ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮ ମସିହାରେ କୁଅଁରକେଲା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ମଙ୍ଗଳବାର ଦିନ ଦୋଷୀ ବିରୋଧରେ ସଜା ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ। କୁଅଁରକେଲା ଗ୍ରାମର ତେଜ କୁଅଁରଙ୍କୁ ହତ୍ୟା କରିବା ଅଭିଯୋଗରେ ସେହି ଗ୍ରାମର ଭ୍ରମର କୁଅଁରକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରା ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

ଗତ ୨୦୧୮ ମସିହା ଜୁନ ୯ ତାରିଖରେ କୁଅଁରକେଲା ଗ୍ରାମର ଭ୍ରମର କୁଅଁର ସେହି ଗାଁର କୁଚିଆ କୁଅଁରଙ୍କ ଘର ଆଗରେ ଖରାପ ଭାଷାରେ ଗାଳିଗୁଲଜ କରୁଥିଲା। ଏପରି ନକରିବାକୁ କୁଚିଆ ବାରଣ କରିବାକୁ ଭ୍ରମର ରାଗି ଯାଇ ଧରିଥିବା ଏକ ଫାଉଡ଼ାରେ କୁଚିଆଙ୍କୁ ଆକ୍ରମଣ କରିବାକୁ ଦୌଡ଼ି ଥିଲା। ଡରରେ ଘର ଭିତରକୁ ପଳାଇଥିଲେ କୁଚିଆ।

କିଛି ସମୟ ପରେ କୁଚିଆଙ୍କ ବଡ଼ ଭାଇ ତେଜ କୁଅଁର ଗାଁ ଦାଣ୍ଡରେ ଯାଉଥିବାବେଳେ ଭ୍ରମର ତାଙ୍କୁ ଘରକୁ ଡାକିଥିଲା, କିନ୍ତୁ ସେ ମନା କରିବାରୁ ଏଥିରେ ରାଗି ଯାଇ ଭ୍ରମର ଏକ ଫାଉଡ଼ାରେ ତେଜଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ତେଜଙ୍କ ମୁଣ୍ଡରେ ଶକ୍ତ ଚୋଟ ଲାଗିବାରୁ ସେ ଅଚେତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ଚିତ୍କାର ଶୁଣି ତାଙ୍କ ଭାଇ କୁଚିଆ ଘଟଣାସ୍ଥଳରେ ପହଞ୍ଚି ତେଜଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ କୁଚିଆ ହେମଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏହି ମାମଲାରେ ଆଜି ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ମୋଟ ୨୧ ଜଣଙ୍କ ସକ୍ଷ୍ୟ ପ୍ରମାଣକୁ ଆଧାର କରି ଦୋଷୀ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି।

Tags: #Sundargarh #MurderCase #CourHearing #Jail

Comment