ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋଦୀ’ ସରନେମକୁ ନେଇ ରାହୁଲ ଗାନ୍ଧୀ ୨୦୧୯ ମସିହାରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଘଟଣାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଏହି ଘଟଣାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ୨ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ସୁରଟ ସେସନ୍ସ କୋର୍ଟ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକର କୋଲାରଠାରେ ନିର୍ବାଚନ ପ୍ରଚାର ସମୟରେ ‘ମୋଦୀ’ ସରନେମକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ନୀରବ ମୋଦୀ, ଲଲୀତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ କମନ ବୋଲି କହିବା ସହ ସବୁ ଚୋରଙ୍କ ସରନେମ ‘ମୋଦୀ’ କହିଁକି ବୋଲି ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧୀ। ଯାହାକୁ ନେଇ ବିବାଦ ଘେରକୁ ଆସିଥିଲେ ରାହୁଲ ଗାନ୍ଧୀ।

ରାହୁଲ ଗାନ୍ଧୀଙ୍କ ଏହି ବିବାଦୀୟ ବୟାନକୁ ନେଇ ଗୁଜାରଟର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ୨୦୨୩ ମାର୍ଚ୍ଚ ୨୩ ତାରିଖରେ ଏହି ମମଲାର ଶୁଣାଣି ହେବାର ଥିଲା। ଗୁରୁବାର ଦିନ ଗୁଜୁରାଟର ସୁରଟ ସେସନ୍ସ କୋର୍ଟ ଏହି ମାମଲାର ବିଚାର କରି ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ଏକ ଅପରାଧିକ ମାମଲା ହୋଇଥିବା ବେଳେ ରାହୁଲ ଗାନ୍ଧୀ ଜାଣିଶୁଣି ଅପମାନିତ କରିଛନ୍ତି ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ରାହୁଲଙ୍କୁ ସମ୍ପୃକ୍ତ କୋର୍ଟରୁ ୩୦ ଦିନ ପାଇଁ ଜାମିନ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବାକୁ ରାହୁଲଙ୍କୁ ସମୟ ଦିଆଯାଇଛି।

ଏହି ଘଟଣାରେ ରାହୁଲ ଗାନ୍ଧୀ ନିଜର ବୟାନ ରଖି କହିଥିଲେ, “ମୋର କୌଣସି ଭୁଲ ଉଦ୍ଦେଶ୍ୟ ନଥିଲା। ଏହା ନୂଆ ନହେଁ, ଜଣେ ରାଜନେତା ହିସାବରେ ଦେଶରେ ଚାଲିଥିବା ଭ୍ରଷ୍ଟାଚାର ବିରୋଧରେ ମୁଁ ସବୁବେଳେ ସ୍ଵରଉଠାଇ ଆସିଛିା”

ଏହି ରାୟକୁ ନେଇ ବିଭିନ୍ନ ରାଜନେତା ନିଜର ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ପୂର୍ବରୁ ଏ ସମ୍ପର୍କରେ ସମସ୍ତଙ୍କୁ ଜଣାଥିଲା। ୨୦୨୧ରେ ଏହି ମାମଲାରେ ରାହୁଲ ସୁରତ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ବାରମ୍ବାର ବିଚାରପତି ପରିବର୍ତ୍ତନ କରାଯାଉଥିଲା। ନୂଆ ନିଯୁକ୍ତ କରାଯିବା ପରେ ରାହୁଲଙ୍କୁ କୋର୍ଟରେ ହାଜର କରାଯାଇ ତାଙ୍କ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଇନ ଅସୁଯାୟୀ ଆଗକୁ କଂଗ୍ରେସ ପଦକ୍ଷେପ ଗ୍ରହଣ କରିବ। ଲୋକଙ୍କୁ ସତ କ’ଣ ଜଣାଇବା ଆମର କାମ ବୋଲି ସେ କହିଛନ୍ତି।

ଏହି ରାୟ ଉପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୂର୍ବରୁ ଚକ୍ରାନ୍ତ କରାଯାଇଥିବା ସମସ୍ତେ ଜାଣନ୍ତି। ସୁରତ ସେସନ୍ସ କୋର୍ଟରେ ନୂଆ ବିଚାରପତିଙ୍କୁ ନିଯୁକ୍ତ କରାଯିବା ପରେ ରାହୁଲଙ୍କୁ କୋର୍ଟରେ ହାଜର କରାଯାଇ ତାଙ୍କ ଦୋଷୀ ସାବ୍ୟସ୍ତ କରାଯାଇଛି। ‘ମୋଦୀ’ ସରନେମକୁ ନେଇ ରାହୁଲଙ୍କ ବୟାନ ଅପରାଧ ନୁହେଁ ବୋଲି ଅଧୀର ରଞ୍ଜନ କହିଛନ୍ତି।

ଭାଇଙ୍କୁ ସମର୍ଥନ କଲେ ପ୍ରିୟଙ୍କା

ନିଜ ଭାଇଙ୍କୁ ସମର୍ଥନ କରି ପ୍ରିୟଙ୍କା ଗାନ୍ଧୀ ଟୁଇଟ କରି ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଆତଙ୍କିତ ହୋଇଡ଼ିଥିବା କେନ୍ଦ୍ର ସରକାର କଳେ, ବଳେ, କୌଶଳେ ରାହୁଲ ଗାନ୍ଧୀଙ୍କ ସ୍ଵର ଚାପି ଦେବାକୁ ଅପଚେଷ୍ଟା ଜାରି ରଖିଛନ୍ତି। ମୋ ଭାଇ କେବେ ଡରିନାହାନ୍ତି କି ଡରିବେ ନାହିଁ। ସତ କହି ବଞ୍ଚିଛନ୍ତି, ଆଗକୁ ସତ ହିଁ କହିବେ। ସତର ଶକ୍ତି ଏବଂ କୋଟି କୋଟି ଜନତାଙ୍କ ଭଲ ପାଇବା ତାଙ୍କ ସହିତ ରହିଛି।”

ନେତାଙ୍କୁ ଶେଷ କରିବାକୁ ଚକ୍ରାନ୍ତ – ଅରବିନ୍ଦ କେଜ୍ରିଓ୍ଵା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡବିଧାନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଅଣବିଜେପି ନେତା ଏବଂ ଦଳଗୁଡ଼ିକ ଉପରେ ମୋକଦ୍ଦମା ରୁଜୁ କରି ସେମାନାଙ୍କୁ ଶେଷ କରିବା ଲାଗି ଷଡ଼ଯନ୍ତ୍ର ଚାଲିଛି। ଆମ୍ ଆଦମୀ ପାର୍ଟିର କଂଗ୍ରେସ ଦଳ ସହ ମତ ପ୍ରାର୍ଥକ୍ୟ ରହିଛି। କିନ୍ତୁ ଯେଉଁଭଳି ଭାବେ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମକଦ୍ଦମାରେ ଫଶାଇ ଦିଆଗଲା ତାହା ଗ୍ରହଣୀୟ ନୁହେଁ। ବିରୋଧୀ ଏବଂ ସାଧାରଣ ଲୋକଙ୍କ କାମ ହେଲା ପ୍ରଶ୍ନ କରିବା। କୋର୍ଟଙ୍କୁ ସମ୍ମାନ ଜଣାଉଛୁ, କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ଆମେ ଅସହମତ ବୋଲି କେଜ୍ରିଓ୍ଵାଲ କହିଛନ୍ତି।

ରାହୁଲ ଯାହା କୁହନ୍ତି, ସେଥିରେ ସମସ୍ତଙ୍କର କ୍ଷତି ହୁଏ – କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ

ରାହୁଲ ଗାନ୍ଧୀଙ୍କ ବିରୋଧରେ କୋର୍ଟଙ୍କ ରାୟକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ରାହୁଲ ଗାନ୍ଧୀ ଯାହା କୁହନ୍ତି, ସେଥିରେ କେବଳ କ୍ଷତି ହିଁ ହୋଇଥାଏ। ଏହା ଦ୍ଵାରା କଂଗ୍ରେସର କ୍ଷତି ହେବା ସହ ଦେଶର ମଧ୍ୟ କ୍ଷତି ହେଉଛି। ତାଙ୍କ ଯୋଗୁଁ ଦଳ ବୁଡ଼ିବା ପରିସ୍ଥିତିରେ।”

ରାହୁଲ ଗାନ୍ଧୀଙ୍କ ଜେଲ୍‌ ଦଣ୍ଡାଦେଶ ପରେ ସମାଲୋନଚା କରିବାକୁ ବିଜେପି ଆଉ ଏକ ସୁଯୋଗ ମିଳିଯାଇଛି। ଏହାରି ମଧ୍ୟରେ ରାହୁଲଙ୍କ ସାଂସଦ ପଦବୀ ଚାଲିଯିବା ନେଇ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ପ୍ରୟାସ ଆରମ୍ଭ ହୋଇଛି। ରାହୁଲଙ୍କ ପାଇଁ ଆଗକୁ ସଙ୍କଟ ଆହୁରି ବଢ଼ିବ ବୋଲି କୁହାଯାଉଛି।

Tags: #Politics #IndianPolitics #RahulGandhi #SuratCourt #ControvercialStatement

Comment