ଓଡ଼ିଶାଲାଇଭ୍ ବ୍ୟୁରୋ

ଇଚ୍ଛାମୃତ୍ୟୁ କ’ଣ? ଏନେଇ ଭାରତରେ କେଉଁ ସବୁ ନିୟମ ରହିଛି କି? ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ରିପୋର୍ଟ।

ଯେତେବେଳେ ଶରୀରର ଯନ୍ତ୍ରଣା ଅସହ୍ୟ ହୋଇପଡ଼େ ସେତେବେଳେ ବଞ୍ଚିବାର ଆଶା ହରାଏ ମଣିଷ। ଯନ୍ତ୍ରଣାରେ ଛଟପଟ ଜୀବନରୁ ମୁକୁଳିବାକୁ ଆପଣାଏ ଅନେକ ବାଟ। କିଏ ଆତ୍ମହତ୍ୟାର ବାଟ ବାଛୁଥିବାବେଳେ ଆଉ କିଏ ଯନ୍ତ୍ରଣାରୁ ମୁକ୍ତି ପାଇଁ ଚାହେଁ ସମ୍ମାନଜନକ ‘ଇଚ୍ଛାମୃତ୍ୟୁ’।

‘ଇଚ୍ଛାମୃତ୍ୟୁ’ ଆଜି ବି ଏକ ଜଟିଳ ପ୍ରସଂଗ, ଯାହାକୁ ନେଇ ସାରା ବିଶ୍ଵରେ ଚାଲିଛି ବିଚାର ଏବଂ ବିତର୍କ। ଗତ ୫ ବର୍ଷ ହେଲା ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ଥିବା ଭୁବନେଶ୍ଵରର ଭାସ୍କର ବାରିକ ଏବେ ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ‘ଇଚ୍ଛମୃତ୍ୟୁ’ ଚାହୁଁଛନ୍ତି।

ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଭାସ୍କର ବାରିକ ୩ ବର୍ଷ ତଳେ ‘ଇଚ୍ଛାମୃତ୍ୟୁ’ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରିଥିଲେ। କେବଳ ସେତିକି ନୁହେଁ ସେ ରାଜ୍ୟପାଳଙ୍କୁ ମଧ୍ୟ ଚିଠିଲେଖି ଅନୁମତି ମାଗିଛନ୍ତି ନିଜ ଇଚ୍ଛାରେ ମରିବା ପାଇଁ। ଭୁବନେଶ୍ଵର କଳିଙ୍ଗ ନଗରଠାରେ ରହୁଥିବା ଭାସ୍କର ବାରିକ ‘ଇଚ୍ଛାମୃତ୍ୟୁ’କୁ ଆଇନ ସମ୍ମତ କରିବା ଲାଗି ଦାବି କରିଛନ୍ତି।

୧୯୭୩ ମସିହାରେ ମୁମ୍ବାଇର ଜଣେ ନର୍ସ ଅରୁଣା ସାନବାଗ ଦୁଷ୍କର୍ମର ଶିକାର ହେବା ପରେ କୋମାକୁ ଚାଲିଯାଇଥିଲେ। ଦୀର୍ଘ ୪୩ ବର୍ଷ ପର୍ଯ୍ୟନ୍ତ ସେ ଶର୍ଯ୍ୟାସାୟୀ ହୋଇ ପଡ଼ିରହିଲେ। ତାଙ୍କ ଜଣେ ବନ୍ଧୁ ଅରୁଣାଙ୍କୁ ଇଚ୍ଛାମୃତ୍ୟୁ ଦେବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ୨୦୧୫ ମସିହାରେ ଅରୁଣାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଅରୁଣାଙ୍କ ଦୀର୍ଘ ବର୍ଷର ଯନ୍ତ୍ରଣା ‘ଇଚ୍ଛାମୃତ୍ୟୁ’କୁ ଗୋଟିଏ ନୂଆ ଦିଗ ଦେଇଥିଲା।

୨୦୧୮ ମସିହାରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ଇଚ୍ଛାମୃତ୍ୟୁ’କୁ ନେଇ ଐତିହାସିକ ରାୟ ପ୍ରଦାନ କଲେ। ଏହି ରାୟରେ ‘ନିଷ୍କ୍ରିୟ ଇଚ୍ଛାମୃତ୍ୟୁ’କୁ ଅନୁମତି ଦେଲେ ଅଦାଲତ। ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ ଉଲ୍ଲେଖ କରିଥିଲେ ଯେ, ଦୂରାରୋଗରେ ପୀଡ଼ିତ ରୋଗୀ ଯଦି କୋମା ଭଳି ନିଷ୍କ୍ରିୟ ଅବସ୍ଥାରେ ରହିଥିବେ ତେବେ ତାଙ୍କଠାରୁ ଲାଇଫ ସପୋର୍ଟ ସିଷ୍ଟମକୁ କାଢ଼ି ନିଆଯାଇ ତାଙ୍କୁ ମୃତ୍ୟୁ ଦିଆଯାଇପାରିବ। ଉଭୟ ଡାକ୍ତର ଏବଂ ରୋଗୀଙ୍କ ପରିବାର ଲୋକଙ୍କ ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ଆଇଗତ ଭାବେ ଗ୍ରହଣୀୟ ହୋଇପାରିବ ବୋଲି ଅଦାଲତ କହିଛନ୍ତି।

ଭାରତରେ ‘ନିଷ୍କ୍ରିୟ ଇଚ୍ଛାମୃତ୍ୟୁ’କୁ ଆଇନ ସମ୍ମତି ମିଳିଥିବାବେଳେ ବର୍ତ୍ତମାନ ସୁଦ୍ଧା ‘ଆକ୍ଟିଭ ୟୁଥାନ୍ସିଆ’ ବା ‘ସକ୍ରିୟ ଇଚ୍ଛାମୃତ୍ୟୁ’ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ତେବେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଭାସ୍କର ବାରିକଙ୍କ ଭଳି ରୋଗୀମାନଙ୍କ ‘ଇଚ୍ଛାମୃତ୍ୟୁ’ ଆବେଦନ ଉପରେ ଆଲୋଚନା କରାଯିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।

ଏହା ଏକ ସମ୍ବେଦନଶୀଳ ବିଷୟ ହୋଇଥିବାରୁ ଏଥିପାଇଁ ଆଇନ ପ୍ରଣୟନ କରି ତାହାର କିଭଳି ଦୂରୁପଯୋଗ କରାନଯିବ ସେ ଭଳି ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।

ଭାରତରେ ଆକ୍ଟିଭ ୟୁଥେନସିଆକୁ ଅନୁମତି ଦେଇ ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷକୁ ଯନ୍ତ୍ରଣାହୀନ ଏବଂ ସମ୍ମାନଜନକ ମୃତ୍ୟୁ ଦିଆଯାଉ ବୋଲି ଦାବି କରିଛନ୍ତି ଭାସ୍କର ବାରିକ।

Tags: #Euthanasia #ActiveEuthanasia #PassiveEuthanasia #IchhaMrutyu #BhaskarBarik

LEAVE A REPLY

Please enter your comment!
Please enter your name here