ଓଡ଼ିଶାଲାଇଭ୍ ବ୍ୟୁରୋ

“ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୧୦ ଦିନ ହେଲାଣି, ତଥାପି ହତ୍ୟାର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ। ୧୦ ଦିନ ହେଲା ତଦନ୍ତ ଆଳରେ ନବ ଦାସଙ୍କ ହତ୍ୟା ଘଟଣାର ପ୍ରମାଣ ନଷ୍ଟ କରାଚାଲିଛି”, ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

ଦିନ ଦି’ ପହରେ ରାଜ୍ୟର ଜଣେ ପ୍ରଭାବଶାଳୀ ନେତାଙ୍କୁ ହତ୍ୟା କରାଗଲା। ହତ୍ୟା ଘଟଣାକୁ ୧୦ ଦିନ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛର କାରଣ ମିଳିପାରୁ ନାହିଁ। ରାଜ୍ୟ ସରକାରଙ୍କର ନିଜ ତଦନ୍ତ ଉପରେ ଭରସା ନଥିବା କହିଛନ୍ତି ପୀତାମ୍ବର ଆଚାର୍ଯ୍ୟ। ସେ କହିଛନ୍ତି ଯେ, ଯଦି ସରକାରଙ୍କର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ଥା’ନ୍ତା, ତେବେ ଏହି ତଦନ୍ତର ତଦାରଖ କରିବାକୁ ହାଇକୋର୍ଟଙ୍କୁ ଚିଠି ଲେଖି ନଥାନ୍ତେ ରାଜ୍ୟ ସରକାର।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଓ ଷଡ଼ଯନ୍ତ୍ର ନିରପେକ୍ଷ ତଦନ୍ତ ମାଧ୍ୟ୍ୟମରେ ଉନ୍ମୋଚିତ ହେଉ ବୋଲି ବୋଧେ ସରକାର ଚାହୁଁ ନାହାନ୍ତି। ନିଜ ଦଳର ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସରକାର ଅତି କମରେ ସ୍ୱଚ୍ଛ ତଦନ୍ତଟିଏ କରନ୍ତୁ ବୋଲି ସେ କହିଛନ୍ତି।

ରାଜ୍ୟ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ଯେଉଁଠି ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି ସେଠି ରାଜ୍ୟବାସୀ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ରାଜ୍ୟବାସୀ ବର୍ତ୍ତମାନ ସରକାରଙ୍କ ସ୍ଵଚ୍ଛ ଶାସନ ଉପରେ ପ୍ରଶ୍ନ ଉଠାଇଲେଣି। ବେଳ ଥାଉ ଥାଉ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଦାୟିତ୍ଵ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଜେପି ପକ୍ଷରୁ ସେ ଦାବି କରିଛନ୍ତି।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନଥିବା ବିଜେପି କହିଛି। ଏହି ଘଟଣାରେ ରାଜ୍ୟ ସରକାର କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି କରିଛି ବିଜେପି।

Tags: #Politics #OdishaPolitics #NabaKishorDasMurderCase #BJP #BJD #PitambarAcharya

Comment