକେନ ଖାଇ ନଥିଲି। ଘରକୁ ମଟନ ମଗେଇ ଭୋଜି କରିଥିଲି। ସାହି ଲୋକଙ୍କୁ ଡାକି ଖୁଆଇଥିଲି। ନବ ଦାସଙ୍କ ହତ୍ୟା ପରେ ମୋ’ ଆତ୍ମାକୁ ଶାନ୍ତି ମିଳିଛି।’’

ନବ ଦାସ ଝାରସୁଗୁଡ଼ାର ଜଣେ ଟାଣୁଆ ନେତା ଥିଲେ। ତା’ଛଡ଼ା ସେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କ ଉପରକୁ ଜଣେ ପୋଲିସ ଏଏସଆଇଙ୍କ ଗୁଳିମାଡ଼ ଏବଂ ଏଥିରେ ତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଘଟଣା ଚାରିଆଡ଼େ ଆଲୋଡ଼ନ ଖେଳାଇ ଦେଇଥିବା ବେଳେ ମୀନତି ବହିଦାରଙ୍କ ଏଭଳି ଆପତ୍ତିଜନକ ଏବଂ ବେପରୁଆ ମନ୍ତବ୍ୟ ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି। ସୁସ୍ଥ ମାନସିକତା ସମ୍ପନ୍ନ ବ୍ୟକ୍ତି ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେବା ଶୋଭନୀୟ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛିା

କାହିଁକି ଏଭଳି ମନ୍ତବ୍ୟ?

ମୀନତି କହିଛନ୍ତି, ‘‘୨୦୦୪ ମସିହାର ଘଟଣା। ସେତେବେଳେ ଝାରସୁଗୁଡ଼ାରେ କିଶୋର ମହାନ୍ତି ଏବଂ ନବ ଦାସଙ୍କ ପ୍ରଭାବ ଜୋରଦାର ରହିଥିଲା। ସେତେବଳେ ନବ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ୨୦୦୫ରେ ମୋ’ ଭାଇ ବିଧାନ ବହିଦାରକୁ ବୋମା ପକାଇ ହତ୍ୟା କରାଗଲା। ମୋ’ ଭାଇର ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ତାହା ଜାଣିବାକୁ ମୁଁ ଚାହିଁ ରହିଥିଲି। ହେଲେ ତାହା ଜଣାପଡ଼ି ନଥିଲା। ନବ ଏବେ ଗୁଳିକାଣ୍ଡରେ ଆର ପାରିକୁ ଯିବା ପରେ ମୁଁ ନିଶ୍ଚିତ ହୋଇଗଲି ଯେ, ମୋ’ ଭାଇକୁ ସେ ହିଁ ହତ୍ୟା କରିଥିଲା।’’

ଏହି ମନ୍ତବ୍ୟରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ଏହା ହେଉଛି ମୀନତିଙ୍କର ବ୍ୟକ୍ତିଗତ ଆକ୍ରୋଶର ପରିଣତି। ତେଣୁ ବ୍ୟକ୍ତିଗତ ଆକ୍ରୋଶକୁ ନେଇ ମୀନତି ମିଡିଆ ଆଗରେ ଏଭଳି ବାଇଟ୍‌ ଦେବାକୁ ଅନେକ ନାପସନ୍ଦ କରିଛନ୍ତି।

ଗୋପାଳ ଦାସ ଶ୍ରୀକୃଷ୍ଣଙ୍କ ଅବତାର: ମୀନତି

ନବ ଦାସଙ୍କୁ ଗୁଳିକରି ହତ୍ୟା କରିବା ଘଟଣାରେ ବ୍ରଜରାଜ ନଗର ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ଏବେ ପୋଲିସ ହେପାଜତରେ। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ତାଙ୍କୁ ଘନ ଘନ ଜେରା କରୁଛି। ଏଭଳିସ୍ଥଳେ ମୀନତି ଅଭିଯୁକ୍ତ ଗୋପାଳଙ୍କୁ ଶ୍ରୀକୃଷ୍ଣଙ୍କ ଅବତାର ସହ ତୁଳନା କରିଛନ୍ତି। ଶ୍ରୀକୃଷ୍ଣ ଗୋପାଳ ରୂପରେ ଆସି ନବଙ୍କୁ ହତ୍ୟା କରିଥିବା ମୀନତି କହିଛନ୍ତି। ମୀନତିଙ୍କ ଏହି ମନ୍ତବ୍ୟ ଏବେ ଗଣମାଧ୍ୟମ ପାଇଁ ଖୋରାକ ହୋଇଥିବା କୁହାଯାଉଛି।

ବର୍ତ୍ତମାନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୂଳ କାରଣ ଦୁର୍ବଳ ହେଇ ହେଇ ଯାଉଥିବାବେଳେ ଡାଳ ଜବୁତ ହେବାରେ ଲାଗିଛି। ଖାଲି ସୋସିଆଲ ମିଡିଆ ନୁହେଁ କେତେକ ଟିଭି ଚ୍ୟାନେଲରେ ମଧ୍ୟ ମନ୍ତ୍ରୀଙ୍କ ହତ୍ୟା ଘଟଣାକୁ ନେଇ ଗପ ଚାଲିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।

Tags: #Politics #OdishaPolitics #NabaKishorDasMurderCase #BJP #BJD #MinatiBohidar

Comment