ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ସମାବର୍ତ୍ତନ ଉତ୍ସବରେ ନିଜର ପଠପଢ଼ା ସମୟକୁ ମନେପକାଇ ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଠାରେ ପଢ଼ିବା ସମୟର ବିଭିନ୍ନ ଅନୁଭୂତି ସମ୍ବନ୍ଧରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି।

“ଦୀର୍ଘ ବର୍ଷ ପରେ ମଧ୍ୟ ରମାଦେବୀର ଏହି ପରିସର ମୁକସାକ୍ଷୀ ହୋଇ ମୋତେ ସ୍ୱାଗତ କରୁଛି ଓ ଶ୍ରଦ୍ଧାରେ ପାଛୋଟି ଆଣିଛି। ସତେବେଳେ ଏହା ଏମିତି ଏକ ମହାବିଦ୍ୟାଳୟ ଥିଲା ଯେଉଁଠାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗରିବ ଚାଷୀର ଝିଅ ଏକାଠି ପାଠ ପଢ଼ୁଥିଲୁ। ଆମ ଭିତରେ କୌଣସି ଭେଦଭାବ ନଥିଲା। ଆଜି ମଧ୍ୟ ସେ ଦିନର କଥା ମୋର ମନେ ଅଛି  ”,କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି ନିଜର ଅଭିଭାଷଣରେ ନାରୀ ଶକ୍ତିକୁ ବର୍ଣ୍ଣନା କରିବାକୁ ଯାଇ ଆହୁରି ମଧ୍ୟ କହିଛନ୍ତି,”ଆଜିର ଭାରତରେ ନାରୀ ସଶକ୍ତିକରଣ ବାସ୍ତବ ରୂପ ନେଇଛି। ଶିକ୍ଷା, ସ୍ଵାସ୍ଥ୍ୟ, ବାଣିଜ୍ୟ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ନାରୀମାନେ ଅଗ୍ରଣୀ ଭୂମିକା ବହନ କରୁଛନ୍ତି। ଆଜି ଭାରତର ସଂସଦରେ ମହିଳା ସାଂସଦଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇଛି। ଆଜି ଆମ ଦେଶରେ ନାରୀ ଓ ପୁରୁଷ ମଧ୍ୟରେ ଥିବା ସାମାଜିକ ପାର୍ଥକ୍ୟ ଅନେକ ମାତ୍ରାରେ ଦୂର ହୋଇଛି। ଏହା ଭାରତକୁ ଆହୁରି ଆଗକୁ ନେବ।”

ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୪ଜଣ ବିଶିଷ୍ଟ ମହିଳାଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୨୦୨୨ ମସିହା ପାଇଁ ବିଶ୍ୱବିଦ୍ୟାଳୟର ୨୨ଜଣ ଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ଦିଆଯାଇଛି।

ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସୌମ୍ୟା ସ୍ଵାମୀନାଥନ୍‌ଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି। ସେହିପରି ସାହିତ୍ୟ ଓ ସମାଜସେବା ପାଇଁ ପୂର୍ଣ୍ଣମାସୀ ଜାନୀ, ସମାଜସେବା ଓ ମହିଳା ସଶକ୍ତୀକରଣ ଲାଗି ସୁନିତା କ୍ରିଷ୍ଣନ୍‌, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛନ୍ତି।

ସମାବର୍ତ୍ତନ ଉତ୍ସବରେ ବିଶ୍ଵବିଦ୍ୟାଳୟର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ଦିଆଯିବା ସହ ଦୁଇଜଣ ଛାତ୍ରୀଙ୍କୁ ପିଏଚଡି ଡିଗ୍ରି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #PresidentOfIndia #DroupadiMurmu #OdishaVisit #RamadeviUniversity #ConvocationCeremony #Bhubaneswar #Odisha

Comment