ଓଡ଼ିଶାଲାଇଭ୍ ବ୍ୟୁରୋ

ନିକଟରେ ବିବାଦୀୟ ଡକ୍ୟୁମେଣ୍ଟାରି ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ବିବିସିର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ଆୟକର ବିଭାଗର ଏକ ଟିମ ପହଞ୍ଚିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରିକୁ ନେଇ ବିବିସି କାର୍ଯ୍ୟାଳୟରେ ଆୟକର ଚଢ଼ଉ କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆୟକର ବିଭାଗ ପକ୍ଷରୁ ଚଢ଼ଉ ନେଇ କୌଣସି ସୂଚନା ନଥିବାବେଳେ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଟିମ୍ ସର୍ଭେ କରୁଥିବା କୁହାଯାଉଛି।

ଏ ପଟେ ବିବିସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କଠାରୁ ମୋବାଇଲ ଜବତ କରାଯିବା ସହ ସେମାନଙ୍କୁ ଅଫିସ ଛାଡ଼ିବାକୁ ଅୟକର ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଲଣ୍ଡନସ୍ଥିତ ବିବିସି କାର୍ଯ୍ୟଳୟକୁ ସୂଚନା ଦିଆଯାଇଛି।

ବିବିସି କାର୍ଯ୍ୟାଳୟରେ ଆଜି ଆୟକର ବିଭାଗର କର୍ମଚାରୀ ପହଞ୍ଚିବା ଖରବର ପରେ କଂଗ୍ରେସ ପକ୍ଷରୁ ଟୁଇଟ କରି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରାଯଇଛି।

କଂଗ୍ରେସ ପକ୍ଷରୁ ଲେଖାଯାଇଛି, “ପ୍ରଥମେ ବିବିସି ଡକ୍ୟୁମେଣ୍ଟାରି ଆସିଲା, ତାକୁ ବ୍ୟାନ କରାଗଲା। ଏବେ ବିବିସି ଉପରେ ଆୟକର ଚଢ଼ଉ କରାଗଲା। ଏହା ହେଉଛି ଦେଶରେ ଏକ ଅଘୋଷିତ ଜରୁରୀକାଳିନ ପରିସ୍ଥିତି।”

ନିକଟରେ ବିବିସି ଏକ ଡକ୍ୟୁମେଣ୍ଟାରୀ ପ୍ରସୁତ କରିଥିଲା। ୨୦୦୨ ମସିହା ଗୁଜୁରାଟ ଦଙ୍ଗାକୁ ନେଇ ପ୍ରସ୍ତୁତ ହୋଇଥିଲା ଏହି ଡକ୍ୟୁମେଣ୍ଟାରି। ଅପ୍ରଚାର କରାଯାଉଥିବା କହି କେନ୍ଦ୍ର ସରକାର ଏହି ଡକ୍ୟୁମେଣ୍ଟାରିର ସ୍କ୍ରିନିଂ ଉପରେ କଟକଣା ଜାରି କରିଥିଲେ। ଏହାର ସ୍କ୍ରିନଂକୁ ନେଇ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ଦାୟର କରାଯାଇଛି। ଏହି ବିବାଦୀୟ ଡକ୍ୟୁମେଣ୍ଟାରିକୁ ନେଇ ଆଜି ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ଉ କରିଥିବା କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ କଂଗ୍ରେସ।

ଦିଲ୍ଲୀ କେଜି ମାର୍ଗ ସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଗୋଟିଏ ଟିମ୍ ପହଞ୍ଚିଥିବାବେଳେ ଆଉ ଗୋଟେ ଟିମ୍ ମୁମ୍ବାଇସ୍ଥିତ ବିବିସି କାର୍ଯ୍ୟାଳୟରେ ଯାଞ୍ଚ କରୁଥିବା କୁହାଯାଉଛି।

Tags: #BBCNews #BBCOffice #Delhi #Politics #IncomeTaxDepartment #Congress

Comment