ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭୁବନେଶ୍ଵରରେ ଆୟୋଜିତ ହେଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍-୨୦୨୩’। ଗୁରୁବାର ସ୍ୱସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ ହେଉଥିବା ଏହି କନକ୍ଲେଭରେ ୨ଟି ପର୍ଯ୍ୟାୟରେ ୫ଟି ଟେକ୍ନିକାଲ ସେସନ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଥିବା ସମ୍ଭାବନା ଓ ଉନ୍ନତି ସମ୍ପର୍କରେ ବିଶେଷ ଆଲୋଚନା କରାଯିବ। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଏହାର ଆୟୋଜନ କରାଯାଉଛି।

କନକ୍ଲେଭର ଉଦଘାଟନ ହେବାପରେ ପ୍ରଥମ ସେସନ ଦିନ ୧୧ଟା ସମୟରେ ଆରମ୍ଭ ହେବ। ‘ମାର୍କେଟିଂ ଡେଷ୍ଟିନେସନ ଓଡ଼ିଶା’ ବିଷୟବସ୍ତୁକୁ ନେଇ ହେବାକୁ ଥିବା ଏହି ସେସନରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ତଥା ଓଡ଼ିଶାକୁ ଅଧିକ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିବା ସମ୍ବନ୍ଧରେ ଆଲୋଚନା କରାଯିବ।

ଏହାପରେ ୧୧ଟା ୪୫ ସମୟରେ ପୂର୍ବ ଭାରତରେ ପର୍ଯ୍ୟଟନର ବିକାଶକୁ ନେଇ ଦ୍ଵିତୀୟ ଟେକ୍ନିକାଲ ସେସନ ଆୟୋଜିତ ହେବ। ପ୍ରଥମ ଦୁଇଟି ସେସନ ପରେ ତୃତୀୟ ସେସନରେ ଓଡ଼ିଶାରେ ଇକୋ ଟୁରିଜିମର ବିକାଶକୁ ନେଇ ଚର୍ଚ୍ଚା ହେବ।

ଗୁରୁବାର କନକ୍ଲେଭର ଦ୍ଵିତୀୟ ଭାଗରେ ହେବକୁ ଥିବା ସେସନରେ ଓଡ଼ିଶାର ଆତିଥ୍ୟ କ୍ଷେତ୍ର, ପର୍ଯ୍ୟଟନ ପାଇଁ ବିଭିନ୍ନ ଭିତ୍ତିଭୂମିର ବିକାଶ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ବିଷୟରେ ଆଲୋଚନା କରାଯିବ।

‘ଓଡ଼ିଶା ଟୁରିଜମ କନକ୍ଲେଭ’ର ଏହି ଆଲୋଚନା ଚକ୍ର ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ, ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରର ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ଅଂଶୀଦାରମାନଙ୍କୁ ଏକାଠି କରିବାରେ ସହାୟକ ହେବ।

କନକ୍ଲେଭର ଉଦଯାପନୀ ସଭାରେ ବିଭିନ୍ନ ଅଂଶୀଦାର ତଥା ବିଶେଷଜ୍ଞଙ୍କ ପରାମର୍ଶକୁ ଆୟୋଜକ ଏଚଆରଏଓ ପକ୍ଷରୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସମ୍ମୁଖରେ ରଖାଯିବ। ଏହା ସରକାରଙ୍କୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ପଦକ୍ଷେପ ନେବାରେ ସହାୟ ହେବ।

Tags: #HRAO #OdishaTourismConclave2023 #Bhubaneswar #Hotel&RestaurantAssociation

Comment