ଓଡ଼ିଶାଲାଇଭ୍ ବ୍ୟୁରୋ

ଅଫେରା ରାଇଜକୁ ଚାଲିଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ସବୁ ଚରିତ୍ରରେ ଫିଟ ହେଉଥିବା ପିଣ୍ଟୁଙ୍କ ଅଭିନୟ ପରଦାରେ ଆଉ ଦେଖିବାକୁ ମିଳିବନି।

ଜୀବନ ଯୁଦ୍ଧରେ ହାରିଗଲେ ଓଡ଼ିଆ ସିନେମାର ଲୋକପ୍ରୟି ଅଭିନେତା ପିଣ୍ଟୁ ନନ୍ଦ। କମେଡି ହେଉ କି ଖଳ ଚରିତ୍ର ସବୁଥିରେ ତାଙ୍କ ଅଭିନୟର ଦମ୍ ରହିଥିଲା ଭରପୂର। ପିଣ୍ଟୁ ନନ୍ଦଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତୁଥିଲା। ୧୯୭୭ ମସିହା ଜୁଲାଇ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ପିଣ୍ଟୁ ନନ୍ଦ।

‘କୋଇଲି’ରୁ ଓଲିଉଡ ଯାତ୍ରା ଆରମ୍ଭ

ପିଣ୍ଟୁ ଜଗତସିଂହପୁରର ଏସ୍. କେ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପିଣ୍ଟୁ ନନ୍ଦ ପ୍ରଥମେ ଦୂରଦର୍ଶନ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘କୋଇଲି’ ଜରିଆରେ ଓଲିଉଡରେ ପାଦ ଦେଇଥିଲେ।

‘ଏ ଗଉରା…’ ଆଲବମ୍ ଦେଲା ପରିଚୟ

ପିଣ୍ଟୁ ନନ୍ଦ ଅନେକ ଆଲବମରେ ଅଭିନୟ କରି ସଫଳତା ହାସଲ କରିଛନ୍ତି। ‘ଏ ଗଉରା…’ ଆଲବମ୍ ପିଣ୍ଟୁଙ୍କୁ ଦେଇଥିଲା ସ୍ଵତନ୍ତ୍ର ପରିଚୟ। ଅନେକ ଚଳଚ୍ଚିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା। ‘ରାମ ଲକ୍ଷ୍ମଣ’, ‘ତୋ ଆଖି ମୋ ଆଇନା’, ‘ରଙ୍ଗ୍ ନମ୍ବର’, ‘ବାହୁଡ଼ିବେ ମୋ ଜଗା ବଳିଆ’, ‘ଓ ମାଇଁ ଲଭ୍’, ‘ଆଇ ଲଭ୍ ୟୁ’,‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ପ୍ରେମ ରୋଗୀ’, ‘ଜୟ ଜଗନ୍ନାଥ’, ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ମିତରେ ମିତ’, ‘ମୁଁ କ’ଣ ଏତେ ଖରାପ’, ‘ସ୍ୱୟଂସିଦ୍ଧା’, ‘ପ‌ହିଲି ରଜ’, ‘ପ୍ରେମ ଅଢ଼େଇ ଅକ୍ଷର’, ‘ଦୋସ୍ତି’, ‘ଶପଥ’, ‘ଗୁଡ୍ ବୟ’, ‘ଲଭ୍ ମାଷ୍ଟର’, ‘ହରି ଓମ ହର’, ‘ଡାହା ବାଳୁଙ୍ଗା’, ‘ସୁନା ପିଲା ଟିକେ ସ୍କୃ ଢିଲା’ ଆଦି ସିନେମାରେ ଅଭିନୟ କରିଥିଲେ ପିଣ୍ଟୁ ନନ୍ଦ।

ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗ୍ ନମ୍ବର’ ପାଇଁ ପିଣ୍ଟୁଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା। ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରି ଖୁବ ପ୍ରଶଂସା ସାଉଣ୍ଟି ଥିଲା ସେ। ଚଳଚ୍ଚିତ୍ର ଏବଂ ଆଲବମ ସହ ସେ ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରିଛନ୍ତି। ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମରେ ଉପସ୍ଥାପନା କରି ଲୋକପ୍ରିୟତା ହାସଲ କରିଛନ୍ତି ପିଣ୍ଟୁ ନନ୍ଦ।

Tags: #PintuNanda #OdiaCinemaActor #Death #LiverCirrhosis #Treatment

Comment