ଓଡ଼ିଶାଲାଇଭ ବ୍ୟୁରୋ

କଂଗ୍ରେସରେ ସାମିଲ ହେଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। ଶୁକ୍ରବାର ଦିନ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟଠାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡ଼ିଶା ପ୍ରଭାରୀ ଚେଲା କୁମାର ଏବଂ ଓପିସିସି ସଭାପତି ଶରତ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। କିଛି ଦିନ ହେଲା ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା।

କଂଗ୍ରେସରେ ସାମିଲ ହେବା ପରେ ବିଜୟ ପଟ୍ଟନାୟକ କହିଛନ୍ତି, ପ୍ରଥମ ଥର ସେ ରାଜନୀତିକୁ ପ୍ରବେଶ କରିଛନ୍ତି। ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ଆଧାରରେ ସେ ଆଗକୁ କାମ କରିବେ। ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ କିଛି କରିବାକୁ ତାଙ୍କର ଲକ୍ଷ୍ୟ ରହିଛି। କଂଗ୍ରେସର ନୀତି ଆଦର୍ଶରେ ପ୍ରଭାବିତ ହୋଇ ସେ ଦଳରେ ସାମିଲ ହୋଇଥିବା କହିଛନ୍ତି।

ବିଜୟ କୁମାର ପଟ୍ଟନାୟକ ହେଉଛନ୍ତି ୧୯୭୬ ବ୍ୟାଚର ଆଇଏଏସ ଅଧିକାରୀ। ସେ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରି ୨୦୧୩ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ।

କଂଗ୍ରେସ କର୍ମୀଙ୍କ ସହ ବିଜୟ କୁମାର ପଟ୍ଟନାୟକଙ୍କର ମିଳାମିଶାକୁ ଦେଖି ଗତ ୨୦୨୨ ମସିହାରେ ଚର୍ଚ୍ଚା ହେଉଥିଲା ସେ କଂଗ୍ରେସରେ ଯୋଗ ଦେବେ ବୋଲି। କିନ୍ତୁ ସେହି ସମୟରେ ସେ ଏହାକୁ ଖଣ୍ଡନ କରିଥିଲେ। ଆଜି ସେ ଓଡ଼ିଶାରେ ନୁହେଁ, ସିଧା ଦିଲ୍ଲୀ ଯାଇ ଏଆଇସିସି କାର୍ଯ୍ୟାଳୟରେ  କଂଗ୍ରେସରେ ସାମିଲ ହୋଇଛନ୍ତି। ଆଗକୁ ନିର୍ବାଚନ ଲଢ଼ିବେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ବିଜୟ ପଟ୍ଟନାୟକ।

Tags: #Politics #OdishaPolitics #Congress #BijayKumarPatnaikInPolitics

Comment