ଓଡ଼ିଶାଲାଇଭ୍ ବ୍ୟୁରୋ

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଛତିଶଗଡ଼ର ରାଜଧାନୀ ରାୟପୁରଠାରେ ଚାଲିଥିବା କଂଗ୍ରେସର ମହାଅଧିବେଶନରେ ସୋନିଆ ଦେଇଥିବା କିଛି ସଙ୍କେତ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଅଭିଭାଷଣରେ ସୋନିଆ ଗାନ୍ଧୀ ନିଜ ରାଜନୈତିକ ଯାତ୍ରା ସମ୍ପର୍କରେ କହିବା ସହ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମୟରେ ସୋନିଆ ଗାନ୍ଧୀଙ୍କ ରାଜନୈତିକ ଯାତ୍ରା ଏବଂ କଂଗ୍ରେସ ପାଇଁ ତାଙ୍କର ଅବଦାନକୁ ନେଇ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ଏହା ପରେ ଅଭିଭାଷଣ ରଖିଥିଲେ ସୋନିଆ। ତାଙ୍କ ଅଭିଭାଷଣ ପରେ ସୋନିଆ ସକ୍ରିୟ ରାଜନୀତିରୁ ଅବସର ନେବାକୁ ଯାଉଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୋନିଆ ନିଜ ଭାଷଣରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଉଚ୍ଚପ୍ରଶଂସା କରିବା ସହ ଏହି ଯାତ୍ରା କଂଗ୍ରେସ ଦଳ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୧୯୯୮ ମସିହାରେ କଂଗ୍ରେସ ଅଧ୍ୟକ୍ଷା ପଦବୀ ସମ୍ଭାଳିବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ବର୍ଷର ଲମ୍ବା ଯାତ୍ରା ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଏହାରି ମଧ୍ୟରେ ତାଙ୍କୁ ଅନେକ ଆଶା ଏବଂ ନିରାଶା ଦେଖିବାକୁ ମିଳିଛି।

ସୋନିଆ ଗାନ୍ଧୀ ୨୦୦୪ ଏବଂ ୨୦୦୯ ମସିହା ଲୋକସଭା ନିର୍ବାଚନରେ ମନମୋହନ ସିଂହଙ୍କ ନେତୃତ୍ଵରେ ମିଳିଥିବା ବଡ଼ ବିଜୟ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହା ତାଙ୍କୁ ବ୍ୟକ୍ତିଗତ ଭାବେ ଆତ୍ମସନ୍ତୋଷ ପ୍ରଦାନ କରିଥିଲା ବୋଲି କହିଛନ୍ତି ସୋନିଆ।

ସୋନିଆ ଗାନ୍ଧୀଙ୍କ ଅଭିଭାଷଣ ପରେ ରାଜନୀତିରୁ ସେ ସନ୍ନ୍ୟାସ ନେବା କଥା ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ସୋନିଆଙ୍କର କିଛି ସହଯୋଗୀ ଏବଂ ଛତିଶଗଡ଼ର କଂଗ୍ରେସ ପ୍ରଭାରୀ କୁମାର ସୈଲଜା ଏହା ଉପରେ ସଫେଇ ଦେଇଛନ୍ତି। ସୋନିଆ ଅଧ୍ୟକ୍ଷା ପଦବୀ ସମ୍ପର୍କରେ ନିଜ ଅଭିଜ୍ଞତା ବାଣ୍ଟୁ ଥିଲେ ବୋଲି ସେମାନେ କହିଛନ୍ତି।

Tags: #Politics #IndianPolitics #SoniaGandhi #PoliticalCareer

Comment