ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଆସନ୍ତା ଫେବ୍ରୁଆରି ୨୩ ତାରିଖରେ ହେବାକୁ ଯାଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ – ୨୦୨୩’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍‌ ଆୟୋଜନ କରାଯାଉଛି। ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କନକ୍ଲେଭରେ ହୋଟେଲ ମାଲିକ, ଟୁର୍ ଅପରେଟର୍, ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ମିଡିଆ, ଡିଜିଟାଲ ମାର୍କେଟିଂ, ଏୟାରଲାଇନ୍ସ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀମାନେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଦିଗରେ ଆଲୋଚନା କରିବେ।

“ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବର୍ତ୍ତମାନ ଆଗକୁ ଯାଉଛି। ଚଳିତ ବର୍ଷ ରାଜ୍ୟରେ ଆୟୋଜିତ ହୋଇଥିବା ବିଶ୍ଵକପ୍ ହକି ଏବଂ ଡଟ୍ ଫେଷ୍ଟ କାର୍ଯ୍ୟକ୍ରମ ଓଡ଼ିଶାକୁ ପର୍ଯ୍ୟଟକମାନଙ୍କୁ ବିଶେଷ ଆକର୍ଷିତ କରିଛି। ଏହି ସମୟରେ ରାଜ୍ୟର ହୋଟେଲ ଶିଳ୍ପରେ ମଧ୍ୟ ବିଶେଷ ଉନ୍ନତି ହୋଇଛି”, କହିଛନ୍ତି ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶାର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ପର୍ଯ୍ୟଟନ, ଟୁର୍ ଅପରେଟର, ହୋଟେଲିୟର, ଗଣମାଧ୍ୟମ ଭଳି ବିଭିନ୍ନ କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ମତାମତ ଏବଂ ପ୍ରସ୍ତାବ ଆଧାରରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ କିପରି ଆଉ ପାଦେ ଆଗକୁ ନିଆଯାଇପାରିବ, ସେନେଇ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିନିକିଆ କନକ୍ଲେଭ୍କୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଏବଂ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ଏହି କନକ୍ଲେଭର ଡିଜିଟାଲ ମିଡିଆ ପାର୍ଟନର ରହିଛି।

Tags: #HRAO #OdishaTourismConclave2023 #Bhubaneswar #Hotel&RestaurantAssociation

LEAVE A REPLY

Please enter your comment!
Please enter your name here