ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଓଡ଼ିଶାରେ ପାଳନ ହେବେ ହୋଲି। ରଙ୍ଗର ଏହି ଉତ୍ସବ ପାଇଁ ଚଳଚଞ୍ଚଳ ସମଗ୍ର ରାଜ୍ୟ। ଏସବୁ ମଧ୍ୟରେ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ହୋଲି ଉତ୍ସବ ପାଇଁ ଭୁବନେଶ୍ଵରରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ପେଟ୍ରୋଲିଂ କରାଯିବ। ହୋଲିରେ ନିଶା ଦ୍ରବ୍ୟର ବିକ୍ରି ଉପରେ ପ୍ରତିବନ୍ଧ ଲଗାଯାଇଛି। ଏନେଇ ଭୁବନେଶ୍ଵର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ହୋଲି ଦିନ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ,ସାମ୍ପ୍ରଦାୟିକ ହିଂସା ଓ ବିଭିନ୍ନ ଅଘଟଣ ଆଦିକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହୋଲିରେ ଭୁବନେଶ୍ଵର ସହରରେ ପୋଲିସର ୬୦ଟି ଟିମ ପେଟ୍ରୋଲିଂ କରିବେ।

ହୋଲି ଦିନ ଭୁବନେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତିର ତଦାରଖ କରିବା ପାଇଁ ୪ ଜଣ ଅତିରିକ୍ତ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନଙ୍କୁ ସାହାଯ୍ୟ ପାଇଁ ୨୮ ଜଣ ଆଇଆଇସି, ୫୭ଜଣ ଏସଆଇ ଏବଂ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏମାନେ ସମସ୍ତେ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟ କରିବେ।

ଏହାଛଡ଼ା ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଫୋର୍ସ ମୁତୟନ କରାଯିବ। ହୋଲି ପାଇଁ ମଙ୍ଗଳବାର ରାତିରେ ପୋଲିସ ପକ୍ଷରୁ ବିଭିନ୍ନ ଗାଡ଼ିର ଚେକିଂ କରାଯିବ। ଭୁନନେଶ୍ଵରର ବିଭିନ୍ନ ଜନଗହଳି ସ୍ଥାନ, ପାର୍କ ତଥା ଡାକ୍ତରଖାନା ଗୁଡ଼ିକରେ ସୁରକ୍ଷାର ବ୍ୟପକ ବ୍ୟବସ୍ଥା କରାଯିବ।

 

ଅନ୍ୟପଟେ ହୋଲିରେ ନଦୀ, ପୋଖରୀରେ ବୁଡ଼ି ଲୋକ ପ୍ରାଣ ହରାଇବାର ଦେଖିବାକୁ ମିଳେ। ଏଥିଲାଗି ନଦୀ ପଠା ତଥା ପୋଖରୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ଵରର କୁଆଖଇ ନଦୀ, ଦୟା ନଦୀ, କେଦାରଗୌରି ପୋଖରୀ ଏବଂ ବିନ୍ଦୁ ସାଗର ଆଦି ସ୍ନାନଗୁଡ଼ିକରେ ପୋଲିସ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ନିୟୋଜିତ ହେବେ।

Tags: #Holi #SpecialGuidelines #LawandOrder #CommissioneratePolice #Bhubaneswar

Comment