ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ନଦୀରେ ବୁଡ଼ି ୯୭୦ ଜଣଙ୍କର ମୃତ୍ୟୁ ହୋଇଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା।

ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ନଦୀରେ କେତେ ଜଣ ବୁଡ଼ିଛନ୍ତି, କେତେ ଜଣ ପ୍ରାଣ ହରାଇଛନ୍ତି ଏବଂ କେତେ ଜଣ ଉଦ୍ଧାର ହୋଇଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ସୌଭିକ ବିଶ୍ଵାଳ। ଏହା ସହିତ ଏହିଭଳି ଅଘଟଣରୁ ରକ୍ଷା ପାଇବା ଲାଗି ସରକାରଙ୍କ ପକ୍ଷରୁ କି ବ୍ୟବସ୍ଥା ହୋଇଛି ବୋଲି ସେ ପଚାରିଥିଲେ।

ଏହାର ଉତ୍ତର ରଖି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ନଦୀରେ ମୋଟ ୧,୬୧୫ ଜଣ ବୁଡ଼ି ଥିବାବେଳେ ସେମାନଙ୍କ ମଧ୍ୟରୁ ୯୭୦ ଜଣ ପ୍ରାଣ ହରାଇଛନ୍ତି ଏବଂ ୬୧୩ ଜଣଙ୍କୁ ଉଦ୍ଧାର କରାଯାଇଛି।

ବିଭିନ୍ନ ସମୟରେ ଥିବା ନଦୀ କୂଳକୁ ନଯିବା ଲାଗି ଲୋକଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରାଯାଏ। ଏହା ସହ ପର୍ବପର୍ବାଣୀ ସମୟରେ ବିପଦପୂର୍ଣ୍ଣ ନଦୀ କୂଳରେ ଅଗ୍ନିଶମ ଏବଂ ଜରୁରିକାଳୀନ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ଉପକରଣ ସହ ମୁତୟନ କରାଯାଇଥାଏ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।

Tags: #Politics #OdishaAssembly #TusarkantiBehera #DrowningDeathCase #River

Comment