ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ସିଂହାସନ ଉପରେ ଏବେ ଅନେକ ଛାମୁଆ ନେତାଙ୍କ ନଜର ରହିଛି। କେ ଚନ୍ଦ୍ର ଶେଖର ରାଓଙ୍କଠାରୁ ଆରମ୍ଭ କରି ନୀତିଶ କୁମାର, ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ମମତା ବାନାର୍ଜୀ ଏନେଇ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି। କେନ୍ଦ୍ରରେ ଥିବା ବିଜେପି ସରକାରକୁ କ୍ଷମତାରୁ ବିଦା କରିବା ପାଇଁ ଏହିସବୁ ନେତାମାନେ ବିକଳ୍ପ ମେଣ୍ଟ ଗଠନ କଥା ଚିନ୍ତା କରୁଥିଲେ ମଧ୍ୟ ତାହା ସଫଳ ହୋଇପାରୁନି।

ନିକଟରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନିର୍ବାଚନ ଫଳାଫଳ ମମତା ଦେଖୁଥିବା ଦିଲ୍ଲୀ ସ୍ୱପ୍ନକୁ ଅନିଶ୍ଚିତତା ଆଡ଼କୁ ଠେଲିଦେଇଛି। ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନରରେ ମିଳିଥିବା ଝଟକା, ମମତାଙ୍କ ଦିଲ୍ଲୀ ଯାତ୍ରାରେ ବର୍ତ୍ତମାନ ପାଇଁ ବ୍ରେକ୍‌ ଲଗାଇଦେଇଛି। ଏ ଝଟ୍‌କା ୨୦୨୧ ମସିହାରେ ମମତା ଦେଇଥିବା ‘ଦିଲ୍ଲୀର୍‌ ଡାକ୍‌’କୁ ଦୁର୍ବଳ କରିଦେଇଥିବା କୁହାଯାଉଛି।

ମମତା ବାନାର୍ଜୀ ଦିନେ ଶପଥ ନେଇଥିଲେ, ମୁଖ୍ୟମନ୍ତ୍ରୀ ହେଲେ ହିଁ ରାଇଟର୍ସ ବିଲ୍ଡିଂ (ପଶ୍ଚିମବଙ୍ଗର ସଚିବାଳୟ)କୁ ଆସିବେ। ସ୍ଵପ୍ନ ହେଉ ବା ଜିଦ୍, ମମତା ଏକୁଟିଆ ନିର୍ବାଚନ ବୋଝ କାନ୍ଧରେ ଉଠାଇ ତୃଣମୂଳ କଂଗ୍ରେସକୁ ଶାସନ କ୍ଷମତାକୁ ଆଣିଥିଲେ। ଦୁଇ ପାଳି ଧରି ମୁଖ୍ୟମନ୍ତ୍ରୀ ହେଲେଣି। ପୂର୍ବରୁ ଦିଲ୍ଲୀ ଶାସନର ଦକ୍ଷତା ବି ଅଛି। ଇତି ମଧ୍ୟରେ ତୃଣମୂଳ କଂଗ୍ରେସ ବି ୨୫ ବର୍ଷର ହୋଇଗଲାଣି। ତେଣୁ ପଶ୍ଚିମବଙ୍ଗରୁ ପୁଣି ବାହାରି ସେ ପ୍ରଧାନମନ୍ତ୍ରୀ ହେବାର ସ୍ଵପ୍ନ ଦେଖୁଛନ୍ତି।

କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି। ଗତ ୧୦ ବର୍ଷ ଭିତରେ ଯେତିକି ନିର୍ବାଚନ ହୋଇଛି ମୋଟାମୋଟି କଂଗ୍ରେସ ଅତି ଶୋଚନୀୟ ପ୍ରଦର୍ଶନ କରିଛି। ଏହାର ଫାଇଦା ନେବା ଲକ୍ଷ୍ୟରେ ରହିଛନ୍ତି ମମତା। କୌଣସି ଆଞ୍ଚଳିକ ଦଳ ଭାବେ ତାଙ୍କର ବିଧାୟକ ସଂଖ୍ୟା ଅଧିକ। ତାଙ୍କ ଦଳ ଲୋସଭାରେ ଚତୁର୍ଥ ବୃହତ୍ତମ ଓ ରାଜ୍ୟସଭାରେ ତୃତୀୟ ବୃହତ୍ତମ ଦଳ। ଏହା ସହିତ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରକୁ ଛାଡ଼ିଦେଲେ ପଶ୍ଚିମବଙ୍ଗରେ ସର୍ବାଧିକ ଲୋକସଭା ଆସନ। ଯଦି ଟିଏମ୍‌ସି ପଶ୍ଚିମବଙ୍ଗର ସବୁ ଲୋକସଭା ଆସନ ଅକ୍ତିଆର କରେ ଓ  ବିଜେପି ସରକାର କରିବାକୁ ଅସମର୍ଥ ହୁଏ ତେବେ ସେ ପ୍ରଧାନମନ୍ତ୍ରୀ ହେବାର ବଡ଼ ଦାବିଦାର ହୋଇପାରିବେ ବୋଲି ମମତା ଆଶା କରିଛନ୍ତି।

କେବଳ ‘ଯଦି’ ଉପରେ ନିର୍ଭର କରି ଦିଲ୍ଲୀ ଦଖଲ କରିବା ସମ୍ଭବ ନୁହେଁ। କିଛି ବଡ଼ଧରଣର ଓଲଟପାଲଟ ଓ ମମତାଙ୍କୁ ତାଙ୍କ ଭାଗ୍ୟ ସାଥ୍ ଦେଲେ ସେ ହୁଏତ ପ୍ରଧାନମନ୍ତ୍ରୀ ହୋଇପାରନ୍ତି, କିନ୍ତୁ ସମସ୍ତଙ୍କର ଯେ ଦେବେଗୌଡ଼ାଙ୍କ ଭଳି ଭାଗ୍ୟ ଥିବ ତାହା ନିଶ୍ଚିତ ନୁହେଁ। ଭୋଟ୍ ଗଣିତ ମମତାଙ୍କ ସପକ୍ଷରେ ନଥିବାବେଳେ ମମତା କେବଳ ଭାଗ୍ୟ ଉପରେ ନିର୍ଭର କରି ପାରନ୍ତି ବୋଲି ରାଜନୀତି ସମୀକ୍ଷକଙ୍କ ମତ। ତଥାପି ପ୍ରାକ୍ ନିର୍ବାଚନୀ ମେଣ୍ଟ ଅପେକ୍ଷା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଉପରେ ନଜର ରଖିଛନ୍ତି ମମତା।

ଆକଳନ ମମତାଙ୍କ ସପକ୍ଷରେ ଯେତିକି ନାହିଁ, ତାଠାରୁ ଅଧିକ ତାଙ୍କ ବିପକ୍ଷରେ। ୨୦୧୪ ଲୋକସଭା ନିର୍ବାଚନରେ ତାଙ୍କ ଦଳ ୩୪ଟି ଆସନ ଜିତିଥିବା ବେଳେ ୨୦୧୯ରେ ତାହା ୨୨କୁ ଖସିଆସିଥିଲା। ୨୦୨୪ ମସିହାରେ ମମତା କିଛି ବଡ଼ ହେବାର ଆଶା ରଖିଥିଲେ ମଧ୍ୟ ରେକର୍ଡ ତାଙ୍କ ସପକ୍ଷରେ ନାହିଁ। ଗୋଆରେ ଏତେ ବଡ଼ ଆୟୋଜନ, ଫୁଟ୍‌ବଲ ଖେଳ କିଛି କାମ ଦେଇ ନ ଥିଲା। ଗୋଆ ବିଧାନସଭା ନିର୍ବାଚନରେ ଟିଏମସି ଗୋଟିଏ ବି ସିଟ୍ ଜିତି ପାରିନଥିଲା।

୨୦୨୩ ବିଧାନସଭା ନିର୍ବାଚନରେ ତ୍ରିପୁରାରେ ଟିଏମସି ଗୋଟିଏ ବି ସିଟ୍ ପାଇନାହିଁ। ମେଘାଳୟରେ କଂଗ୍ରେସର ବିଭାଜନ କରି ୧୧ ବିଧାୟକଙ୍କୁ ନିଜ ପାର୍ଟିକୁ ଆଣିଥିଲେ ମଧ୍ୟ ମାତ୍ର ୫ଟି ସିଟ୍ ଜିତିବାରେ ସକ୍ଷମ ହୋଇଛି। ଅନ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ଟିଏମସିର ସେମିତି କିଛି ସ୍ଥିତି ନାହିଁ, ଯାହା ମମତାଙ୍କ ସ୍ଥିତିକୁ ଜାତୀୟ ରାଜନୀତିରେ ସୁଦୃଢ଼ କରିବ। ତ୍ରିପୁରାରେ ୬୦ ପ୍ରତିଶତ ଲୋକ ବଙ୍ଗଳା ଭାଷାଭାଷୀ। ହେଲେ ସେମାନଙ୍କ ହୃଦୟ ଜିତିବାରେ ବିଫଳ ହୋଇଛନ୍ତି ମମତା। ସେଠାରେ ଟିଏମସି ନୋଟାଠାରୁ ବି କମ୍ ଭୋଟ ପାଇଛି। ନୋଟାରେ ୧.୩୬ ପ୍ରତିଶତ ଭୋଟ୍‌ ପଡ଼ିଥିବା ବେଳେ ଟିଏମସି ଖାତାକୁ ମାତ୍ର ୦.୮୮ ପ୍ରତିଶତ ଭୋଟ ଯାଇଛି।

ଆମ ଆଦ୍‌ମୀ ପାର୍ଟି ଭଳି ପଶ୍ଚିମବଙ୍ଗ ବାହାରେ ଟିଏମସିର ସାଂଗଠନିକ ସ୍ଥିତି ଅତି ଦୁର୍ବଳ। କୌଣସି ଆଞ୍ଚଳିକ ଦଳ ସହ ବୁଝାମଣା ମଧ୍ୟ ନାହିଁ। ସ୍ଵାଭାବିକ ଭାବେ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଆଉ କେଉଁଠି ଭୋଟ୍ ବି ନାହିଁ। ଟିଏମସିର ମୋଟ୍ ଭୋଟର ୯୯ ପ୍ରତିଶତ କେବଳ ପଶ୍ଚିମବଙ୍ଗରେ ହିଁ ରହିଛି। ଖାଲି ସେତିକି ନୁହେଁ, କଂଗ୍ରେସ ଓ ଅନ୍ୟ ଦଳରୁ ଯଶୋବନ୍ତ ସିହ୍ନା, ଶତ୍ରୁଘ୍ନ ସିହ୍ନା, ମୁକୁଲ ସାଂଗମାଙ୍କ ଭଳି ନେତାଙ୍କୁ ଆମଦାନୀ କରିଥିଲେ ମଧ୍ୟ ସେମାନେ ଟିଏମସି ପାଇଁ କିଛି କରିପାରିନାହାନ୍ତି, ବରଂ ସୁଯୋଗବାଦୀ ବୋଲି ନିଜକୁ ପ୍ରମାଣିତ କରିଛନ୍ତି।

ହିନ୍ଦୀ ଭାଷାଭାଷୀ ଅଞ୍ଚଳର ଭୋଟ୍ କେନ୍ଦ୍ରରେ କିଏ ସରକାର କରିବ ତାହା ସୁନିଶ୍ଚିତ କରେ। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ମମତାଙ୍କର କିଛି ଦବଦବା ନାହିଁ। ମୋଦୀଙ୍କ ପାଖରେ ଗୁଜରାଟ ବିକାଶର ମଡେଲ ଥିଲା, କିନ୍ତୁ ମମତାଙ୍କ ପାଖରେ ସେ ସୁଯୋଗ ନାହିଁ। ଜାତୀୟ ମାନଚିତ୍ରରେ ଆମ୍‌ ଆଦମୀ ପାର୍ଟି ପାଖରେ ଟିଏମସି ତୁଳନାରେ ଅଧିକ ସମର୍ଥନ ରହିଛି। କେସିଆର୍ ମଧ୍ୟ ତାଙ୍କ ରାଜନୈତିକ ମହାତାକାଂକ୍ଷା ପାଇଁ ଜାତୀୟ ଦଳ ବି ଘୋଷଣା କରିସାରିଛନ୍ତି। ସବୁଦଳର ପ୍ରଧାନମନ୍ତ୍ରୀ ଚେହେରା ଥିବା ବେଳେ ସେମାନେ ମମତାଙ୍କ ଆଧିପତ୍ୟକୁ ମାନିବା ଏକଦମ ଅସମ୍ଭବ ବୋଲି ରାଜନୀତି ସମୀକ୍ଷକଙ୍କ ମତ।

ସାଧାରଣ ନିର୍ବାଚନରେ ଅଧିକାଂଶ ଆସନରେ ବିଜେପିର କଂଗ୍ରେସ ସହିତ ପ୍ରତିଦ୍ଵନ୍ଦ୍ଵିତା ନ ହୋଇ ସେ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ସହ ହେଉଛି। ଆଞ୍ଚଳିକ ଦଳଗୁଡ଼ିକର ଶକ୍ତିକୁ ଆକଳନ କରି ବିଜେପି ବିଭିନ୍ନ ରାଜ୍ୟରେ ମେଣ୍ଟ କରିବାକୁ ମଧ୍ୟ ଦ୍ଵାର ଖୋଲା ରଖିଥିବା ବେଳେ ମମତାଙ୍କ ଆଞ୍ଚଳିକ ଦଳ ଅନ୍ୟ ରାଜ୍ୟର ଆଞ୍ଚଳିକ ଦଳ ସହ କେମିତି ବୁଝମଣା କରିବ ତାହା ବର୍ତ୍ତମାନ ସ୍ଥିତିରେ ଏକ ଅବୁଝା ସମୀକରଣ।

Tags: #Politics #IndianPolitics #MamtaBanerjee #TMC #DilhirDak

Comment