ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟି କଣ୍ଢେଇରୁ କାଠି କଣ୍ଢେଇ, ଦକ୍ଷ ବିନ୍ଧାଣୀ ମାଗୁଣି ଚରଣ ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନ। ହଜିଯାଉଥିବା କାଠି କଣ୍ଢେଇ ନୃତ୍ୟକୁ ଜୀବିତ ରଖିବାରେ ତାଙ୍କର ଏହି ପ୍ରୟାସ ପାଇଁ ରାଷ୍ଟ୍ରପତିଙ୍କଠାରୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର।

ମାଗୁଣି ଚରଣ କୁଅଁର ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ମାଟି କଣ୍ଢେଇ ଗଢ଼ୁଥିବା ପରିବାରରେ ଜନ୍ମ ହୋଇଥିବାରୁ ପିଲାଟି ଦିନରୁ ମାଟି କଣ୍ଢେଇ ପ୍ରତି ତାଙ୍କର ରହିଥିବା ସ୍ଵତନ୍ତ୍ର ସମ୍ପର୍କ। ପିଲାଟି ଦିନରୁ ସେ ମାଟି କଣ୍ଢେଇ ଗଢ଼ିବା ଶିଖିଥିଲେ। ତାଙ୍କ ହାତର ନିଖୁଣ କଳାକୃତିକୁ ଅନେକ ପ୍ରଶଂସା ମିଳୁଥିଲା। ତାଙ୍କ ହାତ ତିଆରି କଣ୍ଢେଇ ନେବାକୁ ଗ୍ରାହକଙ୍କ ଆଗ୍ରହ ଦେଖିବାକୁ ମିଳୁଥିଲା।

ମାଟି କଣ୍ଢେଇରୁ କାଠି କଣ୍ଢେଇ ନୃତ୍ୟ

ଦିନେ ମାଟି କଣ୍ଢେଇ ତିଆରି କରୁଥିବା ହାତ ନିର୍ମାଣ କଲା କାଠି କଣ୍ଢେଇ। ମାଗୁଣି ଚରଣ କୁଅଁର ଦିନରେ ମାଟି କଣ୍ଢେଇ ଗଢ଼ୁଥିଲେ ଆଉ ରାତିରେ ଗାଁ ରାମଲୀଳାରେ ଗୀତ ଗାଉଥିଲେ ଏବଂ ବାଜା ମଧ୍ୟ ବଜାଉଥିଲେ। ମାଗୁଣିଙ୍କର ଜଣେ କଣ୍ଢେଇ ଗ୍ରାହକ ତାଙ୍କୁ କାଠି କଣ୍ଢେଇ ନିର୍ମାଣ କରିବା ସହ କାଠି କଣ୍ଢେଇ ନୃତ୍ୟ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ। ନିଜର କିଛି ସହଯୋଗୀଙ୍କୁ ନେଇ କାଠି କଣ୍ଢେଇ ନୃତ୍ୟ ପ୍ରଦର୍ଶନ କରିବାକୁ ଚିନ୍ତା କରିଥିଲେ ମାଗୁଣି।

ମାତ୍ର ୧୬ ବର୍ଷ ବୟସରେ କାଠି କଣ୍ଢେଇ ନୃତ୍ୟ କ୍ଷେତ୍ରରେ ପ୍ରବେଶ କରିଥିଲେ ମାଗୁଣି ଚରଣ କୁଅଁର। ପ୍ରଥମେ ନିଜ ଗାଁରେ କାଠି କଣ୍ଢେଇ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ। ପରେ ସେ ଆଖ ପାଖ ଗାଁରେ ମଧ୍ୟ ଏହି ସ୍ଵତନ୍ତ୍ର କଳାକୁ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ହଜିବାକୁ ବସିଥିବା ଏହି କଳାକୁ ଆଜି ପର୍ଯ୍ୟନ୍ତ ସେ ବଞ୍ଚେଇ ରଖିପାରିଛନ୍ତି। ପୌରାଣିକ କଥା ବସ୍ତୁ ଏବଂ ସାମାଜିକ ବାର୍ତ୍ତା ନେଇ କାଠି କଣ୍ଢେଇ ନୃତ୍ୟ ପରିବେଷଣ କରିଥାନ୍ତି ମାଗୁଣି ଚରଣ କୁଅଁର।

କାଠି କଣ୍ଢେଇ ନୃତ୍ୟ ପାଇଁ ପାଇଛନ୍ତି ରାଷ୍ଟ୍ରପତି ପୁରସ୍କାର

ମାଗୁଣି ଚରଣ କୁଅଁର କାଠି କଣ୍ଢେଇ ନୃତ୍ୟ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ବିଲୁପ୍ତ ପ୍ରାୟ ଏହି କଳାକୁ ବିଞ୍ଚାଇ ରଖିବାରେ ତାଙ୍କର ଅତୁଳନୀୟ ଅବଦାନ ଲାଗି ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସମ୍ମାନ ଓ ପ୍ରଶଂସା ପ୍ରାପ୍ତ ହୋଇଛି। ଓଡ଼ିଶା ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରର ଅଧିକାରୀ ହୋଇଛନ୍ତି ମାଗୁଣି ଚରଣ। ୨୦୧୨ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି।

ମାଗୁଣିଙ୍କ ‘ବିଶ୍ଵକର୍ମା କଳାକୁଞ୍ଜ’

୧୯୫୫ ମସିହାରେ ମାଗୁଣି ଚରଣ କୁଅଁର ଗଠନ କରିଥିଲେ ‘ବିଶ୍ଵକର୍ମା କଳାକଞ୍ଜ’ ନାମକ ସଂସ୍ଥା। ନିଜର ୫ ଜଣ ସହଯୋଗୀ ଏବଂ ଅଳ୍ପ କିଛି ପୁଞ୍ଜିରେ ଏହି ସଂସ୍ଥା ଆରମ୍ଭ ହୋଇଥିଲା। ବିଶ୍ଵକର୍ମା କଳାକୁଞ୍ଚ ସଂସ୍ଥା ମାଧ୍ୟରେ ସେ ଆଧୁନିକ ଢଙ୍ଗରେ କାଠି କଣ୍ଢେଇ ନୃତ୍ୟ ପ୍ରଦର୍ଶନ ଆରମ୍ଭ କଲେ। ଧୀରେ ଧୀରେ କାଠି କଣ୍ଢେଇର ଆଦର ବଢ଼ିଲା। ବିଭିନ୍ନ ସ୍ଥାନରେ କାଠି କଣ୍ଢେଇ ନୃତ୍ୟ ପ୍ରଦର୍ଶନ ପାଇଁ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଲା। କାଠି କଣ୍ଢେଇ ନିର୍ମାଣ କରିବା ସହ ସେ ନିଜେ ସଂଳାପ ଲେଖିଥାନ୍ତି ଏବଂ ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥାନ୍ତି। କେବେଳ ସେତିକି ନୁହେଁ ସେ ପୁରୁଷ, ମହିଳା, ବିଭିନ୍ନ ପଶୁପକ୍ଷୀ ଏବଂ ଭିନ୍ନ ଭିନ୍ନ କଣ୍ଠ ସ୍ଵରରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି।

ମାଗୁଣୀ ଚରଣ କଅଁରଙ୍କୁ ପଦ୍ମଶ୍ରୀ ସମ୍ମାନ

କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ମାଗୁଣି ଚରଣ କୁଅଁରଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ। ୨୦୨୩ ମାର୍ଚ୍ଚ ୨୨ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଗୁଣି ଚରଣଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍ ଏମ୍ କ୍ରିଷ୍ଣାଙ୍କୁ ପଦ୍ମ ବିଭୂଷଣ ଏବଂ ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗ୍ରୁପ ଚେୟାମ୍ରାନ କୁମାର ମଙ୍ଗଳମ ବିର୍ଲାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

Tags: #PadmaShriAward #Puppeteer #MaguniCharanKuanr #Keunjhar #TraditionalPuppetDanceFormofOdisha

LEAVE A REPLY

Please enter your comment!
Please enter your name here