ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାକୁ ଦୃଷ୍ଟିରେ ରଖି ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉଭୟ ଭୁବନେଶ୍ଵର ଏବଂ କଟକ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହି ଦୁଇ ସହରର ବସଷ୍ଟାଣ୍ଡ, ଷ୍ଟେସନ, ବିମାନବନ୍ଦର ଆଦି ଉପରେ କଡ଼ା ନଜର ରଖାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାକୁଥିବା ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଲେଖାଏଁ ଏଡିସିପି ରାଙ୍କ ଅଧିକାରୀ ନିୟୋଜିତ ରହିବେ। ସୁରକ୍ଷା ନିମନ୍ତେ ମୋଟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବା ସହ ୨୦୦ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ବ୍ଲୁ ବୁକ ଗାଇଡ଼ଲାଇନ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

୧୪ ଜଣ ଏଡିସିପି ରାଙ୍କ ଅଧିକାରୀ, ୩୫ ଜଣ ଏସିପି ରାଙ୍କ ଅଧିକାରୀ, ୪୭ ଜଣ ଇନସପେକ୍ଟର, ୧୮୮ ଜଣ ସବଇନସପେକ୍ଟର ଏବଂ ୫୦ ହୋମଗାର୍ଡ ନିୟୋଜିତ ହେବେ। କାର୍କେଡର ଦାୟିତ୍ଵରେ ଜଣେ ଏସପି ରାଙ୍କ ଅଧିକାରୀ ନିୟୋଜିତ ରହି କାର୍କେଡ ମୁଭମେଣ୍ଟର ତଦାରଖ କରିବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ପୂର୍ବାହ୍ନରେ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣ ୪ଟା ୧୫ରେ ସେ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କର ୩୦ଜଣ ସହପାଠୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ଫେବ୍ରୁଆରି ୧୧ ତାରିଖରେ ରାଷ୍ଟ୍ରପତି ମୁର୍ମୁ ଲିଙ୍ଗରାଜ ମନ୍ଦିରକୁ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି କିଛି ସମୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରେ ସେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ଵିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Tags: #PresidentOfIndia #DraupadiMurmu #OdishaVisit

Comment