ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଏହି ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ଶେଷ ହୋଇ ତା’ର ଫଳାଫଳ ଆସିଯାଇଛି। ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଜେପି ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିଥିବାବେଳେ ମେଘାଳୟରେ ବିଜେପିର ପୁରୁଣା ସହଯୋଗୀ କୁହାଯାଉଥିବା ଏନପିପି ଏବେ ବଡ଼ ପାର୍ଟି ହୋଇ ଠିଆ ହୋଇଛି। ଏନପିପି ମେଘାଳୟରେ ସରକାର ଗଢ଼ିବାରେ ବିଜେପି ସମର୍ଥନ କରିବା ନେଇ ଚର୍ଚ୍ଚା ହେଉଛି।

ଆସିଲା ଫଳଫଳ, କିଏ ହେବେ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ?

ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ତିନି ରାଜ୍ୟର କିଏ ହେବେ ମୁଖ୍ୟମନ୍ତ୍ରୀ? ପୁରୁଣା ଚେହେରା ଉପରେ ଦଳ ଭରସା କରିବ ନା, ନୂଆ ଚେହେରାକୁ ସୁଯୋଗ ମିଳିବ ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ତ୍ରିପୁରାରେ ମାଣିକ ଶାହ ଗଢ଼ିବେ ସରକାର!

୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରଥମ ଥର ଲାଗି ତ୍ରିପୁରାରେ ସରକାର ଗଢ଼ିଥିଲା। ସେତେବେଳେ ଦଳର ରାଜ୍ୟ ସଭାପତି ଥିବା ବିପ୍ଲବ କୁମାର ଦେବଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଚଳିତ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ବିପ୍ଲବ କୁମାର ଦେବଙ୍କ ସ୍ଥାନରେ ମାଣିକ ଶାହଙ୍କୁ ତ୍ରିପୁରାର କମାଣ ସମ୍ଭାଳିବାକୁ ଦାୟିତ୍ଵ ଦିଆଯାଇଥିଲା।

ଚଳିତ ନିର୍ବାଚନରେ ବିଜେପି ୩୩ଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଏହା ସହିତ ଟିପରା ମୋଥା ୧୩ଟି ଆସନରେ ଜିତିଛି।

ନିର୍ବାଚନ ପ୍ରଚାର ସମୟରେ ମାଣିକ ଶାହ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିସାରିଛନ୍ତି। ତେଣୁ ମାଣିକ ଶାହ ତ୍ରିପୁରା ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଏହି ନିର୍ବାନରେ ତ୍ରିପୁରାର ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମା ନିର୍ବାଚନ ହାରିଯାଇଥିବାରୁ ତାଙ୍କ ସ୍ଥାନରେ ପ୍ରତିମା ଭୌମିକଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। କେନ୍ଦ୍ର ମନ୍ତ୍ରୀ ଥିବା ପ୍ରତିମା ଭୌମିକ ବିଜେପି ଟିକେଟରୁ ଧାନପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ବିଜେପି ସରକାର ଗଢ଼ିଲେ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଟିପରା ମୋଥାର ମୁଖ୍ୟ ପ୍ରଦ୍ୟୋତ ଦେବବର୍ମା।

ନାଗାଲାଣ୍ଡରେ ନେଫ୍ୟୁ ରିୟୋ ଆଶାୟୀ

ଚଳିତ ଥର ନାଗାଲାଣ୍ଡର ୫୯ଟି ବିଧାନସଭା ଆସନରେ ନିର୍ବାଚନ ହୋଇଛି। ମୋଟ ୬୦ଟି ଆସନ ମଧ୍ୟରୁ ଆକୁଲୁଟୋ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କାଜହେଟୋ କିମ୍ମୀ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ତେଣୁ ଏଠାରେ ନିର୍ବାଚନ ହୋଇନଥିଲା। ଭାରତୀୟ ଜନତା ପାର୍ଟି ଏବଂ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ମଧ୍ୟରେ ମେଣ୍ଟ ହୋଇଛି। ଏନଡିପିପି ୨୫ ଟି ଏବଂ ବିଜେପି ୧୨ଟି ଆସନରେ ବିଜୟୀ ହୋଇଛି।

୨୦୧୮ ମସିହାରେ ଏନଡିପିପି ମୋଟ ୬୦ଟି ବିଧାନସଭା ଆସନରେ ବିଜୟ ହାସଲ କରିବା ସହ ନେଫ୍ୟୁ ରିୟୋ ହୋଇଥିଲେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ। ଚଳିତ ବିଧାସଭା ନିର୍ବାଚନରେ ବିଜେପି ଏବଂ ଏନଡିପିପି ମେଣ୍ଟ ପୂର୍ବ ବହୁମତ ସହିତ ନାଗାଲାଣ୍ଡରେ ସରକାର ଗଢ଼ିବାକୁ ଯାଉଛି। ଏଠାରେ କଂଗ୍ରେିସ ଏବଂ ଏନପିଏଫକୁ ବଡ଼ ଝଟକା ଲାଗିଛି। ଉଭୟ ଦଳଙ୍କୁ ଏହି ନିର୍ବାଚନରେ ନିରାଶ ହେବାକୁ ପଡ଼ିଛି।

ନେଫ୍ୟୁ ରିୟୋ ପୁନର୍ବାର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ରିୟୋଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି ବିଜେପି। ଏହି ନିର୍ବାଚନରେ ଜେଡିୟୁକୁ ୧ଟି, ଲୋକ ଜନଶକ୍ତି ପାର୍ଟିକୁ ୨ଟି ଆସନରେ ସଫଳତା ମିଳିପାରିଛି। ଲୋକ ଜନଶକ୍ତି ପାର୍ଟିର ବିଧାୟକ ଏନଡିପିପି ସରକାରରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

ମେଘାଳୟରେ ହେବ କୋନରାଡ ସଙ୍ଗମାଙ୍କ ସରକାର

ମେଘାଳୟରେ ଏନପିପି ଏବେ ବଡ଼ ଦଳ ହୋଇ ଉଭା ହୋଇଛି। ଏନପିପି ୨୬ଟି ବିଧାନସଭା ଆସନ ଜିତିଥି। ୟୁଡିପି ୧୧ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ୨ଟି ଆସନ ଜିତିଛି। ଏଚଏସପିଡିପି ଏବଂ ପିଡିପିର ଦୁଇ ଦୁଇ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ଏନପିପିକୁ ସରକାର ଗଢ଼ିବାରେ ବିଜେପି ଏବଂ ୟୁଡିପି ସମର୍ଥନ କରିବା ନେଇ ଚର୍ଚ୍ଚା ହେଉଛି।

ଏଚଏସପିଡିପି ଏବଂ ପିଡିପି ଓ ବିଜେପି ସମର୍ଥନରେ ଏନପିପି ସରକାର ଗଢ଼ିଲେ କୋନରାଡ ସଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Tags: #Politics #TripuraElection #AssemblyElection #NagalandElection #MeghalayElection #ElectionResult

Comment