ଶୁଭଶ୍ରୀ ନାୟକ

ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ଓଡ଼ିଆ ପୁଅ ତଥା ବଲିଉଡ କଣ୍ଠଶିଳ୍ପୀ ୠତୁରାଜଙ୍କ କାହାଣୀ

ସଙ୍ଗୀତ ଜଗତର ଜଣେ ପରିଚିତ ନାଁ ଋତୁରାଜ ମହାନ୍ତି। ସିଙ୍ଗିଙ୍ଗ୍ ରିଆଲିଟି ସୋ’ ଇଣ୍ଡିଆଜ୍ ର’ ଷ୍ଟାରରେ ଚମକିଥିବା ଜଣେ ଓଡ଼ିଆ ସିତାରା। ପୁରୀ ଜିଲ୍ଲା ନିମାପଡ଼ାର ଏକ ଛୋଟ ଗାଁରୁ ଯାଇ ବହୁ ସଂଘର୍ଷ ପରେ ବଲିଉଡରେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏବେ ତାଙ୍କୁ ନେଇ ଓଡ଼ିଶା ଗର୍ବ କରୁଛି।

ୠତୁରାଜ ମହାନ୍ତି ୨୦୧୪ରେ ଷ୍ଟାର ପ୍ଲସରେ ପ୍ରସାରିତ ରିଆଲିଟି ସୋ’ ‘ଇଣ୍ଡିଆଜ୍ ର ଷ୍ଟାର’ରେ ଭାଗ ନେଇଥିଲେ। ନିଜର ସ୍ୱତନ୍ତ୍ର ଗାୟନ ଶୈଳୀ ଯୋଗୁ ବିଚାରକ ତଥା ଶ୍ରୋତାଙ୍କ ହୃଦୟ ଜିତିବା ସହ ଏହି ସୋ’କୁ ମଧ୍ୟ ଜିତିଥିଲେ। ଏହାପରେ ତାଙ୍କୁ ବଲିଉଡ ଏବଂ ଓଲିଉଡ ଫିଲ୍ମରେ ଗୀତ ଗାଇବାକୁ ଅଫର ଆସିଥିଲା। ‘ପରଓ୍ୱରଦିଗାରା’, ‘ଅଧୁରି ଜିନ୍ଦେଗୀ’, ‘ମୌଲା’ ଆଦି ହିନ୍ଦୀ ଗୀତରେ ସେ ସ୍ୱର ଦେଇଛନ୍ତି। ସେହିପରି ‘ଓ ‘ସୁନୟନା’, ‘ତୋ ପ୍ରେମ ରୋଗୀ’ ପରି ଓଡ଼ିଆ ଗୀତରେ ତାଙ୍କୁ ଶ୍ରୋତାମାନେ ଖୁବ ପସନ୍ଦ କରିଛନ୍ତି।

ନିମାପଡ଼ାରୁ ମୁମ୍ବାଇ – ୠତୁରାଜଙ୍କ ସଙ୍ଗୀତ ଯାତ୍ରା

ପୁରୀ ଜିଲ୍ଲା ନିମାପଡ଼ାରେ ୠତୁରାଜଙ୍କ ଜନ୍ମ। ୠତୁଙ୍କ ବାପା ଚକ୍ରଧର ମହାନ୍ତି ଜଣେ ତବଲା ବାଦକ। ବାପାଙ୍କଠାରୁ ଅନୁପ୍ରାଣୀତ ହୋଇ ୠତୁରାଜ ୩ ବର୍ଷ ବୟସରୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। କିନ୍ତୁ ବଡ଼ ହୋଇ ସେ ଦିନେ ବଲିଉଡରେ ଗୀତ ଗାଇବେ ସେ କଥା ସେ ବି ଜାଣି ନଥିଲେ।

ସଙ୍ଗୀତ କ୍ଷେତ୍ରରେ ୠତୁଙ୍କ ରୁଚି ଦେଖି ତାଙ୍କ ବାପା ତାଙ୍କୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବା ପାଇଁ କହିଥିଲେ। ଅଳ୍ପ କିଛି ଦିନ ସଙ୍ଗୀତ ଶିକ୍ଷା ପରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ୠତୁରାଜ। ତା’ପରେ ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା ତାଙ୍କର ଚିକିତ୍ସା ପାଇଁ ତାଙ୍କ ବାପାଙ୍କୁ ଜମି ବାଡ଼ି ବିକ୍ରି କରିବାକୁ ପଡ଼ିଥିଲା। ପରିବାରର ଅଭାବ ଅନାଟନ ଭିତରେ କିନ୍ତୁ ୠତୁଙ୍କ ସ୍ୱପ୍ନ ମଉଳି ଯାଇନଥିଲା। ସେ ତାଙ୍କ ଜିଦରେ ଅଟଳ ଥିଲେ।

ସୁସ୍ଥ ହେବା ପରେ ଓଡ଼ିଶାରେ ବିଭିନ୍ନ ମେଲୋଡି ଓ ଅର୍କେଷ୍ଟ୍ରାରେ ଗୀତ ଗାଇ କିଛି ପଇସା ସଞ୍ଚୟ କରିଥିଲେ ୠତୁରାଜ। ତା’ ସହିତ ମା’ଙ୍କ କାନଫୁଲକୁ ବନ୍ଧା ରଖି ସେ ମୁମ୍ବାଇ ଚାଲିଯାଇଥିଲେ। ସେଠାରେ ସଙ୍ଗୀତକୁ ନେଇ ସଂଘର୍ଷ ଆରମ୍ଭ କଲେ। ମୁମ୍ବାଇରେ ପ୍ରତ୍ୟେକଟି ଦିନ ୠତୁଙ୍କ ପାଇଁ କଷ୍ଟକର ଥିଲା। କାରଣ ମାୟାନଗରୀରେ ୠତୁଙ୍କ ପାଇଁ କେହି ନଥିଲେ। ନା ଖାଇବା ପାଇଁ ପଇସା ଥିଲା ନା ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଥିଲା । ଏମିତିକି ଷ୍ଟେସନରେ କେତେ ଦିନ କଟିଛି ୠତୁଙ୍କର।

‘‘ମୁମ୍ବାଇ ସତରେ ମାୟାନଗରୀ। ଏ ସହର ସମସ୍ତଙ୍କୁ କୋଳେଇ ନିଏନି। ସେଭଳି ଗ୍ଲାମର ସିଟିରେ କେହି ମୋର ଗଡ୍‌ଫାଦର ବି ନଥିଲେ। ଯେତେବେଳେ ମୁଁ ସେଠାରେ ପାଦ ଦେଇଥିଲି ଭାବିପାରିଲିନି  କ’ଣ କରିବି। ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଷ୍ଟୁଡିଓ ଓ ମ୍ୟୁଜିକ ଡିରେକ୍ଟରଙ୍କ ପାଖକୁ ଯାଉଥିଲି। ବହୁତ ଦିନ ପରେ ମତେ ସେଠାରେ ଗୀତ ଗାଇବାର ସୁଯୋଗ ମିଳିଥିଲା’’, କହିଛନ୍ତି ୠତୁରାଜ ମହାନ୍ତି।

ରିଆଲିଟି ସୋ’ ଦେଇଥିଲା ପରିଚୟ

୨୦୧୪ରେ ୠତୁରାଜ ସିଙ୍ଗିଙ୍ଗ୍‌ ରିଆଲିଟି ସୋ’ ଇଣ୍ଡିଆଜ୍ ର’ ଷ୍ଟାରରେ ଅଂଶଗ୍ରହଣ କରିଥିଲେ। ଏହି ମଞ୍ଚ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ସୁଫିଆନା ଅନ୍ଦାଜରେ ଗୀତ ଗାଇ ୠତୁରାଜ ସମସ୍ତଙ୍କ ମନ କଣିଥିଲେ। ଏହି ସୋ’ ଜିତିବା ପରେ ୠତୁରାଜଙ୍କ ଭାଗ୍ୟ ବଦଳିଯାଇଥିଲା। ତାଙ୍କ ପାଖକୁ ଅଫରର ସୁଅ ଛୁଟିଥିଲା।

‘‘ଇଣ୍ଡିଆଜ ର’ ଷ୍ଟାରର ପ୍ରତି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ ଥିଲା। ବିଭିନ୍ନ ରାଜ୍ୟରୁ ପ୍ରତିଭାମାନେ ଆସିଥିଲେ। ସେମାନଙ୍କଠାରୁ ମୁଁ ବହୁତ କିଛି ଶିଖିଲି। ସେଇ ମଞ୍ଚ ମତେ ବହୁତ କିଛି ଦେଇଛି। ଯେଉଁଥିପାଇଁ ଆଜି ମୁଁ ଏଇଠି ପହଁଚିପାରିଛି’’, କହିଛନ୍ତି ୠତୁରାଜ ମହାନ୍ତି।

ଇଣ୍ଡିଆଜ୍‌ ର’ ଷ୍ଟାର ଜିତିକି ଆସିବା ପରେ ଓଡ଼ିଶାରେ ୠତୁଙ୍କୁ ଗ୍ରାଣ୍ଡ୍‌ ଓ୍ୱେଲକମ କରାଯାଇଥିଲା। ଓଲିଉଡରେ ଗୀତ ଗାଇବାର ସୁଯୋଗ ମଧ୍ୟ ମିଳିଥିଲା। ଓଡ଼ିଆ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ର ‘ସୁନୟନା’ ଗୀତ ଗାଇ ସେ ଖୁବ୍‌ ପ୍ରଶଂସା ସାଉଣ୍ଟିଥିଲେ। ତା’ପରେ ଗୋଟିଏ ପରେ ଗୋଟିଏ ଗୀତର ଅଫର ତାଙ୍କ ପାଖକୁ ଆସିଥିଲା। ନିକଟରେ ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମ ‘ଦମନ’ର ଟାଇଟଲ ଟ୍ରାକ ଗାଇ ସେ ଉଚ୍ଚ ପ୍ରଂଶସିତ ହୋଇଛନ୍ତି।

ବିବାଦରେ ୠତୁରାଜ

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ କିଛି ବର୍ଷ ତଳେ ବିବାଦରେ ଫସିଥିଲେ ୠତୁରାଜ ମହାନ୍ତି। ବଲିଉଡ୍‌ ଗାୟିକା ସୋନା ମହାପାତ୍ରଙ୍କ ସହ କୋକ୍‌ ଷ୍ଟୁଡିଓରେ ସମ୍ବଲପୁରର ଲୋକଗୀତ ‘ରଙ୍ଗବତୀ’ ଓ ରାଜ୍ୟ ସଙ୍ଗୀତ ପରିବେଷଣ କରିଥିଲେ।  ଏହି ଗୀତକୁ ୟୁଟ୍ୟୁବରେ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। କିନ୍ତୁ ଓଡ଼ିଶାରେ ଏହାକୁ ନେଇ ବିବାଦ ଜୋର ଧରିଥିଲା। ରାଜ୍ୟ ସଙ୍ଗୀତକୁ ଏମତି ଢଙ୍ଗରେ ପରିବେଷଣକୁ କିଛି ଲୋକ ବିରୋଧ କରିଥିଲେ।

‘‘ଆମ ଓଡ଼ିଶାର ଗୀତକୁ ନେଇ ମୁଁ ଜାତୀୟସ୍ତରରେ ଗାଇପାରିଥିଲି, ସେଥିପାଇଁ ମୁଁ ଗର୍ବ କରେ। କିଛି ଲୋକ ସେତେବେଳେ ଗୋଡ଼ ଟାଣିବାକୁ ଚାହିଁଥିଲେ। କିନ୍ତୁ ମୁଁ କେବେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନି ବରଂ ମୁଁ ମୋ ଲକ୍ଷ୍ୟପଥରେ ପହଁଚିବାକୁ ଚେଷ୍ଟା କରିଛି’’, କହିଛନ୍ତି ୠତୁରାଜ ମହାନ୍ତି।

 ‘‘ରିଆଲିଟି ସୋ’ରେ କିଛି ରିଅଲ ନଥାଏ’’

‘‘ଟିଭିରେ ଆମେ ଯେଉଁ ରିଆଲିଟି ସୋ’ ଦେଖୁ ତା ବାସ୍ତବ ନଥାଏ। ସେଠାରେ ବାସ୍ତବ ଚିତ୍ର କିଛି ଅଲଗା ଥାଏ। ତେଣୁ ରିଆଲିଟି ସୋ’ ଦେଖି ଆକର୍ଷିତ ହୋଇ ଯେଉଁମାନେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନେ ହଇରାଣ ହୋଇପାରନ୍ତି। ତେଣୁ ସଙ୍ଗୀତ ପ୍ରତି ଭଲ ପାଇବା ରଖନ୍ତୁ, ସାଧନା କରନ୍ତୁ। ସଙ୍ଗୀତ ଆଗକୁ ନେବ। ରିଆଲିଟି ସୋ’ ପାଇଁ ନିଜ କ୍ୟାରିୟର ଖରାପ କରିବା କଥା ନୁହେଁ’’, କହିଛନ୍ତି ୠତୁରାଜ।

ୠତୁରାଜ ଏବେ ପତ୍ନୀ ଶୀତ ଓ ପୁଅ ରାଜବୀରଙ୍କ ସହିତ ମୁମ୍ବାଇରେ ରହୁଛନ୍ତି।  ନିଜ ମ୍ୟୁଜିକ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି। ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ସେ ନିଜର ବିଭିନ୍ନ ମ୍ୟଜିକ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରୁଛନ୍ତି।

Comment