ଓଡ଼ିଶାଲାଇଭ୍ ବ୍ୟୁରୋ

  • ମିଳୁନି ନବ ଦାସଙ୍କ ଛାତିକୁ ବିଦ୍ଧ କରିଥିବା ଗୁଳି
  • ଏଫବିଆଇ ତଦନ୍ତକୁ ନେଇ ପ୍ରଶ୍ନ
  • “ଗୋପାଳକୁ ମାନସିକ ରୋଗୀ ପ୍ରମାଣ କରିବାକୁ ଚାଲିଛି ପ୍ରୟାସ”

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୨୬ ଦିନ ହେଲାଣି ସରିପାରୁନି ତଦନ୍ତ। ସମୟ ଯେତିକି ଗଡ଼ୁଛି ଲୋକଙ୍କ ମନରେ ସନ୍ଦେହ ସେତିକି ବଢ଼ୁଛି ବୋଲି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର।

ମନ୍ତ୍ରୀ ନବ କିଶୋର ଦାସଙ୍କୁ ଦିନ ଦ୍ଵି’ପ୍ରହରରେ ଗୁଳି କଲେ ଜଣେ ପୋଲିସ ଅଧିକାରୀ। ଗତ ଜାନୁଆରି ମାସ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ନବ ଦାସଙ୍କ ଉପରକୁ ଗୁଳି କରିଥିଲେ ଗାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଥିବାବେଳେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ।

ଏହାରି ମଧ୍ୟରେ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ଚାଲିଥିବା ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଦୀର୍ଘ ଦିନ ପରେ ସରକାର କାହିଁକି ଏଫିବିଆଇର ସହାୟତା ଲୋଡ଼ୁଛନ୍ତି ବୋଲି ପଚାରିଛନ୍ତି।

ସେ କହିଛନ୍ତି, “ଯେଉଁଠି ଗୋଟିଏ ବିଭତ୍ସ ହତ୍ୟାକାଣ୍ଡରେ ଏକାଧିକ ସନ୍ଦିଗ୍ଧଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ଉପୁଜେ, ସେ କ୍ଷେତ୍ରରେ ବିହେଭିୟରାଲ ଷ୍ଟିଡି ଲାଗି ଏଫବିଆଇର ସହାୟତା ନିଆଯାଏ। କିନ୍ତୁ ନବ ଦାସଙ୍କ ହତ୍ୟା ଘଟଣାରେ ଗୋପାଳକୁ ଦୋଷୀ ଭାବେ ଚିହ୍ନଟ କରାଯାଇସାରିଛି। ଏଥିରେ ଏଫିବିଆଇ ତଦନ୍ତର କୌଣସି ମାନେ ନାହିଁ, ଏଥିରୁ କୌଣସି ଲାଭ ହେବ ନାହିଁ।”

ପ୍ରକାଶ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସେ ପୂର୍ବରୁ ଏଫବିଆଇ ସହ କାମ କରିଛନ୍ତି। ଏଥିରେ ରହିଥିବା ଆଇନକାନୁନ ସମ୍ପର୍କରେ ସେ ବେଶ ଅବଗତ। ଗୋପାଳକୁ ମାନସିକ ରୋଗୀ ଭାବେ ପ୍ରମାଣିତ କରିବାକୁ ପ୍ରୟାସ ଚାଲିଛି। କାରଣ ଜଣେ ମାନସିକ ରୋଗୀ ହତ୍ୟାକାରୀ ସାବ୍ୟସ୍ତ ହେଲେ ମଧ୍ୟ ତା’ର ଦଣ୍ଡ କୋହଳ ହେବାର ନିୟମ ରହିଛି। ଏ କ୍ଷେତ୍ରରେ ସେମିତି କିଛି ପ୍ରୟାସ ଚାଲିଥିବା ସେ କହିଛନ୍ତି।

ମୃତ୍ୟୁ ସମୟକୁ ନେଇ ପ୍ରଶ୍ନ

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରଠାରୁ ବିରୋଧୀ ଦଳ ପକ୍ଷରୁ ବାରମ୍ବାର ମୃତ୍ୟୁ ସମୟକୁ ନେଇ ପ୍ରଶ୍ନ ଉଠୁଛି। ବିଜେପି ନେତା ପ୍ରକାଶ ମିଶ୍ର ଆଜି ପୁଣି ସମାନ କଥା ଉଠାଇଛନ୍ତି। ସେ କହିଛନ୍ତି, “ମୋର ଯାହା ଅଭିଜ୍ଞତା ରହିଛି, ଜଣେ ବ୍ୟକ୍ତିର ହୃତପିଣ୍ଡକୁ ଗୁଳିବାଜିବାର ୨ରୁ ୩ ମିନିଟ ମଧ୍ୟରେ ତା’ର ମୃତ୍ୟୁ ହୋଇଯାଏ। କିନ୍ତୁ ନବ ଦାସଙ୍କୁ ଦିନ ୧୨ଟାରେ ଗୁଳି କରାଯାଇଥିବାବେଳେ ସନ୍ଧ୍ୟା ୭ଟାରେ ତାଙ୍କୁ ମୃତ ଘୋଷଣା କରାଗଲା। ଯାହାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି।”

“ଗୁଳିମାଡ଼ ପରେ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡ଼ା ହସ୍ପିଟାଲ ନିଆଗଲା। ତା’ ପରେ ସେଠାରୁ ଏୟାର ଲିଫ୍ଟ କରି ତାଙ୍କୁ ଭୁବେନଶ୍ଵର ଆଣାଗଲା। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କୁ ମୃତ ଘୋଷଣା କରାଗଲା। ଭୁବେନଶ୍ଵର ପହଞ୍ଚିବା ପର୍ଯ୍ୟନ୍ତ ନବ ଦାସ ଜୀବିତ ଥିଲେ କି?” ପ୍ରଶ୍ନ ଉଠାଇଛନ୍ତି ପ୍ରକାଶ ମିଶ୍ର।

ବିଳମ୍ବରେ ମୃତ୍ୟୁ ସମୟ ଘୋଷଣା କରାଯିବା ନେଇ ତଦନ୍ତ ହେଉଛି କି ବୋଲି ମଧ୍ୟ ସେ ପଚାରିଛନ୍ତି। ସେ ଆହୁରି କହିଛନ୍ତି ଯେ, ମନ୍ତ୍ରୀଙ୍କ ଛାତିରେ ଯେଉଁ ଗୁଳି ବାଜିଥିଲା ତାହା ମିଳିନଥିବା କୁହାଯାଉଛି। ସବୁ କ୍ଷେତ୍ରକୁ ଦେଖିଲେ ତଦନ୍ତ ପ୍ରକ୍ରିୟା ଠିକ୍ ବାଟରେ ଯିବାଭଳି ମନେ ହେଉ ନାହିଁ ବୋଲି ସେ କହିଛନ୍ତି। ବାରମ୍ବାର ବିଜେପି ପକ୍ଷରୁ ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଉଥିଲେ ମଧ୍ୟ ସରକାର କାହିଁକି ଶୁଣୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ଲାଗି ଦାବି କରିଛନ୍ତି ପ୍ରକାଶ ମିଶ୍ର।

Tags: #Politics #OdishaPolitics #NabaDasMurderCase #GopalDas #FormerDGPPrakashMishra

LEAVE A REPLY

Please enter your comment!
Please enter your name here