ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଭବନକୁ ନିର୍ବିବାଦୀୟ ସ୍ଥଳ ଅର୍ଥାତ ନୋ କନଫ୍ଲିକ୍ଟ ଜୋନ କୁହାଯାଉଥିବା ବେଳେ ଗତ କିଛି ବର୍ଷ ହେଲା ବିଭିନ୍ନ ରାଜ୍ୟର ଏହି ନୋ କନ୍‌ଫ୍ଲିକ୍ଟ ଜୋନରେ ବଡ଼ ପଲିଟିକାଲ ଓ୍ଵାର ଚାଲିଥିବା ଦେଖିବାକୁ ମିଳୁଛି।

ଭାରତର ସମସ୍ତ ରାଜ୍ୟରେ ସରକାରର ଆଳଙ୍କାରିକ ମୁଖ୍ୟ ହେଉଛନ୍ତି ରାଜ୍ୟପାଳ। ବିଭିନ୍ନ ରାଜ୍ୟରେ ରାଜ୍ୟପାଳମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି। ସମ୍ବିଧାନ ଅନୁସାରେ ରାଜ୍ୟପାଳ ଜଣେ ନିର୍ଦଳୀୟ ଓ ନିର୍ବିବାଦୀୟ ବ୍ୟକ୍ତିତ୍ଵ। ସେହି ଦୃଷ୍ଟିରୁ ରାଜଭବନ ନିର୍ବିବାଦୀୟ ସ୍ଥଳ ଅର୍ଥାତ ନୋ କନଫ୍ଲିକ୍ଟ ଜୋନ୍। କିନ୍ତୁ କିଛି ବର୍ଷ ହେଲା ବିଭିନ୍ନ ରାଜ୍ୟର ଏହି ନୋ କନ୍‌ଫ୍ଲିକ୍ଟ ଜୋନରେ ବଡ଼ ପଲିଟିକାଲ ଓ୍ଵାର ଚାଲିଥିବା ଦେଖିବାକୁ ମିଳୁଛି।

ଗତ ଚାରି ଦିନ ତଳେ ରାଜ୍ୟପାଳଙ୍କ ଭୂମିକାକୁ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଏ ପ୍ରସଙ୍ଗର ଗୁରୁତ୍ୱ ବଢ଼ାଇଦେଇଛି। ଜଣେ ରାଜ୍ୟପାଳ ତାଙ୍କ କ୍ଷମତାକୁ ସତର୍କତାର ସହ ଉପଯୋଗ କରିବା ଦରକାର। ତାଙ୍କର ଟିକେ ଅବହେଳା ଗୋଟେ ନିର୍ବାଚିତ ସରକାରକୁ ବୁଡ଼ାଇଦେଇପାରେ। ମହାରାଷ୍ଟ୍ର ରାଜନୈତିକ ସଂକଟ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। କେବଳ ବିଧାୟକଙ୍କ ମଧ୍ୟରେ ଭିନ୍ନ ମତ ପାଇଁ ରାଜ୍ୟପାଳ ଆସ୍ଥାଭୋଟ୍ ନିର୍ଦ୍ଦେଶ ଦେଇପାରିବେ ନାହିଁ।

ମହାରାଷ୍ଟ୍ରରେ ଗୋଟେ ନିର୍ବାଚିତ ସରକାର ଭାଙ୍ଗିଯାଇଥିଲା। ମହାରାଷ୍ଟ୍ରରେ ରାଜ୍ୟପାଳ ଭଗତ ସିଂ କୋଶିଆରୀ ଆସ୍ଥା ଭୋଟ୍ ନିର୍ଦ୍ଦେଶ ଦେବା ପରେ ମହାରାଷ୍ଟ୍ରର ରାଜନୈତିକ ଇତିହାସରେ ବହୁତ ବଡ଼ ବଡ଼ ଘଟଣାସବୁ ଯୋଡ଼ି ହୋଇଯାଇଥିଲା। ଉଦ୍ଧବ ଠାକରେ ଗାଦିଚ୍ୟୁତ ହୋଇଥିଲେ। ଏହାର ପରବର୍ତ୍ତୀ ଘଟଣା କ୍ରମରେ ତାଙ୍କ ହାତରୁ ଶିବସେନା ବି ଚାଲିଗଲା। ଏ ଘଟଣାରେ ରାଜ୍ୟପାଳ ତରବରିଆ ନିଷ୍ପତ୍ତି ନେଇଥିବା ସୁପ୍ରିମକୋର୍ଟଙ୍କର ହୃଦବୋଧ ହୋଇଛି।

ରାଜ୍ୟପାଳଙ୍କ ସହ ସରକାରଙ୍କ ବିବାଦ ଚିରାଚରିତ ହେବାରେ ଲାଗିଛି। ଅନେକ ଅଣ ବିଜେପି ଶାସିତ ରାଜ୍ୟରୁ ଏ ଅଭିଯୋଗ ଅଧିକ ଆସିବାରେ ଲାଗିଛି। ସେଠାକାର  ସରକାରଙ୍କ କହିବା କଥା ରାଜ୍ୟପାଳ ରାଜନୈତିକ ଦଳର ପ୍ରତିନିଧି ଭଳି ବ୍ୟବହାର କରୁଛନ୍ତି। ଏହାଦ୍ଵାରା ଗୋଟେ ସଂଖ୍ୟା ଗରିଷ୍ଠ ସରକାର ବି ଅଡୁଆରେ ପଡୁଛି। ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ କହିବାରେ ଲାଗିଲେଣି।

ଦିଲ୍ଲୀରେ କେଜ୍ରିଓ୍ଵାଲ-ଉପରାଜ୍ୟପାଳ

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟିର ସରକାର ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅଭିଯୋଗ ଉପରାଜ୍ୟପାଳ ବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପାଇଁ ତାଙ୍କ ସରକାର ଅସୁବିଧାରେ ପଡ଼ିଆସୁଛି। କେନ୍ଦ୍ରରେ ବିଜେପି ସରକାର ଆସିବା ପରଠାରୁ ଏ ଅଭିଯୋଗ ବାରମ୍ବାର ହେବାରେ ଲାଗିଛି। ଏହା ମଧ୍ୟରେ ଏକାଧିକ ଉପରାଜ୍ୟପାଳ ବଦଳିଲେଣି, କିନ୍ତୁ ବିବାଦର ସମାଧାନ ହୋଇନାହିଁ। କେଜ୍ରିଓ୍ଵାଲ କହୁଛନ୍ତି ଉପରାଜ୍ୟପାଳ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି କରୁଛନ୍ତି। ସେହିପରି ଉପରାଜ୍ୟପାଳଙ୍କ କହିବା କଥା ଦିଲ୍ଲୀ ସରକାର ଲୋକଙ୍କ ସ୍ଵାର୍ଥ ପାଇଁ କାମ କରୁନାହାନ୍ତି।

କିଛି ଦିନ ତଳେ ଉପରାଜ୍ୟପାଳ ସରକାରଙ୍କୁ ଏକ ନୋଟିସ୍ ପଠାଇଥିଲେ। ରାଜ୍ୟ ସରକାରଙ୍କ ପ୍ରଚାର ପାଇଁ ହୋଇଥିବା ଖର୍ଚ୍ଚରେ ଆପତ୍ତି ଉଠାଇ ଏହି ଅର୍ଥର ଫେରସ୍ତ ପାଇଁ ଏହି ନୋଟିସରେ ଉଲ୍ଲେଖ ରହିଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଗୋଟେ ନିର୍ବାଚିତ ସରକାର କରିଥିବା ଖର୍ଚ୍ଚକୁ ଆଦାୟ କରିବା ପାଇଁ ରାଜ୍ୟପାଳଙ୍କର କ୍ଷମତା ଅଛି କି ନାହିଁ।

ରାଜ୍ୟପାଳଙ୍କ ଅପସାରଣ ଦାବି କଲା ଡିଏମକେ

ତାମିଲନାଡୁରେ ବି ଏକ ବହୁମତରେ ବିଜୟୀ ସରକାରକୁ ରାଜ୍ୟପାଳ ଅଡୁଆରେ ପକାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ଆସିଥିଲା। ତାମିଲନାଡୁର ନାମ ବଦଳାଇ ତାମିଝଗାମ କୁହାଯିବା ଦରକାର ବୋଲି ରାଜ୍ୟପାଳ ଆରଏନ ରବି କହିବା ପରେ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା।

ଖାଲି ସେତିକି ନୁହେଁ, ବିଧାନସଭାରେ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଅଭିଭାଷଣ ନ ରଖି ଏଥିରୁ ବହୁ ଗୁରୁତ୍ଵପୂର୍ଣ୍ଣ ଅଂଶକୁ ବାଦ୍ ଦେଇ ରାଜ୍ୟପାଳ ଗୃହରେ ପାଠ କରିଥିଲେ। ଏହା ପରେ ରାଜ୍ୟପାଳଙ୍କ ଅପସାରଣ ଦାବି କରିଥିଲେ ଶାସକ ଡିଏମକେ ଦଳର ସଭ୍ୟ। ଗତ ଜାନୁଆରି ୧୩ ତାରିଖରେ ଡିଏମକେ ସାଂସଦମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରାଜ୍ୟପାଳ ଆରଏନ ରବିଙ୍କ ଅପସାରଣ ଦାବି କରିଥିଲେ। ଯାଞ୍ଚ୍ ଆଳରେ ବହୁ ବିଲ୍‌ ରାଜଭବନରେ ଅଟକି ଥିବା ନେଇ ମଧ୍ୟ ସାଂସଦମାନେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ।

କେରଳରେ ବିବାଦ

କେରଳରେ ମଧ୍ୟ ରାଜ୍ୟପାଳଙ୍କ ହସ୍ତକ୍ଷେପକୁ ନେଇ ବିବାଦ ଚରମସୀମାରେ ପହଞ୍ଚିଥିଲା। ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ୯ଟି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବା ପାଇଁ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଥିଲେ ଯେ, ରାଜ୍ୟପାଳଙ୍କର ସେମିତି କିଛି କ୍ଷମତା ନାହିଁ। ବିଶ୍ଵବିଦ୍ୟାଳୟ ଆଇନରେ ସେମିତି କିଛି ବ୍ୟବସ୍ଥା ନାହିଁ, ଯାହା ଆଧାରରେ ରାଜ୍ୟପାଳ କାହାକୁ ଇସ୍ତଫା ଦେବା ପାଇଁ କହିପାରିବେ କିମ୍ବା ବହିଷ୍କାର କରିପାରିବେ।

ଖାଲି ସେତିକି ନୁହେଁ ରାଜ୍ୟପାଳ ରାଜନୈତିକ ବୟାନବାଜି କରୁଛନ୍ତି। ଶାସନରେ ଅଯଥା ହସ୍ତକ୍ଷେପ କରିବା ସହ ଅସହଯୋଗ ମଧ୍ୟ କରୁଛନ୍ତି। ରାଜ୍ୟପାଳଙ୍କ ପାଖରେ ପଡ଼ିପଡ଼ି ୧୧ଟି ଅର୍ଡିନାନ୍ସ ଅବୈଧ ହୋଇଛି। ଏ ପରିସ୍ଥିତିରେ ଗୋଟେ ଶାସନ ବ୍ୟବସ୍ଥା କେମିତି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପି ବିଜୟନ ପ୍ରଶ୍ନ କରିଥିଲେ। ଏହା ସହିତ ରାଜ୍ୟପାଳ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ କାମ କରୁଛନ୍ତି। ଏପରିକି ରାଜ୍ୟପାଳ ରାଜନୈତିକ ବୟାନବାଜି କରୁଛନ୍ତି। ଗୋଟେ ନିର୍ବାଚିତ ସରକାରର ବିରୋଧୀ ଦଳ ଭଳି ରାଜ୍ୟପାଳ କାମ କରୁଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଥିଲେ ମୁଖ୍ୟମନ୍ତ୍ରୀ।

ବିବାଦ ଘେରରେ ତେଲେଙ୍ଗାନା ରାଜ୍ୟପାଳ

ଅନ୍ୟ ଅଣ ବିଜେପି ଶାସିତ ରାଜ୍ୟ ଭଳି ତେଲେଙ୍ଗାନାରେ ବି ସରକାରଙ୍କ ସହ ରାଜ୍ୟପାଳଙ୍କ ବିବାଦ ସାମ୍ନାକୁ ଆସିଥିଲା। ଟିଆରଏସ୍‌ ବିଧାୟକମାନଙ୍କୁ ଦଳ ତ୍ୟାଗ କରିବା ପାଇଁ ରାଜ୍ୟପାଳ ଉସକାଉଥିବା ଅଭିଯୋଗ ହୋଇଥିଲା। ସେହିପରି ରାଜ୍ୟପାଳ ଟି ସୁନ୍ଦରରାଜନ ମଧ୍ୟ ଅଭିଯୋଗ ଆଣିଥିଲେ ଯେ ତାଙ୍କ ଫୋନ୍‌ ଟ୍ୟାପିଂ ହେଉଛି। ରାଜ୍ୟପାଳ ପୂର୍ବରୁ ବିଜେପିରେ ଥିବା ବେଳେ ତାଙ୍କର ଆନୁଗତ୍ୟ କେନ୍ଦ୍ରର ବିଜେପି ସରକାର ପ୍ରତି ରହୁଛି ବୋଲି ଟିଆରଏସ୍ ଅଭିଯୋଗ କରିଆସୁଛି।

ପଶ୍ଚିମବଙ୍ଗରେ ଶୀର୍ଷରେ ପହଞ୍ଚିଥିଲା ବିବାଦ

ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ପୂରା ଉଗ୍ରରୂପ ନେଇଥିଲା। ମମତା ବାନାର୍ଜୀ ଓ ତତ୍କାଳୀନ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ବିବାଦ ସବୁ ମହଲରେ ଆଲୋଚନାର ଶୀର୍ଷକ ହୋଇଥିଲା। ଏଥିରେ କେନ୍ଦ୍ରକୁ ବି ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ମମତା ବାରମ୍ବାର ଅଭିଯୋଗ କରୁଥିଲେ ଯେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ କାମ କରିବା ସହ ରାଜ୍ୟ ସରକାରଙ୍କୁ ସବୁବେଳେ ଅଡୁଆରେ ପକାଉଛନ୍ତି। ଏବେ ଯେଉଁ ରାଜ୍ୟପାଳ ଅଛନ୍ତି, ସେ ଅବଶ୍ୟ କହିଛନ୍ତି ଯେ ରାଜଭବନ ବିବାଦର ଅଞ୍ଚଳ ନ ହେବା ଉଚିତ।

ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ରୋଚକ ସ୍ଥିତି

ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଭିଯୋଗ ଯେ ରାଜ୍ୟପାଳ ଜାଣିଶୁଣି ବିଲ୍‌କୁ ଅଟକାଇ ରଖୁଛନ୍ତି। ନିକଟରେ ଆଦିବାସୀ ପରାମର୍ଶଦାତା ପରିଷଦ- ଟିଏସି ପ୍ରତିଷ୍ଠା ପାଇଁ ରାଜ୍ୟପାଳ ମଞ୍ଜୁରି ନଦେଇ ଫାଇଲ୍‌କୁ ଫେରାଇ ଦେଇଥିଲେ। ଏହା ପରେ ରାଜ୍ୟ ସରକାର ନୂଆ ଆଇନ୍ ଆଣିଥିଲେ। ଫଳରେ ଟିଏସି ଗଠନ ପାଇଁ ଆଉ ରାଜ୍ୟପାଳଙ୍କ ମଞ୍ଜୁରି ଦରକାର ପଡ଼ିବ ନାହିଁ। କଂଗ୍ରେସ ଶାସିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ସମାନ ଅଭିଯୋଗ। ଅନେକ ଗୁରୁତ୍ଵପୂର୍ଣ୍ଣ ବିଲ୍‌କୁ ରାଜ୍ୟପାଳ ମଞ୍ଜୁରି ନଦେଇ ଅଟକାଇଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଆସୁଛନ୍ତି।

ରାଜ୍ୟପାଳ ଯେତେବେଳେ ବିଧାନସଭାରେ କିମ୍ବା ଅନ୍ୟ କେଉଁଠି ଅଭିଭାଷଣ ରଖନ୍ତି ସେଠାରେ ମୋ ସରକାର ବୋଲି କହନ୍ତି। ନିର୍ବାଚିତ ସରକାରକୁ ସହଯୋଗ କରନ୍ତି। କିନ୍ତୁ କିଛି ବର୍ଷ ହେଲା ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଚିନ୍ତାରେ ପକାଇ ଦେଇଛି। ଏ ସ୍ଥିତିକୁ ଦେଖି ଅନେକ ଦଳ ରାଜ୍ୟପାଳ ପଦବୀର ଆବଶ୍ୟକତା ନାହିଁ ବୋଲି କହିବା ଆରମ୍ଭ କଲେଣି।

କିଛି ଦିନ ତଳେ ତେଲେଙ୍ଗାନାର ବରିଷ୍ଠ ସିପିଆଇ(ଏମ୍‌) ନେତା କେ ନାରାୟଣ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟପାଳ ବ୍ୟବସ୍ଥା ଆଉ ଜରୁରୀ ନାହିଁ। ତେଣୁ ରାଜ୍ୟପାଳମାନଙ୍କୁ ଅପସାରଣ କରି ନିଆଯାଉ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଗୋପାଳ ଗୌଡ଼ା କହିଥିଲେ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକରେ ରାଜ୍ୟପାଳମାନେ ସରକାରଙ୍କୁ ଅଡୁଆରେ ପକାଉଛନ୍ତି, ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

Tags: #Politics #IndianPolitics #StatePolitics #RajBhawan #StateGovt #PoliticalWar

Comment