ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ରୂପ ନେବାକୁ ଯାଉଛି ବିଜୁ ବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ। ଡାକୋଟାର ମରାମତି ସହ ରଙ୍ଗ ଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ ୫ ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।

ଗତ ଜାନୁଆରି ୧୮ ତାରିଖରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ‘ଡାକୋଟା’କୁ ଭୁବନେଶ୍ଵର ଅଣାଯାଇଥିଲା। କୋଲକାତାରୁ ୩ଟି ଲରିରେ ଭୁବନେଶ୍ଵର ଆସିଥିଲା ବିଜୁ ବାବୁଙ୍କ ‘ଡାକୋଟା’ ବିମାନ। ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଏହି ବିମାନଟି କୋଲକାତାରେ ରହିଥିଲା।

କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି। ଡାକୋଟାର ମୁଖ୍ୟ ଯନ୍ତ୍ରାଂଶ ସହ ଦୁଇଟି ଚକ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପତି କରାଯାଇଛି। ଆସନ୍ତା ସୋମବାର ସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ।

୫୦ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି। ଏବେ ଏହାର ମରାମତି ସାଙ୍ଗକୁ ରଙ୍ଗ ଦିଆ କାମ ଚାଲିଛି। ମାର୍ଚ୍ଚ ୫ ତାରିଖ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ରଖାଯିବ।

Tags: #Dakota #BijuPatnaik #BijuBabu #Bhubaneswar

Comment