ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସରେ ଯୋଗ ଦେବା ପରେ ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜୟଙ୍କୁ କଂଗ୍ରେସ କର୍ମୀମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇ କଂଗ୍ରେସ ଭବନକୁ ପାଛୋଟି ନେଇଥିଲେ। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୟ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

‘‘ସାଧାରଣ ଲୋକମାନେ ସରକାରଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ବିଧାୟକ ଏବଂ ମନ୍ତ୍ରୀମାନେ ମଧ୍ୟ ଲୋକଙ୍କ ସମସ୍ୟା ବୁଝୁ ନାହାନ୍ତି। ସେମାନେ ହାତ ଟେକି ଦେଉଛନ୍ତି। ବର୍ତ୍ତମାନ ସବୁ କିଛି ତୃତୀୟ ମହଲାରୁ ନିୟନ୍ତ୍ରିତ ହେଉଛି। ଏବେ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ମଧ୍ୟ ମନା। ଯେଉଁଠି ଲୋକସେବା ଭବନ, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଆଦି ସ୍ଥାନକୁ ସାମ୍ବାଦିକମାନଙ୍କ ଉପରେ କଟକଣା ଲଗାଯାଉଛି ସେଠି ସାଧାରଣ ଲୋକଙ୍କ ସ୍ୱର କିପରି ସରକାରଙ୍କ ପାଖରେ ପହଞ୍ଚିବ?” ଏଭଳି ପ୍ରଶ୍ନ କରିଛନ୍ତି ବିଜୟ ପଟ୍ଟନାୟକ।

ଗତ ଶୁକ୍ରବାର ଦିନ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟଠାରେ ବିଜୟ କଂଗ୍ରେସର ହାତ ଧରିଥିଲେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୟ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଥିଲେ।

ବିଜୟ ଆହୁରି କହିଥିଲେ ଯେ, “ଚାକିରିରୁ ଅବସର ନେବାର ଅନେକ ବର୍ଷ ପରେ ମୁଁ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛି। ଏତେ ବର୍ଷ ପରେ ରାଜନୀତିକୁ ଆସିବା ପଛରେ ଅନେକ କାରଣ ରହିଛି।”

“ଲୋକମାନଙ୍କ ମୂଲ୍ୟବାନ ଭୋଟ ବଳରେ ସରକାର ଗଠନ କରାଯାଉଛି। ଯଦି ଲୋକମାନଙ୍କ ଗୁହାରି ସରକାରଙ୍କ ପାଖରେ ପହଞ୍ଚିବ ନାହିଁ, ତାହାଲେ ଏହାକୁ ଗଣତନ୍ତ୍ର ବୋଲି ଆମେ କେମିତି କହିବା? ବର୍ତ୍ତମାନ ରାଜ୍ୟରେ ରୁଦ୍ଧଦ୍ୱାର ବ୍ୟବସ୍ଥା ଚାଲିଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି”, କହିଛନ୍ତି ବିଜୟ ପଟ୍ଟନାୟକ।

ବର୍ତ୍ତମାନ ଓଡ଼ିଶାରେ ଅନେକ ଓଡ଼ିଆ ନିର୍ଯାତିତ ହେଉଛନ୍ତି। ରାଜ୍ୟରେ ଲୋକଙ୍କୁ କାମ ମିଳୁନାହିଁ। ଲୋକଙ୍କ ପାଇଁ ନିଯୁକ୍ତି ସୁବିଧା ନାହିଁ। ଓଡ଼ିଶାରେ ନିଯୁକ୍ତି ସମ୍ଭାବନା ନଥିବାରୁ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।

କଂଗ୍ରେସର ନୀତି ଆଦର୍ଶରେ ପ୍ରଭାବିତ ହୋଇ  ସେ ଦଳରେ ସାମିଲ ହୋଇଥିବା କହିଥିଲେ ବିଜୟ ପଟ୍ଟନାୟକ। କଂଗ୍ରେସର ବର୍ତ୍ତମାନର କାର୍ଯ୍ୟପନ୍ଥାକୁ ସେ ପ୍ରଶଂସା କରିବା ସହ ଆଗାମୀ ଦିନରେ କଂଗ୍ରେସ ଓଡ଼ିଶାରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି କହିଥିଲେ। ସମସ୍ତେ ମିଳିମିଶି କାମ କଲେ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

Tags: #Politics #OdishaPolitics #Congress #BijayKumarPatnaik

Comment