ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ ମାନଙ୍କୁ କୋରାପୁଟରୁ ଅପହରଣ କରାଯିବା ଘଟଣାର ପର୍ଦ୍ଦାଫାସ କଲା କୋରାପୁଟ ପୋଲିସ। ଅପହରଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ଖୋସଲା, ପିଣ୍ଟୁ ଖୋରା, ଅନିଲ ତକରୀ, ହୀନା ପ୍ରବୀଣ ଓ ଜନ ମହମ୍ମଦ।

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନଙ୍କଠାରୁ ପୋଲିସ ୬ଟି ମୋବାଇଲ ଓ ୨୩ ହଜାର ଟଙ୍କା ଜବତ କରିଛି। ଟଙ୍କା ପାଇଁ ଅବଦୁଲଙ୍କୁ ଅପହରଣ କରାଯାଇଥିବା ଅଭିଯୁକ୍ତମାନେ ସ୍ଵୀକାର କରିଥିବା ପୋଲିସ କହିଛି।

ଗତ ୧୭ ତାରିଖ ସନ୍ଧ୍ୟାରେ ଅବଦୁଲ ମାନ କୋରାପୁଟ ଆସିଥିବା ବେଳେ କିଛି ଲୋକ ତାଙ୍କୁ ଅପହରଣ କରି ଗୋଟିଏ ଘରେ ରଖିଥିଲେ। ଏହା ପରେ ୨୫ ଲକ୍ଷ ଟଙ୍କା ଦେଲେ ଅବଦୁଲଙ୍କୁ ଛାଡ଼ିବା ପାଇଁ ସର୍ତ୍ତ ରଖିଥିଲେ ଅପହରଣକାରୀ। ଏତେ ଟଙ୍କା ପାଖରେ ନଥିବା କହିବାରୁ ଅପହରଣକାରୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଏସଡିପିଓଙ୍କ ନେତୃତ୍ଵରେ ପୋଲିସ ଟିମ୍ କୋରାପୁଟର ଏକ ନିର୍ମାଣାଧୀନ ପର୍ଯ୍ୟଟନ କାର୍ଯ୍ୟାଳୟ କୋଠରୀରୁ ଅବଦୁଲଙ୍କୁ ଉଦ୍ଧାର କରିଥିଲା। ଗିରଫ ପରେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #UttarPradesh #Kidnaping#DriverRescue #Police

Comment