ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଓଡ଼ିଆ ଭାଷା ଏବଂ ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହେବାକୁ ଥିବା ଏହି ମହୋତ୍ସବରେ ସହଯୋଗ କରିବ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ।

ଚଳିତ ବର୍ଷ ମହୋତ୍ସବ ଅବସରରେ ପ୍ରଖ୍ୟାତ ଓଡ଼ିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କୁ ବୁଦ୍ଧ ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କା ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ। ସେହିଭଳି ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ନାଁ କରିଥିବା ୪ ଜଣ ଗୁରୁଙ୍କୁ ଓଡ଼ିଶୀ କଣ୍ଠଶିଳ୍ପୀ ଓ ସଂଯୋଜକ ଗୁରୁ ବଙ୍କିମ ସେଠୀ, ଓଡ଼ିଶୀ ନୃତ୍ୟଗୁରୁ ଗୁରୁ ନିରଞ୍ଜନ ରାଉତ, ବିଶିଷ୍ଟ ମର୍ଦ୍ଦଳ ଗୁରୁ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ପ୍ରତିଷ୍ଠିତ ଛଉ ନୃତ୍ୟଗୁରୁ ଓ ଗବେଷକ ଗୁରୁ ସଦାଶିବ ପ୍ରଧାନଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ।

ପ୍ରତି ବର୍ଷ ଆୟୋଜିତ ହେଉଥିବା ଏହି ମହୋତ୍ସବରେ କଳାକାରମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଥାନ୍ତି।

ଚଳିତ ବର୍ଷ ମହୋତ୍ସବରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ, ଲୋକ ନୃତ୍ୟ ଓ ଦେଶ ବିଦେଶର ସମରକଳା ପ୍ରଦର୍ଶନ କରାଯିବ। ଆଗାମୀ ପିଢ଼ିଙ୍କୁ ସଂସ୍କୃତି ପରମ୍ପରା ଐତିହ୍ୟ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ମହୋତ୍ସବ ଆୟୋଜନ କରାଯାଉଛି।

Tags: #DhauliMahostav #DhauliKalingaMahotsav #Culture #BudhaSamman#PadmashreeDrShyamananiDevi

Comment