ଓଡ଼ିଶାଲାଇଭ୍‌ ବ୍ୟୁରୋ

୫-ଟି ସଚିବ ଭି.କେ ପାଣ୍ଡିଆନ‌ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ବଣାଇଁ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବିରମିତ୍ରପୁର ପୌରପାଳିକାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସେ ‘୫ଟି’ ଅଧୀନରେ ରୂପାନ୍ତରିତ ସରକାରୀ ହାଇସ୍କୁଲ ସହିତ ମିଶନ ଶକ୍ତି କାଫେ, ନିର୍ମାଣାଧୀନ ହକି ପ୍ରଶିକ୍ଷଣ କେନ୍ଦ୍ର  ଏବଂ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।

୫-ଟି ସଚିବ ପ୍ରଥମେ ଗୁରୁଣ୍ଡିଆ ବ୍ଲକରେ ରୂପାନ୍ତରିତ ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଣାଇଁର ବଇଦପାଲି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଲାଇବ୍ରେରି ଏବଂ କମ୍ପ୍ୟୁଟର ଲ୍ୟାବ ଆଦି ବୁଲି ଦେଖିଥିଲେ।

ଏହାପରେ ସେ ଲହୁଣୀପଡା ବ୍ଲକର ତୁମକେଲାଠାରେ ନିର୍ମାଣଧୀନ ବିଜୁସେତୁ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ହେବା ଫଳରେ ୪୦ ହଜାର ଗ୍ରାମବାସୀ ଉପକୃତ ହେବେ। ଏହାପରେ  ସେ ବଣାଇଁର ବାବା ବାଣେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଆରଡିଡି ହାଇସ୍କୁଲ ପଡିଆରେ ନିର୍ମାଣ ଦିନ ହକି ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ଖେଳାଳିମାନଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରିଥିଲେ।

ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟସ୍ଥ ‘ମିଶନ ଶକ୍ତି କାଫେ’ ପରିଦର୍ଶନ କରିଥିଲେ। ଏହି କାଫେ ପରିଚାଳନା ଦାୟିତ୍ୱରେ ରହିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ବିଷୟରେ ପଚାରି ବୁଝିଥିଲେ। ସେହିପରି କୋଇଡ଼ାର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇ କଲେଜ, ସୁଦକ୍ଷ କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହିତ କଥା ହୋଇଥିଲେ। ଏହାପରେ ବିରମିତ୍ରପୁର ପୌରପାଳିକାରେ ନିର୍ମାଣାଧୀନ ସ୍ମାର୍ଟ ପାର୍କ, ପ୍ରସ୍ତାବିତ ନୂତନ ବସ ଷ୍ଟାଣ୍ଡ ଆଦି ପ୍ରକଳ୍ପ ବିଷୟରେ ସେ ପଚାରି ବୁଝିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ  ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ବଣାଇଁ ଉପଜିଲ୍ଲାପାଳ ସୁରଂଜନ ସାହୁ, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

#5TSecretary #VKPandian #NaveenPatnaik #ChiefMinister #OdishaGovernment

Comment