ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ୧୨ ଦିନ। ଗୁରୁବାର ଦିନ ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ ପଡ଼ିଆଠାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି। ଦ୍ୱାଦଶାହ କାର୍ଯ୍ୟରେ ସାମିଲ ହେବା ପାଇଁ ଝାରସୁଗୁଡ଼ାଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାସ୍ଥଳରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ କିଛି ସମୟ ନବ ଦାସଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ।

ନବ ଦାସଙ୍କ ଦ୍ୱାଦଶାହ କାର୍ଯ୍ୟରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି।

ଦ୍ୱାଦଶାହ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସ ବାପାଙ୍କର ଅଧୁରା ସ୍ଵପ୍ନକୁ ପୂରା କରିବେ ବୋଲି କହିଥିଲେ। ଏହି ଅବସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବାପଙ୍କ କଥା କହୁ କହୁ କାନ୍ଦି ପକାଇଥିଲେ ଦୀପାଳି। ସେ କହିଥିଲେ, “ମୁଁ କେବେ ଭାବି ନଥିଲି ମୋ ବାପାଙ୍କ ନାଁ ପୂର୍ବରୁ ସ୍ଵର୍ଗତ ଲଗାଇବାକୁ ପଡ଼ିବ ବୋଲି।”

ଶ୍ରଦ୍ଧାଞ୍ଜଳି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଅଞ୍ଚଳର ବହୁ ଲୋକ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦ୍ୱାଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ହାଇସ୍କୁଲ ପରିସରରେ ପ୍ରାୟ ୨୦ ପ୍ଳାଟୁନ ପୋଲସ ଫୋର୍ସ ମୁତୟନ ହୋଇଛନ୍ତି।

ଗତ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନ୍ତ୍ରୀ ନବ ଦାସ ଯାଇଥିବା ସମୟରେ ବ୍ରଜରାଜନଗର ଗାନ୍ଧୀଛକଠାରେ ଏଏସଆଇ ଗୋପାଳ କୃଷ୍ଣ ଦାସ ତାଙ୍କ ଉପରକୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ଏୟାରଲିଫ୍ଟ କରି ତାଙ୍କୁ ଭୁବନେଶ୍ଵର ଆଣାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Tags: #OdishaPolitics #NabaKishorDasMurderCase #CondolenceMeeting #CMOdisha #NaveenPatnaik #Jharsuguda

Comment