ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଝାରସୁଗୁଡ଼ା ଉପନିର୍ବାଚନରେ କେଉଁ ଦଳ ହେବ ଭୋଟରଙ୍କ ପ୍ରଥମ ପସନ୍ଦ? ଝାରସୁଗୁଡ଼ାବାସୀ କାହାକୁ ଦେବେ ଭୋଟ?

ଝାରସୁଗୁଡ଼ା ବିଧାନସଭା ଆସନରେ ମେ’ ୧୦ରେ ହେବ ଉପନିର୍ବାଚନ। ଏନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ବିଭିନ୍ନ ରାଜନୈତିକ ଦଳ ଭିତରେ ଉତ୍ସୁକତା ଦେଖିବାକୁ ମିଳିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନକୁ ସେମିଫାଇନାଲ କୁହାଯାଉଛି। ତେଣୁ ସବୁ ରାଜନୈତିକ ଦଳର ନଜର ଏହି ଆସନ ଉପରେ ରହିଛି।

କିଏ ହେବେ ପ୍ରାର୍ଥୀ?

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ପାଣିପାଗ ସରଗରମ ହୋଇ ଉଠିଛି। ଝାରସୁଗୁଡ଼ା ବାଜି ଜିତିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ – ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ଭିତରେ ଭୋଟର ତିନି ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେଉଛନ୍ତି ତାକୁ ହିଁ ଅପେକ୍ଷା କରିଛନ୍ତି। ବିଜେଡି ନୂଆ ମୁହଁକୁ ପ୍ରାର୍ଥୀ କରିବ। ସେହିପରି ବିଜେପି ଏବଂ କଂଗ୍ରେସ ମଧ୍ୟ ନୂଆ ଚେହେରାଙ୍କୁ ଉପନିର୍ବାଚନ ମଇଦାନରେ ପ୍ରାର୍ଥୀ କରିବା ଲାଗି ଗଣିତ କଷୁଛନ୍ତି।

ବିଜେଡି ଟିକେଟ – ଦୀପାଳି ପ୍ରମୁଖ ଦାବିଦାର

୨୦୧୯ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନ ବିଜେଡି ଅକ୍ତିଆରରେ ରହିଥିଲା। ନବ କିଶୋର ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ହୋଇଥିଲେ। ହେଲେ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗରଠାରେ ଏକ ସାମାଜିକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯିବା ବେଳେ ପୋଲିସ ଏଏସଆଇଙ୍କ ଗୁଳିରେ ନବଙ୍କ ମୃତ୍ୟୁ ହୋଇଥିଲା। ଏବେ ନବଙ୍କ ଅବର୍ତ୍ତମାନରେ ଉପନିର୍ବାଚନ ହେଉଥିବାରୁ ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିବା ଲାଗି ଚେଷ୍ଟା କରିବ।

ବିଜେଡି ଟିକେଟ ପାଇଁ ଏବେ ପ୍ରମୁଖ ଦାବିଦାର ଅଛନ୍ତି ନବଙ୍କ ଝିଅ ଦୀପାଳି ଦାସ। ତାଙ୍କ ଛଡ଼ା ବର୍ତ୍ତମାନ ଯାଏଁ ଆଉ କେହି ଟିକେଟ ରେସରେ ନଥିବା କୁହାଯାଉଛି। ନବ ରାଜନୀତିରେ ସକ୍ରିୟ ଥିବା ବେଳେ ହିଁ ଦୀପାଳିଙ୍କୁ ଝାରସୁଗୁଡ଼ାର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା।

ବ୍ରଜରାଜନଗର ଏବଂ ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦୀପାଳି ପ୍ରଚାର କରିଥିଲେ। ତେଣୁ ଦୀପାଳି ୨୦୨୪ ନିର୍ବାଚନର ଚେହେରା ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେଣୁ ଉପନିର୍ବାଚନରେ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କରି ୨୦୨୪ ଲାଗି ପ୍ରସ୍ତୁତି ପର୍ବ ଆରମ୍ଭ କରିବ ବୋଲି କୁହାଯାଉଛି। ନବଙ୍କ ଝିଅ ହିସାବରେ ଦୀପାଳି ଅନୁକମ୍ପା ଭୋଟ ମଧ୍ୟ ପାଇ ପାରନ୍ତି।

ବିଜେପି ଖୋଜୁଛି ନୂଆ ଚେହେରା

ଝାରସୁଗୁଡ଼ାର ନିର୍ବାଚନ ଇତିହାସକୁ ଦେଖିଲେ ଜଣାପଡ଼ୁଛି ବିଜେପି ଆଜିଯାଏଁ ନିର୍ବାଚନ ଜିତିବାରେ ସଫଳ ହୋଇନି। ପୂର୍ବରୁ ଏହି ଆସନ କେତେବେଳେ କଂଗ୍ରେସ ତ କେତେବେଳେ ଜନତା ଦଳ ଏବଂ ବିଜେଡି ହାତରେ ରହିଥିଲା। ତେଣୁ ବିଜେପି ଚଳିତ ଉପନିର୍ବାଚନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରି ନିଜର ଦମ୍‌ ଦେଖାଇବ ବୋଲି ଚର୍ଚ୍ଚା ହେଉଛି।

୨୦୧୯ରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନ ୫୨ ହଜାର ୯୨୧ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ହେଲେ ଏଥର ବିଜେପି ଦୀନେଶଙ୍କୁ ପ୍ରାର୍ଥୀ କରିନପାରେ ବୋଲି କୁହାଯାଉଛି। ଏବେ ଝାରସୁଗୁଡ଼ାରେ ରାଜ୍ୟ ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି। ତେଣୁ ଟଙ୍କଧର ବିଜେପି ଟିକେଟ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ନିକଟରେ ମନମୋହନ ସାମଲ ବିଜେପିର ନୂଆ ରାଜ୍ୟ ସଭାପତି ହୋଇଛନ୍ତି। ବିଜେପି କର୍ମୀ ଓ ନେତାଙ୍କ ଭିତରେ ଉତ୍ସାହ ଭରି ରହିଛି। ଧାମନଗର ଉପନିର୍ବାଚନ ବେଳେ ମନମୋହନ ସଭାପତି ନଥାଇ ମଧ୍ୟ ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇଥିଲେ। ସୂରଜ ସୂର୍ଯ୍ୟବଂଶୀଙ୍କ ବିଜୟରେ ମନମୋହନଙ୍କ ସଙ୍ଗଠନ କାମ କରିଥିବା କୁହାଯାଉଛି। ତେଣୁ ମନମୋହନ ଏବଂ ତାଙ୍କ ଟିମ୍‌ ଝାରସୁଗୁଡ଼ାରେ ନୂଆ ପ୍ରାର୍ଥୀଙ୍କୁ ନେଇ ବିଜେଡିକୁ ଟକ୍କର ଦେବେ ବୋଲି ଆଲୋଚନା ହେଉଛି।

କଂଗ୍ରେସରୁ କିଏ?

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ୨୦୧୯ରୁ ଏହି ଗଡ଼କୁ କଂଗ୍ରେସ ସୁରକ୍ଷିତ ଭାବେ ରଖିପାରି ନାହିଁ। ଫଳରେ ଅନ୍ୟ ନିର୍ବାଚନମଣ୍ଡଳୀ ଭଳି ଝାରସୁଗୁଡ଼ାରେ ମଧ୍ୟ କଂଗ୍ରେସ ସଙ୍ଗଠନ ଦୁର୍ବଳ ହୋଇଯାଇଥିବା କୁହାଯାଉଛି। ୨୦୧୯ ନିର୍ବାଚନରେ ମହେନ୍ଦ୍ର ନାଏକ କଂଗ୍ରେସରୁ ପ୍ରାର୍ଥୀ ହୋଇ ୧୮ ହଜାର ୮୨୩ ଭୋଟ ପାଇଥିଲେ। ତେଣୁ ଏଥର କଂଗ୍ରେସ ମହେନ୍ଦ୍ରଙ୍କୁ ଟିକେଟ ଦେବ ନା ନୂଆ ପ୍ରାର୍ଥୀ ଖୋଜିବ ତା’ ଉପରେ ନଜର ରହିଛି।

୧୯୫୧ରୁ ୨୦୧୯ ଭିତରେ ଯେତେ ନିର୍ବାଚନ ହୋଇଛି ସେଥିରୁ ଅଧିକାଂଶ କଂଗ୍ରେସ ହିଁ ଜିତିଛି। କେବେଳ ୧୯୬୭ରେ ସ୍ୱତନ୍ତ୍ର ପାର୍ଟି, ୧୯୭୧ରେ ଓଜେଏସ୍, ୧୯୯୦ରେ ଜନତା ଦଳ, ୨୦୦୦ରୁ ୨୦୧୯ ଯାଏଁ ବିଜେଡି ହିଁ କ୍ଷମତାରେ ରହିଥିଲା।

୨୦୦୯ ଏବଂ ୨୦୧୪ରେ ବିଜେଡିର ଲୋକପ୍ରିୟତା ଶୀର୍ଷରେ ରହିଥିବା ବେଳେ ଝାରସୁଗୁଡ଼ାରେ କୌଣସି ପ୍ରଭାବ ପଡ଼ି ନଥିଲା। ଏଠାକାର ଭୋଟର କଂଗ୍ରେସ ସପକ୍ଷରେ ରାୟ ଦେଉଥିଲେ। ଫଳରେ ନବ ତତ୍କାଳୀନ ବିଜେଡି ନେତା କିଶୋର ମହାନ୍ତିଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହେଉଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ନବ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ଝାରସୁଗୁଡ଼ାରୁ ପ୍ରାର୍ଥୀ କରିଥିଲା। ନବ ୯୮ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ନବ ବିଜେଡି ଯିବା ପରେ କଂଗ୍ରେସ ଏଠି ନୂଆ ନେତା ତିଆରି କରିପାରି ନାହିଁ।

ଝାରସୁଗୁଡ଼ାରେ କାମ କରିବ କି ଅନୁକମ୍ପା କାର୍ଡ?

ଅତୀତରେ ଓଡ଼ିଶାରେ ଅନେକ ଥର ଉପନିର୍ବାଚନ ହୋଇଛି। କେବଳ ୨୦୧୯ରୁ ୨୦୨୩ ଭିତରେ ୭ଟି ଉପନିର୍ବାଚନ ହୋଇଛି। ଝାରସୁଗୁଡ଼ାରେ ଅଷ୍ଟମ ଉପନିର୍ବାଚନ ହେବାକୁ ଯାଉଛି। ତେବେ ସବୁଠି ଅନୁକମ୍ପା କାର୍ଡ କାମ କରିଛି। କେବଳ ବାଲେଶ୍ୱରରେ ଅନୁକମ୍ପା ଭୋଟ ମିଳି ନଥିଲା। ୨୦୧୯ରେ ଏହି ଆସନ ବିଜେପି ହାତରେ ରହିଥିଲା। ଉପନିର୍ବାଚନ ବେଳେ ଅନୁକମ୍ପା ଭୋଟ ପାଇଁ ବିଜେପି ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡି ଏହି ଆସନକୁ ଛଡ଼ାଇ ଆଣିଥିଲା।

ପାଟକୁରା, ତିର୍ତ୍ତୋଲ, ପିପିଲି, ଧାମନଗର, ବ୍ରଜରାଜନଗର ଏବଂ ପଦ୍ମପୁର ଉପନିର୍ବାଚନରେ ଅନୁକମ୍ପା କାର୍ଡ ମିଳିଛି। କେଉଁଠି ନେତାଙ୍କ ପୁଅ ତ କେଉଁଠି ପତ୍ନୀ ଏବଂ ଝିଅମାନେ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଝାରସୁଗୁଡ଼ା ଉପନିର୍ବାଚନରେ ଅନୁକମ୍ପା ଭୋଟ ପାଇବା ଲାଗି ନବଙ୍କ ପରିବାରରୁ ବିଜେଡି ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

୨୦୨୪ ଏପ୍ରିଲରେ ହେବ ସାଧାରଣ ନିର୍ବାଚନ। ତା’ ସାଙ୍ଗକୁ ଓଡ଼ିଶା ବିଧାନସଭା ନିର୍ବାଚନ ମଧ୍ୟ ହେବ। ଚଳିତ ଉପନିର୍ବାଚନରେ ଯିଏ ବି ବିଧାୟକ ଭାବେ ନିର୍ବାଚିତ ହେବେ ସେ ମାତ୍ର ୭ ମାସ ପାଇଁ ରହିବେ। ତେଣୁ ଝାରସୁଗୁଡ଼ାର ସଚେତନ ଭୋଟର ଆସନ୍ତା ୭ ମାସ ପାଇଁ କାହାକୁ ନିଜର ନେତା ଭାବେ ବାଛୁଛନ୍ତି ତାକୁ ହିଁ ସମସ୍ତଙ୍କର ଅପେକ୍ଷା।

Tags: #JharsugudaBypoll #NabaDas #BJD #BJP #Congress #Odisha

Comment