ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁକାବିଲା କରିବାକୁ କଂଗ୍ରେସ ବିହୀନ ମେଣ୍ଟର ପରିକଳ୍ପନା କରିଛନ୍ତି ଅଖିଳେଶ ଯାଦବ ଏବଂ ମମତା ବାନାର୍ଜୀ। ସାକାର ହେବ କି ଏ ସ୍ଵପ୍ନ?

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁକାବିଲା କରିବାକୁ ଅଖିଳେଶ ଯାଦବ ଏବଂ ମମତା ବାନାର୍ଜୀ କଂଗ୍ରେସ ବିହୀନ ମେଣ୍ଟ ଗଢ଼ିବାକୁ ପରିକଳ୍ପନା କରିଛନ୍ତି। କଂଗ୍ରେସ ବିନା ଏହି ମେଣ୍ଟ କେତେଦୂର ଲଢ଼େଇ କରିପାରିବ, ମେଣ୍ଟ ହୋଇପାରିବ କି ନାହିଁ ସେ ନେଇ ସନ୍ଦେହ ଦେଖା ଦେଇଛି। କେବଳ ଆଞ୍ଚଳିକ ଦଳ କିମ୍ବା ଆଞ୍ଚଳିକ ଭାବେ ସକ୍ରିୟ ଥିବା ଜାତୀୟ ଦଳ ସହ ମେଣ୍ଟ ଗଢ଼ିବା ପଛରେ ଉଭୟଙ୍କ ପାଖରେ କି ତର୍କସିଦ୍ଧ ଆଧାର ରହିଛି ବୋଲି ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି। କେବଳ ସେତିକି ନୁହେଁ ଦିଲ୍ଲୀରୁ ବିଜେପିକୁ ଏହି ପ୍ରସ୍ତାବିତ ମେଣ୍ଟ ହଟାଇବାରେ ସକ୍ଷମ ହେବ କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କ ସହ ତୃତୀୟ ମେଣ୍ଟ ସମ୍ପର୍କରେ ଆଲୋଚନା କରିବେ ମମତା। କିନ୍ତୁ ଜାତୀୟ ରାଜନୀତିରେ ବେଶ ମାପିଚୁପି ଚାଲୁଥିବା ନବୀନ ପଟ୍ଟନାୟକ ମମତାଙ୍କ ପ୍ରସ୍ତାବରେ ଆଗୁଆ କିଛି ମନ୍ତବ୍ୟ ଦେବା ନେଇ ସନ୍ଦେହ ରହିଛି। କାରଣ ରାଜ୍ୟର ସ୍ଵାର୍ଥକୁ ନେଇ ରାଜନୀତି କରୁଥିବା ବିଜେଡି ସମାନ ପ୍ରସଙ୍ଗରେ ଅନେକ ଥର ସଂସଦରେ ବିଜେପିକୁ ସମର୍ଥନ କରିଛି।

ତୃତୀୟ ମେଣ୍ଟ ଗଣିତ ?

କଂଗ୍ରେସ ଗୋଟେ ଜାତୀୟ ଦଳ। ଏ ଦଳ ଅପ୍ରାସଙ୍ଗିକ ହୋଇ ନଥିଲେ ମଧ୍ୟ ଦୁର୍ବଳ ହୋଇଛି। ଏକ ଦୁର୍ବଳ ଦଳର ବୋଝ ନେବା ଅପେକ୍ଷା ଆଞ୍ଚଳିକ ଦଳର ଶକ୍ତିରେ ମେଣ୍ଟକୁ ବଳଶାଳୀ କରିବା ପାଇଁ ଅଖିଳେଶ ଯାଦବ ଏବଂ ମମତା ବାନାର୍ଜୀ ଯୋଜନା କରିଛନ୍ତି। ପ୍ରଥମେ ପଶ୍ଚିମବଙ୍ଗ କଥା ବିଚାରକୁ ନେଲେ ଜଣାପଡ଼େ ଯେ, ଏହି ରାଜ୍ୟରେ ଟିଏମ୍‌ସି ନିଜ ଶକ୍ତି ଓ ସ୍ଥିତିକୁ ବଜାୟ ରଖିଥିବାବେଳେ ବିଜେପି ନିଜର ଶକ୍ତି ବହୁ ପରିମାଣରେ ବୃଦ୍ଧି କରିଛି। ଏଠାରେ କଂଗ୍ରେସର ସ୍ଥିତି ଅତି ଶୋଚନୀୟ। ରାଜ୍ୟରେ ଟିଏମ୍‌ସିର ଭୋଟ ୪୮ ପ୍ରତିଶତ ହୋଇଥିବା ବେଳେ ବିଜେପିର ୩୮ ପ୍ରତିଶତ ଓ କଂଗ୍ରେସର ମାତ୍ର ୨.୯୩ ପ୍ରତିଶତ ରହିଛି।

ସେହିପରି ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟିର ଭୋଟ ୩୨ ପ୍ରତିଶତ ହୋଇଥିବା ବେଳେ ବିଜେପିର ୪୧.୨୯ ପ୍ରତିଶତ ରହିଛି। ଗତ ବିଧାନସଭା ନିର୍ବାଚନର ଭୋଟ ପରିସଂଖ୍ୟାନ ଅନୁସାରେ କଂଗ୍ରେସକୁ ମାତ୍ର ୨.୩୩ ପ୍ରତିଶତ ଭୋଟର ସମର୍ଥନ ଜଣାଇଛନ୍ତି। କଂଗ୍ରେସ ସହ ମେଣ୍ଟ କରି ଉତ୍ତରପ୍ରଦେଶରେ ରିସ୍କ ନେବାକୁ ଚାହୁଁନାହାନ୍ତି ଅଖିଳେଶ।

ଓଡ଼ିଶାରେ ବିଜେଡିର ଭୋଟ୍ ପ୍ରତିଶତ ୪୪ ପ୍ରତିଶତ, ବିଜେପିର ୩୨ ପ୍ରତିଶତ ଓ କଂଗ୍ରେସର ୧୬ ପ୍ରତିଶତ ରହିଛି। ଅଧିକାଂଶ ଆସନରେ କଂଗ୍ରେସ ଅମାନତ ହରାଇଥିବା ବେଳେ ବିଜୟୀ ହୋଇଥିବା ଆସନରେ ଅଧିକ ଭୋଟ୍ ପାଇଥିବାରୁ ତାହା ମୋଟ୍‌ ଭୋଟ ପରିମାଣରେ ପ୍ରତିଫଳିତ ହୋଇଛି।

ସେହିପରି ଉତ୍ତର ପୂର୍ବ ଭାରତରେ ମଧ୍ୟ କଂଗ୍ରେସର ସ୍ଥିତି ଭଲ ନାହିଁ। ବରଂ ଆଞ୍ଚଳିକ ଦଳଗୁଡ଼ିକ ସେମାନଙ୍କର ଶକ୍ତି ବୃଦ୍ଧି କରିଛନ୍ତି। ଆଞ୍ଚଳିକ ଦଳଗୁଡ଼ିକୁ ମେଣ୍ଟରେ ସାମିଲ କରାଯାଇପାରିଲେ ସେମାନଙ୍କ ଭୋଟ ଆସନରେ ପରିବର୍ତ୍ତନ କରାଯାଇପାରିବ। ଯଦି ଉତ୍ତର ଭାରତ ଓ ପଶ୍ଚିମବଙ୍ଗରେ ମମତା ଓ ଅଖିଳେଶ ମିଶି ଶହେ ଆସନ ପାଖାପାଖି ଜିତିବାର ବିଶ୍ଵାସ ସୃଷ୍ଟି କରିପାରନ୍ତି ତେବେ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ସେମାନଙ୍କ ମେଣ୍ଟକୁ ଆକର୍ଷିତ କରାଯାଇପାରିବ ବୋଲି ଉଭୟ ଆଶା କରିଛନ୍ତି।
ସର୍ବାଧିକ ରାଜ୍ୟରେ ବିଜେପି କିମ୍ବା ଏହାର ମେଣ୍ଟ ସରକାର ରହିଛି। କେତେକ ରାଜ୍ୟରେ ନିକଟରେ ପୁଣି ବିଜେପିକୁ ଲୋକେ ପସନ୍ଦ କରିଛନ୍ତି। ଏମିତି ସ୍ଥିତିରେ ମମତା ଓ ଅଖିଳେଶ ଯାହା ମ୍ୟାଜିକ କରିବେ ତାହା ଲୋକେ ବିଶ୍ଵାସ କରିବା ଦରକାର। କାରଣ ଏବେ ଅନେକ ପ୍ରସଂଗକୁ ନେଇ ଲୋକଙ୍କ ଅସନ୍ତୋଷ ଥିଲେ ମଧ୍ୟ ଏହାକୁ ନେଇ ମମତା ଏବଂ ଅଖଳେଶ ସରକାରଙ୍କ ଉପରେ ଚାପ ପକାଇ ପାରିନାହାନ୍ତି।

ମେଣ୍ଟ ପାଇଁ ଲୋଡ଼ା ଆଞ୍ଚଳିକ ଦଳ

୨୦୧୪ରେ ବିଜେପି କ୍ଷମତାଶାଳୀ ହେବା ପରେ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକୁ ଟାର୍ଗେଟ କରିଛି। କେଉଁଠି ମେଣ୍ଟ କରି ସରକାର କରିଛି ତ ଆଉ କେଉଁଠି ପୂରା ସରକାର ନେଇଯାଇଛି। ତଥାପି ଅନେକ ରାଜ୍ୟରେ ସେମାନଙ୍କ ଆଞ୍ଚଳିକ ସମସ୍ୟାକୁ ନେଇ ରାଜନୀତି କରୁଥିବା ଦଳଗୁଡ଼ିକ ସେମାନଙ୍କ ପ୍ରାସଙ୍ଗିକତା ବଜାୟ ରଖିଛନ୍ତି। ତେଣୁ ମମତା ଏବଂ ଅଖିଳେଶ ଏହାକୁ ଗୁରୁତ୍ୱ ଦେଇଛନ୍ତି।

ବିଶ୍ୱାସ ଜିତିପାରିବେ କି ମମତା?

ମମତା ବାନାର୍ଜୀ ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପି ନେତୃତ୍ୱରେ କେନ୍ଦ୍ର ସରକାରରେ ରହିଛନ୍ତି। ଉଭୟ ସରକାରରେ ମନ୍ତ୍ରୀ ହୋଇଛନ୍ତି। କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ମମତା ବାନାର୍ଜୀଙ୍କୁ ଜଣେ ଅଗ୍ନିବର୍ଷୀ ନେତ୍ରୀ ଭାବେ ଅନେକ ନେତା ମାନୁଥିଲେ ମଧ୍ୟ ତାଙ୍କୁ ପୂର୍ଣ୍ଣ ମାତ୍ରାରେ ବିଶ୍ୱାସ କରିପାରନ୍ତି ନାହିଁ। ମମତା ବାନାର୍ଜୀ ଉଭୟ ୟୁପିଏ ଓ ଏନ୍‌ଡିଏ ସରକାରରେ ଥିଲେ ମଧ୍ୟ ସେମାନଙ୍କ ସହ ସମ୍ପର୍କ ତୁଟାଇଥିଲେ। ଅନ୍ୟ ଯେଉଁ ଆଞ୍ଚଳିକ ଦଳ ଏହି ମେଣ୍ଟରେ ସାମିଲ ହେବେ ସେମାନେ ମମତାଙ୍କୁ ବିଶ୍ଵାସ କରିପାରିବେ କି ନାହିଁ ତା’କୁ ନେଇ ଆଶଙ୍କା ଦେଖାଦେଇଛି।

କିଏ ହେବେ ତୃତୀୟ ମେଣ୍ଟ ନେତା?

ଏବେ ଅଖିଳେଶ ଓ ମମତା ହିଁ କଂଗ୍ରେସକୁ ବାଦ୍‌ ଦେଇ ତୃତୀୟ ମେଣ୍ଟ ଗଠନ ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଆଗକୁ ନବୀନଙ୍କ ସହ କଥା ହେବେ। କେସିଆର୍‌ଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି ମମତା। ଦରକାର ପଡ଼ିଲେ ଆପ୍‌, ଜେଡିୟୁ, ଆର୍‌ଜେଡି ଓ ଏନ୍‌ସିପି ସହ ମଧ୍ୟ ଆଲୋଚନା କରିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସବୁଠାରୁ ବଡ଼ ପ୍ରଶ୍ନ ହେଲା ଏହି ମେଣ୍ଟର ନେତା କିଏ ହେବେ ଏବଂ କିଏ ପ୍ରଧାନମନ୍ତ୍ରୀ ହେବେ? ବିଜେପି ପାଖରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। କଂଗ୍ରେସର ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। କିନ୍ତୁ ମେଣ୍ଟ ଏହାର ପ୍ରଧାନମନ୍ତ୍ରୀ ଚେହେରା କାହାକୁ କରିବ ସେ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେସିଆର୍, ଅଖିଳେଶ, ଅରବିନ୍ଦ କେଜ୍ରିଓ୍ଵାଲ ଓ ନିଜେ ମମତା ସମସ୍ତଙ୍କର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ରହିଛି।

୨୦୧୯ ପୂର୍ବରୁ ବି ହୋଇଥିଲା ଏମିତି ପ୍ରୟାସ

୨୦୧୯ରେ ବି କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ଏକାଧିକ ବୃହତ ପ୍ରୟାସ ହୋଇଥିଲା। ଏଥିରେ ସୋନିଆ ଗାନ୍ଧୀ, ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, କୁମାରସ୍ଵାମୀ, କେଜ୍ରିଓ୍ଵାଲ, ତେଜସ୍ଵୀ, ଏନ୍‌ସିପି ଏକାଠି ହୋଇଥିଲେ। କିନ୍ତୁ ବହୁ ଲୋକରେ ମୂଷା ମରେନି ନୀତିରେ ଏହି ମେଣ୍ଟର ବି ଅବସ୍ଥା ସେୟା ହୋଇଥିଲା। ସେତେବେଳେ ବି ନବୀନଙ୍କୁ ଏହି ମେଣ୍ଟରେ ନେବା ପାଇଁ ପ୍ରୟାସ ହୋଇଥିଲା। ହେଲେ ଏଥିରେ ସାମିଲ ହୋଇନଥିଲେ ନବୀନ।

Tags: #Politics #IndianPolitics #MamtaBanerjee #AkhileshYadav #Congress #BJP

LEAVE A REPLY

Please enter your comment!
Please enter your name here