ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘ସଚ୍ଚାଇ ମେରା ତପସ୍ୟା ହୈ। ୟେ ମେରା ଖୁନ୍‌ ମେଁ ହୈ’’
‘‘ୟେ ତପସ୍ୟା ମେଁ ଜାରି ରଖୁଙ୍ଗା’’
‘‘ମେଁ ସବାଲ୍‌ ପୁଛନା ବନ୍ଦ ନହିଁ କରୁଙ୍ଗା’’
‘‘ମେଁ ଡରୁଙ୍ଗା ନହିଁ’’

କେନ୍ଦ୍ରର ବିଜେପି ସରକାରକୁ ଏହି ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

‘ମୋଦୀ’ ସରନେମ୍‌ ମାମଲାରେ ଲୋକସଭା ସଦସ୍ୟତା ପଦ ହରାଇବା ପରେ ରାହୁଲ ସିଧାସଳଖ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ଶନିବାର ଦିନ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାରକୁ ଘେରିଛନ୍ତି।

ରାହୁଲ ସିଧା ସିଧା କହିଛନ୍ତି, ‘‘ମୁଁ ଡରିଯିବା ଲୋକ ନୁହେଁ। ଜେଲ୍‌ ହେଉ କି ସ୍ଥାୟୀ ନିର୍ବାସନ; ମୁଁ ଏ ପ୍ରଶ୍ନ କରିବା ଜାରି ରଖିବି। ଆଦାନୀ ଓ ମୋଦୀଙ୍କ ଭିତରେ ସମ୍ପର୍କ କ’ଣ? ଆଦାନୀ କମ୍ପାନିରେ ନିବେଶ ହୋଇଥିବା ନିର୍ଦ୍ଦିଷ୍ଟ ୨୦ହଜାର କୋଟି ଟଙ୍କା କାହାର?’’

‘‘ସଂସଦରେ ମତେ ସ୍ପଷ୍ଟୀକରଣ ଦେବାର ସୁଯୋଗ ମିଳିଲାନି’’

ରାହୁଲ କହିଛନ୍ତି ଯେ, ମାନହାନୀ ମକଦ୍ଦମା ଏକ ବାହାନା; ବରଂ ତାଙ୍କର ଅଦାନୀ-ମୋଦୀ ସମ୍ପର୍କକୁ ନେଇ ଏ ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ବିଚଳିତ କରିଦେଇଥିଲା। ଏ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଅନ୍ୟ ପ୍ରସଂଗରେ ଗୃହରେ ତାଙ୍କ ସମ୍ପର୍କରେ ମନ୍ତ୍ରୀମାନେ ମିଛ କହିଥିଲେ। ଗୃହରେ ତାଙ୍କୁ କହିବାକୁ ଦିଆଗଲା ନାହିଁ। ୟୁକେରେ ସେ ଦେଇଥିବା ଭାଷଣର କଦର୍ଥ କରି ଲୋକସଭାରେ ପ୍ରସଙ୍ଗ କରାଯାଇଥିଲା।

‘‘ୟୁକେ ବୟାନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ମୁଁ ଦୁଇଥର ବାଚସ୍ପତିଙ୍କୁ ଚିଠି ଲେଖିଥିଲି। କିନ୍ତୁ ମତେ ଚିଠିର ଉତ୍ତର ମିଳିଲା ନାହିଁ। ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିଥିଲି। କିନ୍ତୁ ବାଚସ୍ପତି ମତେ ସୁଯୋଗ ଦେଇ ନଥିଲେ। ତା’ପରେ ଅଦାଲତରେ ଦଣ୍ଡିତ ହେବା ଓ ସଦସ୍ୟତା ରଦ୍ଦ ହେବା ଭଳି ଘଟଣା ଘଟିଥିଲା’’, କହିଛନ୍ତି ରାହୁଲ ଗାନ୍ଧୀ।

‘‘ଅଦାନୀଙ୍କ ପ୍ରସଂଗରେ ମୁଁ ଚିଠି ଲେଖିଥିଲି’’

‘‘ଯେଉଁ ସବୁ ଏୟାରପୋର୍ଟ ଅଦାନୀଙ୍କୁ ଦିଆଯାଇଛି ସେଠାରେ ସବୁ ନିୟମ ଭଙ୍ଗା ଯାଇଛି। ନିୟମ ସମ୍ବଳିତ ତଥ୍ୟ ମୁଁ ଦେଇଥିଲି। କିନ୍ତୁ ଏହାର କିଛି ପ୍ରଭାବ ପଡ଼ି ନ ଥିଲା। ବରଂ ଏହା ପରଠାରୁ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନେ ମୋ ସମ୍ପର୍କରେ ମିଛ କହିବା ଆରମ୍ଭ କରିଥିଲେ। ମୁଁ ବିଦେଶରୁ ସହାୟତା ନେଉଥିବା ଅଭିଯୋଗ ଆଣିଥିଲେ।’’

‘‘ମୋଦୀଙ୍କ ଆଖିରେ ମୁଁ ଭୟ ଦେଖିଛି’’

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ନେଇ ବର୍ଷିଛନ୍ତି। ଆଦାନୀ ଓ ମୋଦୀଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇ ରାହୁଲ ରାଜନୀତି ପାଣିପାଗକୁ ଗରମ କରିଛନ୍ତି।

‘‘ମୁଁ ମୋଦୀଙ୍କ ଆଖିରେ ଭୟ ଦେଖିଛି। ମୁଁ ଲୋକଙ୍କ ଗଣତନ୍ତ୍ର ଅଧିକାର ପାଇଁ ଲଢ଼େଇ କରୁଛି। ଆଗକୁ ମଧ୍ୟ ଗଣତନ୍ତ୍ର ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବି’’, କହିଛନ୍ତି ରାହୁଲ।


‘‘ଧ୍ୟାନ ହଟାଇବା ପାଇଁ ବିଜେପିର ଯୋଜନା’’

‘‘ମୁଁ ଭାରତ ଯୋଡ଼ୋ ଯାତ୍ରାରେ ସବୁବେଳେ କହିଆସୁଛି ସମସ୍ତେ ଏକ। ହିଂସା ଦ୍ଵେଷ ରହିବା ଜରୁରୀ ନୁହେଁ। ମୁଁ କେବେ ବି ଓବିସିଙ୍କୁ ଅପମାନିତ କରିନାହିଁ। ଏହା ଓବିସି ପ୍ରସଂଗ ନୁହେଁ। କେବଳ ଆଦାନୀ ପ୍ରସଂଗରୁ ଧ୍ୟାନ ହଟାଇବା ପାଇଁ ଏହା ବିଜେପିର ଯୋଜନା।’’

ରାହୁଲ ଆହୁରି କହିଛନ୍ତି, ‘‘ମୁଁ କାହାକୁ ଡରେ ନାହିଁ। ଦଣ୍ଡ, ଧମକ ଏସବୁ ପ୍ରତି ମୋର ଭୟ ନାହିଁ। ମୁଁ ସେମାନଙ୍କୁ ବାରମ୍ବାର ଏ ପ୍ରଶ୍ନ ପଚାରିବା ଜାରି ରଖିବି। ମତେ ନେଇ ଏ ମାନହାନୀ ମକଦ୍ଦମା ଏକ ରାଜନୈତିକ ଷଡ଼ଯନ୍ତ୍ର। ଅସଲ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ମୋ ସଦସ୍ୟତା ପଦ ରଦ୍ଦର ଯୋଜନା କରାଯାଇଥିଲା।’’

‘‘ଆମେ ଲୋକଙ୍କ ପାଖକୁ ଯିବୁ’’

ଦେଶରେ ବିରୋଧୀ ଦଳକୁ ଗଣମାଧ୍ୟମରୁ ଯେଉଁ ସମର୍ଥନ ମିଳୁଥିଲା ଆଜିକାଲି ସେ ସବୁ ମିଳୁନାହିଁ। ତେଣୁ ବିରୋଧୀ ଦଳ ପାଖରେ କେବଳ ଲୋକଙ୍କ ପାଖକୁ ଯିବାର ବିକଳ୍ପ ରହିଛି। ଏ ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ହିଁ ଯିବୁ ବୋଲି ରାହୁଲ କହିଛନ୍ତି।

‘‘ମୁଁ ସବୁ ବେଳେ ସତ କୁହେ’’

‘‘ମୋ ରକ୍ତରେ ସତ୍ୟତା ରହିଛି। ମୋ ଜୀବନର ତପସ୍ୟା ସତ କହିବା। ମତେ କିଏ ପିଟୁ ମାରୁ କିଏ ଜେଲ୍‌ରେ ଭର୍ତ୍ତି କରୁ ତଥାପି ମୁଁ ସତ କହିବି। ଏ ଦେଶ ମତେ ସବୁ କିଛି ଦେଇଛି। ଏ ଦେଶ ମତେ ଭଲପାଇବା ଓ ସମ୍ମାନ ଦେଇଛି। ତେଣୁ ଦେଶ ପାଇଁ ମୁଁ ସତ କହିବା ଜାରି ରଖିବି।’’

‘‘ଗାନ୍ଧୀ କେବେ କ୍ଷମା ମାଗନ୍ତି ନାହିଁ’’

‘ମୋଦୀ’ ସରନେମ୍ ବୟାନ ସମ୍ପର୍କରେ ରାହୁଲ କହିଛନ୍ତି ଯେ ଏହା ବିଚାର ପ୍ରକ୍ରିୟାର ପରିସରରେ ଥିବାରୁ ସେ କିଛି କହିବା ଠିକ୍ ହେବନାହିଁ। ଏ ପ୍ରସଂଗରେ ନେଇ କ୍ଷମା ମାଗିବେ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ, ‘‘ମୁଁ ସବରକର ନୁହେଁ, ମୁଁ ଗାନ୍ଧୀ। ଗାନ୍ଧୀ କେବେ କ୍ଷମା ମାଗନ୍ତି ନାହିଁ।’’

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ସବୁ ବିରୋଧୀ ଦଳ ରାହୁଲଙ୍କୁ ସମର୍ଥନ କରିଛନ୍ତି। ଏହାକୁ ନେଇ ରାହୁଲ ସମସ୍ତ ବିରୋଧୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀଙ୍କ ଭୟ ବିରୋଧୀ ଦଳକୁ ଫାଇଦା ଦେବ ଏବଂ ସମସ୍ତେ ଏକାଠି କାମ କରିବେ ବୋଲି ରାହୁଲ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ।

Tags: #RahulGandhi #DefamationCase #ParliamentMembership #Congress

Comment