ଓଡ଼ିଶାଲାଇଭ୍ ବ୍ୟୁରୋ

“ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଠିକ୍ ଭାବେ କରାଯାଉ ନାହିଁ। ଏହି ଘଟଣାକୁ ଚପାଇ ଦେବାକୁ ବଡ଼ ଷଡ଼ଯନ୍ତ୍ର ଚାଲିଛି। ନବ ବାବୁଙ୍କୁ ମଧ୍ୟ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡର ପରଦା ପଛର ନାୟକ ହେଉଛନ୍ତି ଦୁଇ ଜଣ ଅଣଓଡ଼ିଆ ଅଧିକାରୀ”, ଗୁରୁବାର ଦିନ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ବିଜୟ ମହାପାତ୍ର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଦୁଇ ଅଣଓଡ଼ିଆ ଅଧିକାରୀଙ୍କ ମଧ୍ୟରେ ଜଣେ ଆଇଏଏସ ଏବଂ ଜଣେ ଆଇପିଏସ ଅଧିକାରୀ ରହିଛନ୍ତି। ଯେଉଁମାନଙ୍କ ଇଙ୍ଗିତରେ ତଦନ୍ତକୁ ବ୍ୟାପକ କରାଯାଉ ନାହିଁ। ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ କେବଳ ଗୋପାଳ ପାଖରେ ସୀମିତ ହୋଇ ରହିଯାଇଛି ବୋଲି ସେ କହିଛନ୍ତି।

“ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା ତାଙ୍କ ପାଖ ଲୋକ ବେଶ ଭଲ ଭାବେ ଅବଗତ। ଏପରିକି ନବ ଦାସଙ୍କ ଅଞ୍ଚଳର କିଛି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଧମକ ଦିଆଯାଇଛି ଏହି ହତ୍ୟା ମାମଲାରେ ମୁହଁ ନଖୋଲିବାକୁ। ରାଜ୍ୟରେ ପୋଲିସ ବ୍ୟବସ୍ଥା ପୁରା ଡୁବି ଗଲାଣି। ସମ୍ପୃକ୍ତ ଅଧିକାରୀଙ୍କ ଅହଙ୍କାର ବଢ଼ିଗଲାଣି। ସେମାନେ ଜାଣି ରଖିବା ଉଚିତ ସନ୍ଦେହର ନିଆଁ ସହଜରେ ଲିଭେ ନାହିଁ”, କହିଛନ୍ତି ବିଜୟ ମହାପାତ୍ର। 

ଗତ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା। ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଚାନ୍ଧୀଛକ ଫାଣ୍ଡି ଏଏସଆଇ ଗୋପାଳ ଦାସକୁ ଗିରଫ କରାଗଲା।

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସରଗର ହୋଇଛି ରାଜ୍ୟ ରାଜନୀତି। ଘଟଣାର ୪୦ ଦିନ ପରେ ମଧ୍ୟ ଏହି ଘଟଣା ଉପରୁ ପରଦା ହଟି ନାହିଁ, କି ରାଜନୀତି ଥମୁ ନାହିଁ।

“ନବ ଦାସ ହତ୍ୟା ମାମଲାରେ ତଦନ୍ତ ଏକଚାଟିଆ ଭାବେ ଚାଲିଛି। ଏହି ହତ୍ୟାଘଟଣା ଷଡ଼ଯନ୍ତ୍ରକାରୀ ତଦନ୍ତକୁ ଶେଷ କରିଦେବା ଲାଗି ଚକ୍ରାନ୍ତ ଚଳାଇଛନ୍ତି। ସେଥିପାଇଁ ତଦନ୍ତ କେବଳ ଗୋପାଳ ଦାସଠାରେ ହିଁ ଅଟକି ରହିଛି। ବାରମ୍ବାର ବିଭିନ୍ନ ବିରୋଧୀ ଦଳ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ମଧ୍ୟ ଏହା ପ୍ରତି ରାଜ୍ୟ ସରକାର ଗୁରୁତ୍ଵ ନଦେଇ ଏଫବିଆଇ ତଦନ୍ତ କରାଯିବ ବୋଲି କହିଥିଲେ। ଏଫବିଆଇ ତଦନ୍ତ କୁଆଡ଼େ ଗଲା?”, ପ୍ରଶ୍ନ କରିଛନ୍ତି ବିଜେପି ବରିଷ୍ଠ ନେତା।

ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଅନେକ ଦକ୍ଷ ଅଧିକାରୀ ରହିଛନ୍ତି ଯେଉଁମାନେ ଅନେକ ହତ୍ୟା ଘଟଣାର ତଦନ୍ତ କରିଛନ୍ତି, କିନ୍ତୁ କ୍ରାଇମବ୍ରାଞ୍ଚକୁ କାହିଁକି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ଵ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ନବ ଦାସଙ୍କ ହତ୍ୟା ଘଟଣାର ମାତ୍ର କିଛି ଘଣ୍ଟା ପରେ ଅଭିଯୁକ୍ତ ଗୋପାଳର ମାନସିକ ଅବସ୍ଥା ଠିକ୍ ନଥିବା କୁହାଗଲା। ଗୋପାଳ ପାଇଁ ପାଗଳାମୀ ସ୍କ୍ରିପ୍ଟ ପ୍ରସ୍ତୁତ କରି ତାକୁ ପ୍ରଚାର କରାଗଲା। ଏବେ ଡାକ୍ତରୀ ଦଳ ଏବଂ କୋର୍ଟ ସ୍ପଷ୍ଟ କରିସାରିଲେଣି ଗୋପାଳ ପାଗଳ ନୁହେଁ। ତେବେ ଏହି ସ୍କ୍ରିପ୍ଟ ଲେଖାଯିବା ପଛରେ କାରଣ କ’ଣ ରହିଛି ବୋଲି ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବା ଲାଗି ସବୁ ଯୋଜନା କରାଯାଉଛି। ସେ କହିଛନ୍ତି ଛୋଟ ଛୋଟ ଘଟଣାରେ ପୋଲିସ ୧୨୦ ବି ଧାରା ଲଗାଉଛି। ନବ ଦାସ ହତ୍ୟା ମାମଲାରେ ଏହି ଧାରା ଲଗାଯାଇ ନାହିଁ। ଏହି ମାମଲାରେ ୧୨୦ ବି ଧାରା ଲଗା ଗଲେ ଅପରାଧିକ ଷଡ଼ଯନ୍ତ୍ରର ତଦନ୍ତ ହୋଇପାରିବ ବୋଲି ସେ କହିଛନ୍ତି।

ଯେଉଁ ଦିନ ପର୍ଯ୍ୟନ୍ତ ନବ ଦାସ ହତ୍ୟା ଘଟଣା ଉପରୁ ପରଦା ହଟି ନାହିଁ, ସେ ପର୍ଯ୍ୟନ୍ତ ସନ୍ଦେହ କମିବ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି।

Tags: #BijayMohapatra #NabaKishorDasMurderCase #GopalDas #Politics #Investigation

Comment