ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୨୦୫ ଜଣ ଡାକ୍ତରଙ୍କୁ ସ୍ଵାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ଦେବା ପାଇଁ ସୁପାରିସ କରାଯାଇଛି। ଏହି ଡାକ୍ତରମାନେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତି ପାଇବେ। ଏନେଇ ବୁଧବାର ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି।

ଓପିଏସସି ପକ୍ଷରୁ ସ୍ଵାସ୍ଥ୍ୟ ଅଧିକାରୀ ପଦବୀ ପାଇଁ ସୁପାରିସ କରାଯାଇଥିବା ୧୨୦୫ ଜଣ ଡାକ୍ତରଙ୍କ ମଧ୍ୟରେ ୭୪ ଜଣ ପଛୁଆ ବର୍ଗ, ୬୭ ଜଣ ଅନୁସୂଚିତ ଜାତି ଓ ୬୪ ଜଣ ଅନୁସୂଚିତ ଜନଜାତି ବର୍ଗର ରହିଛନ୍ତି। ଏହାଛଡ଼ା ସୁପାରିସ ହୋଇଥିବା ଡାକ୍ତରଙ୍କ ମଧ୍ୟରେ ୪୨୯ ଜଣ ମହିଳା ରହିଛନ୍ତି।

ଓଡ଼ିଶା ସରକାର ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୪୮୧ଟି ସ୍ଵାସ୍ଥ୍ୟ ଅଧିକାରୀ ପଦବୀ ପୂରଣ ପାଇଁ ଓପିଏସସିକୁ ନିର୍ଦେଶ ଦେଇଥିଲେ। ଏଥିଲାଗି ଓପିଏସସି ପକ୍ଷରୁ ଗତବର୍ଷ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପଦବୀ ପାଇଁ ୨୫୮୨ ଜଣ ପ୍ରାର୍ଥୀ ଆବେଦନ କରିଥିଲେ।

ସ୍ଵାସ୍ଥ୍ୟ ଅଧିକାରୀ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ସରିବା ପରେ ଓପିଏସସି ପକ୍ଷରୁ ଲିଖିତ ପରୀକ୍ଷା କରଯାଇଥିଲା। ଚଳିତବର୍ଷ ଫେବ୍ରୁଆରି ୨୦ ତାରିଖରେ ଏହି ପରୀକ୍ଷା ହୋଇଥିଲା। ଲିଖିତ ପରୀକ୍ଷା ପରେ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ, ନିର୍ଦ୍ଧାରିତ ଶିକ୍ଷାଗତ ମାନଦଣ୍ଡ ଓ ଯୋଗ୍ୟତା ଅନୁସାରେ ଡାକ୍ତରଙ୍କ ଚୟନ କରାଯାଇଥିଲା। ଏବେ ସେମାନଙ୍କୁ ନିଯୁକ୍ତି ଦେବାପାଇଁ ଓପିଏସସି ସୁପାରିସ କରିଛି।

Tags: #OPSC #MedicalOfficer #HealthandFamilyWelfareDept #Doctors #Odisha

Comment