ଓଡ଼ିଶାଲାଇଭ୍ ବ୍ୟୁରୋ

ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦକୁ ନେଇ ଏବେ ଦେଶରେ ରାଜନୀତି ଜୋର୍ ଧରିଛି। ଏହି ପ୍ରସଙ୍ଗକୁ ଆଧାର କରି ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ସଂସଦ ବାହାରେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛନ୍ତି।

ସୋମବାର କଂଗ୍ରେସ ଓ ଅନ୍ୟ ବିରୋଧୀଦଳର ନେତାମାନେ କଳା ପୋଷାକ ପିନ୍ଧି ସଂସଦକୁ ଆସିଥିଲେ। ସେମାନେ ଗୃହ ଭିତରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଓ ଆଦାନୀ ପ୍ରସଙ୍ଗକୁ କେନ୍ଦ୍ର କରି ହଙ୍ଗାମା କରିଥିଲେ। ଏଥିଲାଗି ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବିରୋଧୀମାନେ ଗୃହ ବାହାରକୁ ଆସି ପ୍ରତିବାଦ କରିଥିଲେ। ଏହାଛଡ଼ା ସେମାନେ ସଂସଦରୁ ବିଜୟ ଚୌକ ଯାଏଁ ଏକ ରାଲି କରିଥିଲେ।

“ଆମ ଦେଶର ଗଣତନ୍ତ୍ର ଏବେ ସଙ୍କଟରେ ପଡ଼ିଛି। ପ୍ରତିଦିନ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। କେନ୍ଦ୍ର ସରକାର ସରକାରୀ ସଂସ୍ଥାଗୁଡ଼ିକର ବ୍ୟବହାର କରି ବିରୋଧୀମାନଙ୍କ ସ୍ଵର ଦବାଇବାକୁ ଚେଷ୍ଟା କରୁଛନ୍ତି। ରାହୁଲ ଗାନ୍ଧୀଙ୍କୁ ଆଜି ସତ କହିବ ପାଇଁ ସରକାର ଦଣ୍ଡ ଦେଇଛନ୍ତି। ଏଥିଲାଗି ଆଜି ଆମେ କଳା ପୋଷାକ ପିନ୍ଧି ପ୍ରତିବାଦ ଜଣାଉଛୁ”, କହିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ।

ସୋମବାର ବିରୋଧ ପ୍ରଦର୍ଶନ ପୂର୍ବରୁ କଂଗ୍ରେସ ଅନ୍ୟ ବିରୋଧୀ ଦଳର ନେତାମାନେ ଏକ ବୈଠକ କରିଥିଲେ। ଏଥିରେ ସମାଜବାଦୀ ପାର୍ଟି, ଟିଏମସି, ଜେଡିୟୁ, ଡିଏମକେ, ସିପିଆଇ, ସିପିଏମ ଓ ଅନ୍ୟନ୍ୟା ଦଳର ନେତା ସାମିଲ ହୋଇଥିଲେ। ବୈଠକରେ ସରକାରଙ୍କ ବିରୋଧରେ କରାଯିବାକୁ ଥିବା ପ୍ରଦର୍ଶନକୁ ନେଇ ଚର୍ଚ୍ଚା କରାଯାଇଥିଲା।

୨୦୧୯ ‘ମୋଦୀ’ ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାହୁଲ ଗାନ୍ଧୀ ନିଜ ସାଂସଦ ପଦ ହରାଇଛନ୍ତି। ଏହା ରାହୁଲ ଓ କଂଗ୍ରେସ ଉଭୟଙ୍କ ପାଇଁ ସଙ୍କଟ ଆଣିଛି। ଏବେ ଏହାକୁ ନେଇ କଂଗ୍ରେସ ଓ ବିରୋଧୀମାନେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି।

Tags: #RahulGandhi #DefamationCase #Congress #OppositionParties #Demonstration

Comment