ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାରେ ୧,୪୯୩ ଜଣ ସାମ୍ବାଦିକଙ୍କୁ ୮ କୋଟି ୧୦ ଲକ୍ଷ ୩୧ ହଜାର ୫୮୨ ଟଙ୍କାର ବୀମା ସହାୟତା ମିଳିଛି। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ୮,୭୧୭ ଜଣ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜାନାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ସରକାର ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କାର ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ପ୍ରଦାନ କରୁଛନ୍ତି। ବର୍ତ୍ତମାନ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ରାଶି ୨ ଲକ୍ଷ ରହିଥିବାବେଳେ ଏହି ରାଶିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ହୋଇନଥିବା ମନ୍ତ୍ରୀ କହିଛନ୍ତି। ଏହା ସହ ସାମ୍ବାଦିକମାନଙ୍କ ପିତାମାତାଙ୍କୁ ଏହି ବୀମାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି।

ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ୨୨ କୋଟି ୫୦ ଲକ୍ଷ ୬୪ ହଜାର ୩୪୫ ଟଙ୍କା ରହିଛି। କୋଭିଡରେ ପ୍ରାଣ ହରାଇଥିବା ୪୫ ଜଣ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ସାମ୍ବାଦିକମାନଙ୍କ ବୈଠକ ପାଇଁ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ପ୍ରେସକ୍ଲବ ଗଠନ ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Tags: #GopabandhuHealthInsurance #OdishaAssembly #OdishaJournalistWelfareFund

LEAVE A REPLY

Please enter your comment!
Please enter your name here