ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହାକୁ ଉଦଘାଟନ କରିଥିଲେ। ଆସନ୍ତା ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତି, କୋରାପୁଟ ବିଧାୟକ ରଘୁରାମ ପାଢାଲ, କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି, କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅକ୍ତର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ।

କୋରାପୁଟ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଫେବ୍ରୁଆରି ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିକ୍ରୟ ସହିତ କୃଷି ଓ ଆନୁସାଙ୍ଗିକ ବିଭାଗର ଆଲୋଚନାଚକ୍ର, କୃଷି ପାଠଶାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ମେଳାରେ କୋରାପୁଟ ଜିଲ୍ଲା ସହ ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ାର ଚାଷୀମାନେ ଅଂଶ ଗ୍ରହଣ କରିଛନ୍ତି। ମେଳାରେ ମୋଟ ୧୦୭ଟି ଷ୍ଟଲ ଲାଗିଛି। ଚାଷୀମାନେ ଏଠାରୁ କୃଷି ଯନ୍ତ୍ରପାତି କିଣିବା ସହ ଅନଲାଇନରେ ବୁକିଂ ମଧ୍ୟ କରିପାରିବେ। ଯେଉଁ ଚାଷୀମାନେ ଏଠାରୁ କୃଷି ଯନ୍ତ୍ରପାତି କ୍ରୟ କରିବେ ସେମାନଙ୍କ ଜମାଖାତାକୁ ସପ୍ତାହକ ମଧ୍ୟରେ ସବସିଡି ପହଞ୍ଚିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Tags: #SouthernAgricultureFestivalandMachineryFair #Jeypure #AgricultureDept #GovtofOdisha

Comment