ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଇକ ଆମ୍ବୁଲାନ୍ସ ସେବା ପାଇଁ ଦେବାଶିଷ କବି ଏବଂ ବିଜୟ ବରୁଆଙ୍କୁ ଜାତୀୟ ସମ୍ମାନ
  • ସମ୍ମାନିତ କଲା ମହାରାଷ୍ଟ୍ରର ଗ୍ଲୋବାଲ ସ୍କଲାର ଫାଉଣ୍ଡେସନ

ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଯୁବ ଉଦ୍ୟୋଗୀ ଦେବାଶିଷ କବି ଏବଂ ବିଜୟ ବରୁଆଙ୍କୁ ମିଳିଛି ଭାରତୀୟ ସେବାରତ୍ନ ସମ୍ମାନ। ମହାରାଷ୍ଟ୍ରର ଗ୍ଲୋବାଲ ସ୍କଲାର ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗୋଆଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡକ୍ଟର ବାତ୍ରାସ୍ ହୋମିଓପାଥି କ୍ଲିନିକ୍ସର ପ୍ରତିଷ୍ଠାତା ପଦ୍ମଶ୍ରୀ ଡାକ୍ତର ମୁକେଶ ବାତ୍ରା ଯୁବ ଉଦ୍ୟୋଗୀ ଦେବାଶିଷ କବି ଏବଂ ବିଜୟ ବରୁଆଙ୍କୁ ସମ୍ମାନୀତ କରିଛନ୍ତି। ଉଭୟ ଦେବାଶିଷ ଏବଂ ବିଜୟଙ୍କ ନିକଟକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗତ ୨୦୨୦ ମସିହା ଡିସେମ୍ବର ମାସରୁ ୩ଟି ବ୍ଲକ ଗୁରୁଣ୍ଡିଆ, କୋଇଡା ଏବଂ ରାଜଗାଙ୍ଗପୁରରେ ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା। ସୁନ୍ଦରଗଡ଼ର ୟୁନିକ ଟ୍ରାଭେଲ ମ୍ୟାନେଜମେଣ୍ଟ ଏବଂ ସର୍ଭିସେସକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା।

ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଏହି ସଂସ୍ଥା ସେବା ଯୋଗଇ ଆସୁଛି। ସୁନ୍ଦରଗଡ଼ ଜିଲ୍ଲାରେ ବାଇକ ଆମ୍ବୁଲାନ୍ସ ସେବା ବେଶ ଆଦ୍ରୁତି ଲାଭ କରିଛି। ସ୍ଥାନୀୟ ତଥା ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରଣ ହେବା ପରେ ବାଇକ ଆମ୍ବୁଲାନ୍ସ ସେବା ଜାତୀୟ ସ୍ତରରେ ଆଦ୍ରୁତି ଲାଭ କରିଥିଲା। ଏହାପରେ ସେବାରତ୍ନ ସମ୍ମାନ ପ୍ରଦାନ କରିବାକୁ ଏହି ସଂସ୍ଥାକୁ ଚୟନ କରାଯାଇଥିଲା ବୋଲି ଗ୍ଲୋବାଲ ସ୍କଲାର ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।

ମାତ୍ର ୨ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଲକରେ ଥିବା ୯ଟି ବାଇକ ଆମ୍ବୁଲାନ୍ସ ୭,୦୦୦ରୁ ଊର୍ଦ୍ଧ୍ଵ ଅପହଞ୍ଚ ଏବଂ ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇପାରିଛି। ଏହି ସେବା ଦ୍ୱାରା ୫୧ ପ୍ରତିଶତ ମହିଳା, ୧୬ ପ୍ରତିଶତ ଶିଶୁ ଏବଂ ୩୨ ପ୍ରତିଶତ ଅନ୍ୟାନ୍ୟ ରୋଗୀ ଉପକୃତ ହୋଇପାରିଛନ୍ତି। ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ବାଇକ ଆମ୍ବୁଲାନ୍ସ ଏକ ମାଇଲଖୁଣ୍ଟ ହୋଇପାରିଥିବା ବିଭିନ୍ନ ମହଲରେ କୁହାଯାଉଛି।

Tags: #BharatiyaSevaRatnaSamman #DebashishKabiandVijayBarua #YoungEntrepreneur #Sundargarh #BikeAmbulance

LEAVE A REPLY

Please enter your comment!
Please enter your name here