ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋଦୀ’ ସରନେମକୁ ଉପରେ ବୟାନ ଦେଇ ଫସିଛନ୍ତି ରାହୁଲ ଗାନ୍ଧୀ। ସୁରଟର ସେସନ୍ସ କୋର୍ଟ ଏହି ମାମଲାରେ ରାହୁଲଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କୁ ବେଲ୍ ମିଳିଥିଲେ ମଧ୍ୟ ଏବେ ତାଙ୍କ ସଂସାଦ ପଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏବେ ରାହୁଲଙ୍କୁ ବଞ୍ଚାଇବା ପାଇଁ ତତ୍ପର ହୋଇଛି କଂଗ୍ରେସ। ଏନେଇ ଶୁକ୍ରବାର ଅପରାହ୍ଣରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି।

ଏହି ବୈଠକ କଂଗ୍ରେସ ମୁଖ୍ୟାଳୟରେ ଶୁକ୍ରବାର ଅପରାହ୍ଣ ୫ଟାରେ ବସିବ। ଏଥିରେ କଂଗ୍ରେସ ଷ୍ଟିୟରିଂ କମିଟିର ସଦସ୍ୟ, କିଛି ପ୍ରଦେଶ କଂଗ୍ରେସ କମିଟିର ସଭାପତି, ସାଂସଦ ଓ ଅନ୍ୟ ନେତା ଯୋଗ ଦେବେ। ଏହି ବୈଠକରେ ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେବେ।

ବୈଠକରେ ରାହୁଲ ଗାନ୍ଧୀଙ୍କୁ ହୋଇଥିବା ଦୁଇବର୍ଷ ଜେଲ ଦଣ୍ଡ ଉପରେ ସମୀକ୍ଷା କରାଯିବ। ଏହି ମାମଲାରେ ଆଇନ ଦୃଷ୍ଟିରୁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ତର୍ଜମା କରାଯିବ। ଏହାଛଡ଼ା ଏହି ପ୍ରସଙ୍ଗରେ ଆଗକୁ ଦଳର କ’ଣ ଆଭିମୁଖ୍ୟ ରହିବ ତାହାର ମଧ୍ୟ ବିଚାର କରାଯିବ।

ଅନ୍ୟପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ରାହୁଲଙ୍କ ବିଷୟରେ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ବୈଠକ କରିଥିଲେ।  ଏହି ବୈଠକରେ ସମାଜବାଦୀ ପାର୍ଟି, ଟିଏମସି, ଜେଡିୟୁ, ଡିଏମକେ, ସିପିଆଇ, ସିପିଏମ ଓ ଅନ୍ୟନ୍ୟା ଦଳର ନେତା ସାମିଲ ହୋଇଥିଲେ।  ଏଥିରେ ରାହୁଲ ଗାନ୍ଧୀଙ୍କ ମାମଲାକୁ ନେଇ ବିରୋଧୀ ଦଳଗୁଡ଼ିକର ରଣନୀତି କ’ଣ ରହିବ ତାହା ସ୍ଥିର କରାଯାଇଥିଲା।

୨୦୧୯ ‘ମୋଦୀ’ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା, ରାହୁଲ ଗାନ୍ଧୀଙ୍କ ରାଜନୈତିକ କାରିୟର ଉପରେ ସଙ୍କଟ ଆଣିଛି। ଭାରତୀୟ ଜନପ୍ରତିନିଧି ଆଇନ ୧୯୫୧ ଅନୁସାରେ ଏବେ ତାଙ୍କ ସାଂସଦ ପଦ ଚାଲିଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ମାମଲାରେ ଆଗକୁ କ’ଣ ପଦକ୍ଷେପ ନିଆଯିବ ସେନେଇ କଂଗ୍ରେସ ବିଚାର କରୁଛି।

Tags: #RahulGandhi #DefamationCase #Congress #EmergencyMeeting #CongressPresident

Comment