ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ନେଇ ଗଠିତ ସଂଗଠନ ‘ଓଡ଼ିଶା ୱିମେନ ଇନ ମିଡିଆ’ (ଓଡବ୍ଲୁଏମ୍‌)’ର ଶୁଭାରମ୍ଭ ହୋଇଛି। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଉଦ୍ଦେଶ୍ୟ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ସଂଗଠନକୁ ବିଏମ୍‌ସି ମେୟର ସୁଲୋଚନା ଦାସ ଓ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମୀନତି ବେହେରା ଉଦ୍‌ଘାଟନ କରିବା ସହ ଏହାର ଲୋଗୋକୁ ଉନ୍ମୋଚନ କରିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ଵବିଦ୍ୟାଳୟ କ୍ୟାମ୍ପସ-୨ ଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସାମ୍ବାଦିକତାରୁ ଭୁବନେଶ୍ଵର ମହାନଗର ନିଗମର ମେୟର ହୋଇଥିବା ସୁଲୋଚନା ଦାସ ପୂର୍ବରୁ ଏହିଭଳି ଏକ ସଂଗଠନ ଗଠନ ପାଇଁ ସ୍ଵପ୍ନ ଦେଖିଥିବା କହିଥିଲେ। ସେ ନିଜ ସାମ୍ବାଦିକତା ଜୀବନର ଆହ୍ଵାନ, ସଂଘର୍ଷ ଓ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିବା ସହ ଏଭଳି ଏକ ସଂଗଠନ ଗଠନ ହୋଇଥିବାରୁ ତାଙ୍କର ବହୁ ଦିନର ସ୍ୱପ୍ନ ସାକାର ହେଲା ବୋଲି କହିଥିଲେ।

ଗଣମାଧ୍ୟମରେ କାର୍ଯ୍ୟରତ ମହିଳାମାନେ ନିଜ ନିଜ ସମସ୍ୟା ଏବଂ ବୃତ୍ତିଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିବା ସହ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଏବଂ ଲିଙ୍ଗଗତ ସମାନତାରେ କାର୍ଯ୍ୟ କରିବା ଆଦି ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିବା ଦରକାର ବୋଲି ସୁଲୋଚନା ଦାସ କହିଥିଲେ।

ଗଣମାଧ୍ୟମରେ କାର୍ଯ୍ୟରତ ମହିଳାମାନେ ନୈତିକ ମୂଲ୍ୟବୋଧକୁ ନଭୁଲି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ମହିଳା କମିଶନର ଅଧ୍ୟକ୍ଷା ମୀନତି ବେହେରା।

କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷା କସ୍ତୁରୀ ରାୟ, ଉପାଧ୍ୟକ୍ଷା ଶାରଦା ଲାହଙ୍ଗିର୍, ସମ୍ପାଦିକା ମୀନତି ସିଂହଙ୍କ ସହିତ ସଂଗଠନର ସଦସ୍ୟ ଏବଂ ଶତାଧିକ କାର୍ଯ୍ୟରତ ମହିଳା ଯୋଗ ଦେଇଥିଲେ।

Tags: #OdishaWomeninMedia #WorkingLadyJournalist #OWMTrust #MediaPlatform #WomenMediaProfessionals

Comment