ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରେ ଆରମ୍ଭ ହୋଇଛି ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ଏବଂ ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ନବଦିନାତ୍ମକ ଘଟଯାତ୍ରା ବା ଘଟପର୍ବ। ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଏହି ପର୍ବ ଚାଲିବ। ବହୁ ବର୍ଷ ଧରି ନବରଙ୍ଗପୁରରେ ଘଟଯାତ୍ରା ପର୍ବ ହୋଇଆସୁଛି।

ସୋମବାରଠାରୁ ଆରମ୍ଭ ହୋଇଥିବା ଘଟଯାତ୍ରା ପର୍ବ ୯ ଦିନ ଧରି ଚାଲିବ। ଏହି ଯାତ୍ରାରେ ୯ଦିନ ଯାକ ୪ଟି ଘଟ ସାମିଲ ହୋଇଥାନ୍ତି। ପ୍ରଥମ ଘଟ ହାଣ୍ଡି ମା’ ବୁଢ଼ୀ ଠାକୁରାଣୀଙ୍କର ହୋଇଥିବା ବେଳେ ଦ୍ଵିତୀୟ ଘଟ ହାଣ୍ଡି ମା’ ଭଣ୍ଡାରଘରଣୀଙ୍କର ଏବଂ ତୃତୀୟ ଘଟ ହାଣ୍ଡି ମାଉଲି ମା’ଙ୍କର ହୋଇଥିବାବେଳେ ଚତୁର୍ଥ ଘଟ ହାଣ୍ଡି ମା’ ପରଦେଶୀ କନକ ଦୁର୍ଗାଙ୍କର। ଏହା ବ୍ୟତୀତ ଏହି ଯାତ୍ରାରେ ଦୁଇଟି ଲାଠି, ଗୋଟିଏ ଛତର, ଗୋଟିଏ ହଳଦୀ କଳସ ଏବଂ ଗୋଟିଏ ଫୁଲ ଚାଙ୍ଗୁଡ଼ି, ମୋଟ ୯ ଜଣ ଦେବୀ ସାମିଲ ହୋଇ ସହର ପରିକ୍ରମା କରିଥାନ୍ତି।

ଯାତ୍ରାର ପ୍ରଥମ ଦିନର ସନ୍ଧ୍ୟାରେ ମା’ ବୁଢ଼ୀ ଠାକୁରାଣୀ ଭଣ୍ଡାର ଘରଣୀ ମନ୍ଦିର ପହଞ୍ଚି ଶୃଙ୍ଗାର ନୀତି ସରିବା ପରେ ମନ୍ଦିରକୁ ଫେରିଥାନ୍ତି। ସେଠାରୁ ପୁନର୍ବାର ଘଣ୍ଟ, ବାଜା, ମୃଦଙ୍ଗ ସାଙ୍ଗକୁ ହରିବୋଲ ହୁଳହୁଳି ଧ୍ଵନୀରେ ମା’ଙ୍କୁ ସ୍ଵାଗତ କରାଯାଏ। ଧୂପ, ଦୀପ ଦେଇ ୯ ଦେବୀଙ୍କୁ ସହର ପରିକ୍ରମା କରିବାକୁ ନିଆଯାଏ। ଏହା ପୂର୍ବରୁ ସର୍ବପ୍ରଥମେ ରାଜାଙ୍କ ଘରକୁ ଯାଇ ପ୍ରଥମ ଭୋଗ ଖାଇ ମା’ ସହର ପରିକ୍ରମା କରିଥାନ୍ତି।

ଯାତ୍ରା ଶେଷ ହେବାର ଦିନକ ପୂର୍ବରୁ ମା’ ସାହି ପରିକ୍ରମା କରିଥାନ୍ତି। ପରେ ୪ ତାରିଖ ଦିନ ମନ୍ଦିରକୁ ଫେରି ବିଶ୍ରାମ ନେବା ପରେ ସନ୍ଧ୍ୟା ୬ଟାରେ ସମସ୍ତ ଘଟ ବିସର୍ଜନ କରାଯାଏ। ମା’ଙ୍କ ନବ ଦିନାତ୍ମକ ଘଟ ଯାତ୍ରାର ସମସ୍ତ ନୀତି କାନ୍ତି ନବରଙ୍ଗପୁର ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହେଉଥିବାବେଳେ ମା’ ଭଣ୍ଡାରଘରଣୀ ଏବଂ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ମୁଖ୍ୟ ପୂଜକ ବାବୁନୁ ରଥ, ରାଜୀବ ଲୋଚନ ପୂଜାରୀ ଏବଂ କୃଷ୍ଣ ପୂଜାରୀ ପୂଜାରେ ସମସ୍ତ ପ୍ରକାର ସହଯୋଗ କରିଥାନ୍ତି।

Tags: #MaaBhandaragharani #MaaBudhiThakurani #GhataJatra #GhataParba #Nabarangpur #Culture #Tradition

Comment