ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପୁରୀ ଶ୍ରୀମନ୍ଦିରର ବଜେଟ ଉପସ୍ଥାପନ କରାଯାଇଛି। ଶ୍ରୀମନ୍ଦିର ପାଇଁ ବଜେଟରେ ୩୦୦ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ଅର୍ଥ ସବ କମିଟିର ବୈଠକରେ ଏହି ବଜେଟ ଉପସ୍ଥାପିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଶ୍ରୀମନ୍ଦିର ପାଇଁ ପ୍ରସ୍ତୁତ ବଜେଟରେ ବିଭିନ୍ନ ଉତ୍ସରୁ ୩୦୦ କୋଟି ୭୯ ଲକ୍ଷ ଟଙ୍କାର ଆୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରୁ ୨୬୨ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରାଯାଇଛି। ବଜେଟରେ ରାଜସ୍ଵ ସୂତ୍ରରୁ ୧୮୭ କୋଟି ୭୩ ଲକ୍ଷ ଟଙ୍କା ଆୟ କରିବାକୁ ସ୍ଥିର କରାଯାଇଛି। ଏଥିରୁ ସରକାରୀ ଅନୁଦାନ ବାବଦକୁ ପ୍ରାୟ ୧୧୮ କୋଟି ୯୪ ଲକ୍ଷ ଟଙ୍କା ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି।

ବଜେଟରେ ଦାନ ଓ ଅନ୍ୟାନ୍ୟ ସୂତ୍ରରୁ ୧୩୩ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଶ୍ରୀମନ୍ଦିରକୁ ବିଭିନ୍ନ କର୍ପସ ଫଣ୍ଡରୁ ମିଳିବାକୁ ଥିବା ସୁଧରୁ ୬୦ କୋଟି ଟଙ୍କା ଆୟ ହେବ।

ଅନ୍ୟପଟେ ବ୍ୟୟ ମଧ୍ୟରେ ବିଭିନ୍ନ କର୍ପସ ଫଣ୍ଡରେ ଶ୍ରୀମନ୍ଦିରର ୫୯ କୋଟି ୪୬ ଲକ୍ଷ ଟଙ୍କା ଜମା କରାଯିବା ପାଇଁ ବଜେଟରେ ସ୍ଥିର ହୋଇଛି। ସେହିପରି ବଜେଟରେ ଶ୍ରୀମନ୍ଦିର କର୍ମଚାରୀଙ୍କ ଦରମା ବାବଦରେ ୪୫ କୋଟି ୯୩ ଲକ୍ଷ, ମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ସହିତ ଅନ୍ୟାନ୍ୟ ବିକାଶମୂଳକ କାମ ବାବଦରେ ୨୬ କୋଟି ୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିଭଳି ୨୦୨୩ର ରଥଯାତ୍ରା ଏବଂ ସ୍ନାନଯାତ୍ରା ପାଇଁ ବଜେଟରେ ୧୬କୋଟି ୬୨ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପର୍କୀତ ଖର୍ଚ୍ଚ ବାବଦରେ ୮ କୋଟି ୮୯ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଆଗକୁ ଆସୁଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଏହି ବଜେଟକୁ ଅନୁମୋଦନ କରାଯିବ।

 

ବଜେଟ ପାଇଁ ହୋଇଥିବା ଏହି ଅର୍ଥ ସବ କମିଟିର ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିରର ଚାର୍ଟାଡ୍ ଆକାଉଣ୍ଟାଣ୍ଟ କମିଟିର ସଦସ୍ୟ ଓ ଶ୍ରୀମନ୍ଦିରର ସେବାୟତ ସମିତିର ସଦସ୍ୟମାନେ ଯୋଗ ଦେଇଥିଲେ।

Tags: #Srimandir #JagannathTemple #Budget #financialYear2023-24 #Puri

Comment