ଓଡ଼ିଶାଲାଇଭ୍ ବ୍ୟୁରୋ

  • “ନବ ଦାସଙ୍କ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ”
  • ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ
  • ବିଧାୟକ ସୁଶାନ୍ତ ସିଂଙ୍କ ଘର ଉପରକୁ ଟମାଟୋ ମାଡ଼
  • ବିଧାନସଭା ଆଗରୁ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରକୁ ନେବା ଲାଗି ଦାବି କରିଛି ଛାତ୍ର କଂଗ୍ରେସ। ସୋମବାର ଦିନ ବିଧାୟକ ସୁଶାନ୍ତ ସିଂଙ୍କ ବାସଭବନ ଘେରାଉ କରି ଟମାଟୋ ମାଡ଼ କରିବା ପରେ ବିଧାନସଭା ଘେରାଉ କରିଥିଲାଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସର ନାରାବାଜି ବେଳେ ଧସ୍ତାଧସ୍ତି ହୋଇଥିଲେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ୁ ନଥିବାବେଳେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛି ଅଭିଯୁକ୍ତ ଗୋପାଳ ଦାସ। ନବ ଦାସଙ୍କ ହତ୍ୟା ମାମଲାରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ହାତ ରହିଥିବା ଅଭିଯୋଗ କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରକୁ ନିଆଯାଇ ନାହିଁ ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ବିଧାୟକଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିଲେ। କେବଳ ସିତି ନୁହେଁ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ମଧ୍ୟ ଘେରି ଥିଲା ଛାତ୍ର କଂଗ୍ରେସ। ବିଧାୟକଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ଏହାପରେ ସମାନ ପ୍ରସଂଗ ନେଇ ବିଧାନସଭା ସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଛାତ୍ର କଂଗ୍ରେସ କର୍ମୀ। ବିଧାନସଭା ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ଧରି ବିଧାନସଭା ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠେଇ ନେଇଥିଲା ପୋଲିସ।

Tags: #Politics #OdishaPolitics #NabaDasMurderCase #StudentCongress #Police #VidhanSabhaGherao

LEAVE A REPLY

Please enter your comment!
Please enter your name here