ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇ ମୁଖ ଚୟନକର୍ତ୍ତା ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା। ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ସେ ଶୁକ୍ରବାର ଦିନ ଏହି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନିକଟରେ ଟିମ୍ ଇଣ୍ଡିଆ ଖେଳାଳିମାନଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ଚେତନ ଶର୍ମା।

ଚେତନ ଶର୍ମା ୨୦୨୩ ଜାନୁଆରି ୭ ତାରିଖକୁ ଦ୍ଵିତୀୟ ଥର ଲାଗି ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଥିଲେ। ଦ୍ଵିତୀୟ ପାଳି କାର୍ଯ୍ୟକାଳର ମାତ୍ର ୪୦ ଦିନରେ ହିଁ ଆଜି ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି।

ଚେତନ ଶର୍ମାଙ୍କ ବିବାଦୀୟ ବୟାନ

ମଙ୍ଗବାର ଦିନ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ଖେଳାଳିମାନଙ୍କର ଚୟନ ପ୍ରକ୍ରିୟା ଏବଂ ଫିଟନେସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏପରିକି ସେ ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହଙ୍କ ଭଳି ଖେଳାଳିଙ୍କୁ ଆକ୍ଷେପ କରି କିଛି କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାୟ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ ରହିବା ପାଇଁ ଇଞ୍ଜେକ୍ସନ ନିଅନ୍ତି। ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ଚେତନ ଶର୍ମା। ଏମିତିକି ସୋସିଆଲ ମିଡିଆରେ ଲଗାତର ଚେତନ ଶର୍ମାଙ୍କ ବହିଷ୍କାର ଦାବି କରାଗଲା। ଶେଷରେ ଆଜି ଚେତନ ଶର୍ମା ବିବିସିଆଇକୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଇସ୍ତାଫାକୁ ସ୍ଵୀକାର କରାଯାଇଛି।

Tags: #BCCI #ChetanSharma #Resigns #ControversialStatement

Comment