ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଟୁରିଜିମ୍‌ କନକ୍ଲେଭର ପଞ୍ଚମ ସଂସ୍କରଣରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ମାନସ ମନ୍ଥନ।

‘‘ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏନେଇ ନିକଟରେ ଶେଷ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଓଡିଶା ପର୍ଯ୍ୟଟନ ନୀତି-୨୦୨୩ ଉନ୍ମୋଚନ କରାଯାଇଛି। ଏହାକୁ ଆଧାର କରି ଓଡ଼ିଶାର ୧୫ଟି ପର୍ଯ୍ୟଟନ ସ୍ଥଳର ସମନ୍ୱିତ ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି’’, ଓଡ଼ିଶା ଟୁରିଜିମ କନକ୍ଲେଭର ପଞ୍ଚମ ସଂସ୍କରଣ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ ନେବା ଲାଗି ଗୁରୁବାର ଦିନ ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଆୟୋଜିତ ହୋଇଛି ‘ଓଡ଼ିଶା ଟୁରିଜିମ୍‌ କନକ୍ଲେଭ-୨୦୨୩’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ‘ବ୍ରାଣ୍ଡ ଓଡ଼ିଶା’କୁ ଆଗକୁ ନେବା ଲାଗି ଆହ୍ୱାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ‘‘ଓଡ଼ିଶାକୁ ଏକ ପର୍ଯ୍ୟଟନ ହବରେ ପରିଣତ କରିବା ଲାଗି ଲକ୍ଷ୍ୟ ରହିଛି। ଏଥିପାଇଁ ସ୍ଥାୟୀ ଭିତ୍ତିଭୂମି ଉନ୍ନୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହା ଫଳରେ ସ୍ଥାନୀୟ ଲୋକମାନଙ୍କର ଜୀବିକା ସୁନିଶ୍ଚିତ ହେବା ସହ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବିଶ୍ୱ ସ୍ତରରେ ଏକ ନୂଆ ପରିଚୟ ପାଇ ପାରିବ।’’

ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଏହି ଦିନିକିଆ କନକ୍ଲେଭ୍‌ ଆୟୋଜନ କରାଯାଇଛି।

ରାଜ୍ୟସଭା ସାଂସଦ ସୁଜିତ କୁମାର, ଓଡ଼ିଶା ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସର ସଭାପତି ରାଜୀବ ମେହରା, ଏଚଆରଏଓ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

 “ଦେଶ ଏବଂ ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବାରେ ପର୍ଯ୍ୟଟନ କ୍ଷେତ୍ରର ବିଶେଷ ଯୋଗଦାନ ରହିଛି। ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବାରୁ ଏଠାକୁ ଆସିବା ଲାଗି ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁଛି। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କନକ୍ଲେଭ ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗେଇ ନେବ”, କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର।

ଓଡ଼ିଶା ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଉଦଘଟନୀ ଉତ୍ସବରେ ଯୋଗ ଦେଇ କହିଥିଲେ ଯେ, ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଭଲ ଅନୁଭୂତି ମିଳିଲେ ସେମାନେ ଓଡ଼ିଶାର ପର୍ଯ୍ୟଟନ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇବେ। ଓଡ଼ିଶା ବିଷୟରେ ଅଧିକରୁ ଅଧିକ ଲୋକ ଜାଣିବାକୁ ପାଇବେ ଏବଂ ଏଠାକୁ ପର୍ଯ୍ୟଟକ ଆସିବାକୁ ଆଗ୍ରହ ପ୍ରକାଶ କରିବେ।

ଏହି କନକ୍ଲେଭରେ ଓଡ଼ିଶା ଟୁରିଜିମ କନକ୍ଲେଭର ପଞ୍ଚମ ସଂସ୍କରଣରେ ହୋଟେଲ ମାଲିକ, ଟୁର୍ ଅପରେଟର୍ସ, ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ମିଡିଆ, ଡିଜିଟାଲ ମାର୍କେଟିଂ, ଏୟାରଲାଇନ୍ସ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ଏହି କନକ୍ଲେଭରେ ହୋଇଥିବା ବିଭିନ୍ନ ଟେକନିକାଲ ସେସନରେ ସାମିଲ ହୋଇ ନିଜର ମତ ରଖିଥିଲେ।

 “ପର୍ଯ୍ୟଟନର ବିକାଶ ଲାଗି ଏବେ କ୍ରୀଡ଼ା ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ବର୍ତ୍ତମାନ ସ୍ପୋର୍ଟସ ଟୁରିଜିମ ବିଭିନ୍ନ ଦେଶରେ ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ପରିଚୟ ଦେଇଛି। ଏ କ୍ଷେତ୍ରରେ ଓଡ଼ିଶାକୁ ମଧ୍ୟ ଆଖିଦୃଶିଆ ସଫଳତା ମିଳିଛି। ନିକଟରେ ଓଡ଼ିଶା ବିଶ୍ଵକପ ହକିର ଆୟୋଜନ କରି ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଛି”, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଏଚଆରଏଓର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜିତେନ୍ଦ୍ର କୁମାର ମହାନ୍ତି କହିଥିଲେ “ପର୍ଯ୍ୟଟନ ଶିଳ୍ପ ଦେଶର ଆର୍ଥିକ ବିକାଶର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦେଶର ଅଗ୍ରଗତିରେ ସହାୟକ ହୋଇଥାଏ। ସରକାର ପର୍ଯ୍ୟଟନକୁ ଏକ ପ୍ରାଥମିକ କ୍ଷେତ୍ର ଭାବରେ ଘୋଷଣା କରିବାର ଆବଶ୍ୟକତା ରହିଛି। ଭାରତରେ ପର୍ଯ୍ୟଟନକୁ ଆହୁରି ଆଗକୁ ନେବା ପାଇଁ ସବୁ ଅଂଶୀଦାରଙ୍କ ତରଫରୁ ଉଦ୍ୟମ ହେବା ଜରୁରୀ। ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ମୁମ୍ବାଇସ୍ଥିତ ବିଶ୍ଵ ବାଣିଜ୍ୟ କେନ୍ଦ୍ରରେ ପର୍ଯ୍ୟଟନର ଏକ ସାଖା ଖୋଲାଯିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ପର୍ଯ୍ୟଟନକୁ ଆହୁରି ବିକଶିତ କରିବା ପାଇଁ ଗଞ୍ଜାମ ତଥା ଅନ୍ୟ ସହରଗୁଡ଼ିକରେ ବିମାନବନ୍ଦର ଓ ଅନ୍ୟ ଭିତ୍ତିଭୂମିର ବିକାଶ କରିବାକୁ ପଡ଼ିବ।’’

ଓଡ଼ିଶା ଟୁରିଜିମ କନକ୍ଲେଭ-୨୦୨୩ରେ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ ତାଜ ହୋଟେଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ପୁନୀତ ଚଟୁଓ୍ଵାଲ। ଏହି ଅବସରରେ ସେ କହିଥିଲେ, “ଭାରତର ଅର୍ଥନୀତିରେ ପର୍ଯ୍ୟଟନ ଶିଳ୍ପର ୭.୫ ପ୍ରତିଶତ ଯୋଗଦାନ ରହିଛି। ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ୧୦ ପ୍ରତିଶତ ପ୍ରତ୍ୟକ୍ଷ ନିଯୁକ୍ତି ସୁବିଧା ରହିଛି। ଆସନ୍ତା ୨୦୪୭ ମସିହା ସୁଦ୍ଧା ପର୍ଯ୍ୟଟନ କ୍ଷେତ୍ର ୩ ଟ୍ରିଲିୟନ ଡଲାର ବିଶିଷ୍ଟ ଏକ ବୃହତ ଶିଳ୍ପରେ ପରିଣତ ହେବା ନେଇ ଆଶା ରହିଛି।”

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ଏହି କନକ୍ଲେଭର ଡିଜିଟାଲ ମିଡିଆ ପାର୍ଟନର ରହିଛି।

Tags: #HRAO #OdishaTourismConclave2023 #Bhubaneswar #Hotel&RestaurantAssociation #InauguralSession

Comment