ଓଡ଼ିଶାଲାଇଭ୍ ବ୍ୟୁରୋ

ରାମ ନବମୀରେ ଭଦ୍ରକ ଓ ନୟାଗଡ଼ ମଧ୍ୟରେ ଆରମ୍ଭ ହୋଇଛି ମେମୁ ଟ୍ରେନ୍ ଚଳାଚଳ। ଗୁରୁବାର କଟକ ରେଳ ଷ୍ଟେସନରୁ ଏହି ପାସେଞ୍ଜର ଟ୍ରେନ୍ ସେବାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଥିଲେ।

ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ଫଳରେ ଅନେକ ଲୋକ ଉପକୃତ ହେବେ। ଲୋକେ ଅଳ୍ପ ଖର୍ଚ୍ଚରେ ଭଦ୍ରକରୁ ନୟାଗଡ଼ ମଧ୍ୟରେ ଯାତାୟତ କରିପାରିବେ।

“ଭାରତ ସରକାର ଏବେ ଓଡ଼ିଶାରେ ରେଳ ବିକାଶ ପାଇଁ ଅଧିକ ଧ୍ୟାନ ଦେଉଛନ୍ତି। ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଅଧୁନିକରଣ କରାଯିବ।  କେନ୍ଦ୍ର ସରକାର ଏବେ କଟକ ରେଳ ଷ୍ଟେସନରେ ଅତ୍ୟାଧୁନିକ ସୁବିଧାର ବିକାଶ ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶାରେ ଚାଲୁଥିବା ରେଳ ପ୍ରକଳ୍ପଗୁଡ଼ିକୁ ସାରିବାକୁ ଆମେ କାର୍ଯ୍ୟ କରୁଛୁ”, କହିଛନ୍ତି ଅଶ୍ଵିନୀ ବୈଷ୍ଣବ।

“ଆଜି ପବିତ୍ର ରାମ ନବମୀରେ କେନ୍ଦ୍ର ସରକାର ଓଡ଼ିଶାକୁ ଏହି ଟ୍ରେନର ଉପହାର ଦେଇଛନ୍ତି। ଏହି ଟ୍ରେନ ଦ୍ଵାରା ଭଦ୍ରକ ଓ ନୟାଗଡ଼ର ଲୋକମାନଙ୍କୁ ଅଧିକ ଫାଇଦା ମିଳିବ। ଆଗକୁ ମଧ୍ୟ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ଆହୁରି ବ୍ୟାପକ କରାଯିବ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ପ୍ରଥମ ଦିନ ଟ୍ରେନଟି କଟକରୁ ଆରମ୍ଭ ହୋଇଛି। ଶୁକ୍ରବାରଠାରୁ ଏହାର ନିୟମିତ ସେବା ଆରମ୍ଭ ହେବ। ପ୍ରତିଦିନ ଟ୍ରେନଟି ଭଦ୍ରକରୁ ସକାଳ ୫ଟା ୪୫ରେ ଛାଡ଼ି ଦିନ ୧୧ଟା ୫୫ରେ ନୟାଗଡ଼ ଟାଉନରେ ଷ୍ଟେସନ ପହଞ୍ଚିବ। ଏହାପରେ ଫେରିବା ସମୟରେ ଟ୍ରେନଟି ନୟାଗଡ଼ରୁ ଅପରାହ୍ଣ ୫ଟା ବେଳେ ବାହାରି ରାତି ୧୦ଟା ୪୫ ବେଳେ ଭଦ୍ରକରେ ପହଞ୍ଚିବ।

କଟକ ରେଳ ଷ୍ଟେସନରେ ଏହି ମେମୁ ଟ୍ରେନ୍ ସେବା ଉଦଘାଟନ କାର୍ଯ୍ୟକ୍ରମରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଯୋଗ ଦେଇଥିଲେ। ଏହାଛଡ଼ା ରେଳ ବିଭାଗର ଅନେକ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।

Tags: #Bhadrak-NayagarhTrainService #MEMUTrain #IndianRailways #Odisha

Comment