ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜୁ ଜନତା ଦଳ (ବିଜେଡି)। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।

ଦୀପାଳି ଦାସ ହେଉଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦୀପାଳି ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା। ଆଜି ସବୁ କଳ୍ପନାଜଳ୍ପନାର ଅନ୍ତ ହୋଇଛି। ଦୀପାଳିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।ଦୀପାଳିଙ୍କ ନାଁ ଘୋଷଣା କରାଯିବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ।

ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଆସନ୍ତା ଏପ୍ରିଲ ୧୩ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମେ’ ୧୦ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ନବ କିଶୋର ଦାସଙ୍କ ହତ୍ୟା ପରଠାରୁ ଖାଲିପଡ଼ିଥିଲା ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରାଯିବା ପରେ କିଏ କେଉଁ ଦଳର ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଅନ୍ୟ ପ୍ରମୁଖ ଦଳମାନେ ତୁରନ୍ତ ପ୍ରାର୍ଥୀ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି।

ଗତ ଜାନୁଆରି ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଗୁଳିମାଡ଼ର ଶିକାର ହୋଇଥିଲେ ମନ୍ତ୍ରୀ ନବ କିଶୋର ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛି।

Tags: #Politics #OdishaPolitics #JharsugudaByElection #DeepaliDas #NabaKishorDas #BJDCandidate

Comment