ଓଡ଼ିଶାଲାଇଭ୍ ବ୍ୟୁରୋ

“ବାପାଙ୍କୁ ହରାଇ ଆମ ପରିବାର ମର୍ମାହତ। ଏତେ ବଡ଼ ଝଡ଼ ଆସିବ ବୋଲି ଆମେ କେବେ କଳ୍ପନା କରିନଥିଲୁ। ବର୍ତ୍ତମାନ ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆମର ଭରସା ଅଛି। ନ୍ୟାୟ ମିଳିବ ବୋଲି ରାଜ୍ୟ ସରକାରଙ୍କ ଉପରେ ଆମେ ଆଶା ରଖିଛୁ। ମୋ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ”, ମଙ୍ଗଳବାର ଦିନ ଗଣମାଧ୍ୟମକୁ ଏଭଳି କହିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ।

ମନ୍ତ୍ରୀ ନବ ଦାସ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ତାଙ୍କୁ ଗୁଳି କରାଯାଇଥିଲା। ସେହିଦିନ ହିଁ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ଗୁଳି କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଗୋପାଳ ଚୌଦ୍ଵାର ଜେଲରେ।

ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ନବ ଦାସଙ୍କ ହତ୍ୟାକାଣ୍ଡରେ ସରକାରୀ ଦଳର କିଛି ସଦସ୍ୟଙ୍କ ହାତ ରହିଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଏପରିକି ଅଭିଯୁକ୍ତ ଗୋପାଳଙ୍କୁ ଏହି ହତ୍ୟାକାଣ୍ଡର ମାଧ୍ୟମ କରାଯାଇଥିବା କୁହାଯାଉଛି।

ଏହା ଏକ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ହୋଇଥିବାରୁ ହାଇକୋର୍ଟର ଜଣେ ଅବରସ ପ୍ରାପ୍ତ ବିଚାରପତିଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ଥିବା କହିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ।

ଦୀପାଳି କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆମର ଭରସା ଅଛି। ଯେତେ ବିଳମ୍ବ ହେଲେ ମଧ୍ୟ ଆମେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ। ସରକାରଙ୍କ ଉପରେ ଭରସା ଅଛି ଆମକୁ ନିଶ୍ଚିତ ନ୍ୟାୟ ମିଳିବ।

ଏହାରି ମଧ୍ୟରେ ସୋମବାର ସନ୍ଧ୍ୟାରୁ ଘଟଣା ଦିନର ଅଭିଯୁକ୍ତ ଗୋପାଳଙ୍କର କିଛି ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Tags: #Politics #OdishaPolitics #NabDasMurderCase #DeepaliDas #GopalDas

Comment