ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକରେ ବାଜିଲା ନିର୍ବାଚନୀ ବିଗୁଲ। ମଙ୍ଗଳବାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ମେ’ ମାସ ୧୦ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। ଏହାପରେ ମେ’ ୧୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ। ଏନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।

କର୍ଣ୍ଣାଟକ ବିଧାନସଭାର ମୋଟ ୨୨୪ଟି ଆସନ ପାଇଁ ନିର୍ବାଚନ କରାଯିବ। ଏହି ନିର୍ବାଚନରେ ମୋଟ ୫ କୋଟି ୨୧ ଲକ୍ଷ ଭୋଟର ମତଦାନ କରିବେ। ନିର୍ବାଚନ ପାଇଁ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ଦାଖଲ ହେବ।  ଏହାପରେ ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଜାଞ୍ଚ ଏବଂ ଏପ୍ରିଲ ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭୋଟ୍‌ ଗ୍ରହଣ ପାଇଁ ୫୮ ହଜାର ୨୮୨ଟି ମତଦାନ କେନ୍ଦ୍ର ସ୍ଥାପନା କରାଯିବ। ଏଥର କର୍ଣ୍ଣାଟକରେ ମୋଟ ଭୋଟରଙ୍କ ମଧ୍ୟରୁ ୧୨ ଲକ୍ଷ ୫୦ ହଜାର ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଅଛନ୍ତି। ସେମାନେ ଘରୁ ପୋଷ୍ଟାଲ ବାଲଟ୍ ଜରିଆରେ ମଧ୍ୟ ଭୋଟ ଦେଇ ପାରିବେ।

୨୦୨୩ କର୍ଣ୍ଣାଟକ ପାଇଁ ନିର୍ବାଚନର ବର୍ଷ। ମେ’ ୨୩ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ତେବେ ଏହି ଅବଧି ଭିତରେ ନିର୍ବାଚନୀ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ ଲାଗି ବୁଧବାରଠାରୁ କର୍ଣ୍ଣାଟକରେ ଆଚରଣ ବିଧି ଲାଗୁ ହୋଇଛି।

କର୍ଣ୍ଣାଟକରେ ୨୦୧୮ ମସିହାରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ୩ ଜଣ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ପ୍ରଥମେ ଏଚ୍ ଡି କୁମାରସ୍ଵାମୀ କଂଗ୍ରେସ ସହାୟତାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କପରେ ବିଜେପିର ବି ଏସ ଯଦୁରପ୍ପା ସରକାର କରିଥିଲେ। ଏହି ସରକାର ୨ ବର୍ଷ ଚାଲିଥିଲା। ଏହାପରେ ୨୦୨୧ ମସିହା ଜୁଲାଇ ମାସରେ ବିଜେପି ଯଦୁରପ୍ପାଙ୍କ ସ୍ଥାନରେ ବାସବାରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା।

ବୁଧବାର ନିର୍ବାଚନ ଆୟୋଗ ପକ୍ଷରୁ ଦିଲ୍ଲୀର ବିଜ୍ଞାନ ଭବନରେ ପ୍ରେସ ବାର୍ତ୍ତା ଆୟୋଜିତ ହୋଇଥିଲା। ଏଠାରେ ନିର୍ବାଚନୀ ତାରିଖ ଘୋଷଣା ଅବସରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ନିର୍ବାଚନ କମିଶନର୍‌ ଅନୁପଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ ମଧ୍ୟ ଯୋଗ ଦେଇଥିଲେ।

Tags: #AssemblyElection #Karnataka #ElectionCommissionofIndia #CEC #Election

Comment