ଓଡ଼ିଶାଲାଇଭ୍ ବ୍ୟୁରୋ

“ଆଜି ମୋ ପାଇଁ ଏବଂ ଆମ ପରିବାର ଲାଗି ବହୁତ ବଡ଼ ଦିନ। ବାପା ଚାହୁଁଥିଲେ ମୁଁ ରାଜନୀତିକୁ ଆସେ ବୋଲି, ଆଜି ତାଙ୍କ ସ୍ଵପ୍ନ ପୂରଣ ହେଲା। କିନ୍ତୁ ଏ ଖୁସି ରେ ସାମିଲ ହେବାକୁ ମୋ ବାପା ପାଖରେ ନାହାନ୍ତି। ଆଜି ଯଦି ମୋ ବାପା ଥାଆନ୍ତେ ବହୁତ ଖୁସି ହେଇଥାନ୍ତେ”, ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ କୋହଭରା କଣ୍ଠରେ ଏମିତି କହିଛନ୍ତି ଦୀପାଳି ଦାସ।

ଆସନ୍ତା ମେ’ ୧୦ ତାରିଖରେ ହେବାକୁ ଯାଉଛି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ଉପନିର୍ବାଚନ ଲାଗି ସର୍ବପ୍ରଥମେ ପ୍ରାର୍ଥୀ ଦେଇଛି ବିଜେଡି। ଶୁକ୍ରବାର ଦିନ ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଦୀପାଳିଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

ରାଜନୀତିରେ ଦୀପାଳିଙ୍କ ନୂଆ ଚାପ୍ଟର ଆରମ୍ଭ

ଆଗରୁ ବାପା ନବ ଦାସଙ୍କ ସହ ରାଜନୀତି ସହ ଯୋଡ଼ି ହୋଇଥିଲେ ମଧ୍ୟ ଆଜି ବିଧିବଦ୍ଧ ଭାବେ ରାଜନୀତିରେ ନୂଆ ଚାପ୍ଟର ଆରମ୍ଭ କରିଛନ୍ତି ଦୀପାଳି ଦାସ। ବାପାଙ୍କ ପାଇଁ ଯେଉଁ ସମର୍ଥନ ଏବଂ ଆତ୍ମୀୟତା ରହିଥିଲା ସେହିଭଳି ଆଶୀର୍ବାଦର ହାତ ଉଠାଇବାକୁ ଦୀପାଳି ଝାରସୁଗୁଡ଼ାବାସୀଙ୍କୁ ଅନୁରୋଧ କରିଛନ୍ତି।

“ମୋ ବାପା ଲୋକଙ୍କ ସେବା କରୁଥିଲେ, ମୁଁ ବି କରିବି। ଲୋକଙ୍କ ସେବା କରିବାକୁ କୌଣସି ପଦ ପଦବୀର ଆବଶ୍ୟତକା ନାହିଁ ବୋଲି ମୋ ବାପା କହୁଥିଲେ, ଏକଥାରେ ମୁଁ ବି ଏକମତ”, କହନ୍ତି ଦୀପାଳି।

ଦଳ ପକ୍ଷରୁ ତାଙ୍କ ଉପରେ ଯେଉଁ ଭରସା ରହିଛି ତାକୁ ସେ ଅତୁଟ ରଖିବାକୁ ଚେଷ୍ଟା କରିବେ ବୋଲି ଦୀପାଳି କହିଛନ୍ତି। ସେ କହିଛନ୍ତି ଦଳର ସମର୍ଥନ ଏବଂ ଝାରସୁଗୁଡ଼ାବାସୀଙ୍କ ଆଶୀର୍ବାଦ ରହିଲେ ଏହା ସମ୍ଭବ ହୋଇପାରିବ।

ବାପାଙ୍କ ନାଁକୁ ଆଗକୁ ନେବି – ଦୀପାଳି

ବିଜେଡି ପକ୍ଷରୁ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଜିର ଦିନ ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ ଏବଂ ନବ ଦାସଙ୍କ ସମର୍ଥକମାନଙ୍କ ପାଇଁ ବହୁତ ବଡ଼ ଦିନ ବୋଲି ଦୀପାଳି କହିଛନ୍ତି। ସେ କହିଛନ୍ତି ବାପାଙ୍କ ଭଳି କେବଳ ଝାରସୁଗୁଡ଼ାବାସୀ ଏବଂ ଝାରସୁଗୁଡ଼ାର ବିକାଶ କଥା ଚିନ୍ତା କରିବି। ବାପାଙ୍କ ନାଁକୁ ଆଗକୁ ନେବେ ବୋଲି କହିଛନ୍ତି ଦୀପାଳି।

“ଝାରସୁଗୁଡ଼ାରେ ବି ଶକ୍ତି ଦେଖାଇବ ବିଜେଡି”

“ରାଜ୍ୟରେ ବିଜେଡିର ଲୋକପ୍ରିୟତା ରହିଛି। ବିଜେଡି ସରକାରଙ୍କୁ ଜନସମର୍ଥନ ରହିଛି ଏବଂ ଆଗକୁ ମଧ୍ୟ ରହିବ। ପଦ୍ମପୁର ଏବଂ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିଛି, ଝାରସୁଗୁଡ଼ାରେ ମଧ୍ୟ ନିଜର ଶକ୍ତି ଦେଖାଇବ ବିଜେଡି”, କହିଛନ୍ତି ଦିଗଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ।

ଦୀପାଳି କହିଛନ୍ତି, ଝାରସୁଗୁଡ଼ାରେ ଉଭୟ ବିଜେଡି ଏବଂ ତାଙ୍କ ବାପା ନବ କିଶୋର ଦାସଙ୍କ ପାଇଁ ଲୋକଙ୍କର ଭଲପାଇବା ରହିଆସିଛି। ସେହି ଭଲପାଇବା ଏବଂ ସମର୍ଥନ ତାଙ୍କ ପାଇଁ ମଧ୍ୟ ରହିବ ବୋଲି ଆଶା ରଖିଛନ୍ତି ଦୀପାଳି।

ମହିଳା ପ୍ରସଂଗକୁ ନେଇ ନିର୍ବାଚନ ଲଢ଼ିବେ ଦୀପାଳି

ଝାରସୁଗୁଡ଼ା ବିଧାସଭା ଉପନିର୍ବାଚନ ଲାଗି ଦୀପାଳି ଦାସ ବିଜେଡି ପ୍ରାର୍ଥୀ ହେବା ପରେ ମହିଳା ପ୍ରସଂଗକୁ ନେଇ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି ମହିଳାମାନେ ସବୁ କ୍ଷେତ୍ରରେ ଆଗକୁ ଆସିବା ଦରକାର। କେବଳ ସେତିକି ନୁହେଁ ଝାରସୁଗୁଡ଼ାର ଏବଂ ଝାରସୁଗୁଡ଼ାବାସୀଙ୍କ ବିକାଶ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ଦୀପାଳି କହିଛନ୍ତି।

ଝାରସୁଗୁଡ଼ାରେ ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି – ପ୍ରମିଳା ମଲ୍ଲିକ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଝାରସୁଗୁଡ଼ା ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ଦୀପାଳି ଦାସଙ୍କ ନାଁ ଘୋଷଣା କରାଯିବା ପରେ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା ମଲ୍ଲିକ।

ସେ କହିଛନ୍ତି ଯେ, ଦୀପାଳି ଜଣେ ଉଚ୍ଚଶିକ୍ଷିତା। ଆଗାମୀ ଉପନିର୍ବାଚନରେ ଦୀପାଳି ବିରୋଧୀଙ୍କ ଉପରେ ଭାରି ପଡ଼ିବେ। ଝାରସୁଗୁଡ଼ାରେ ଦୀପାଳିଙ୍କର ମଧ୍ୟ ଲୋକପ୍ରିୟତା ରହିଛି ବୋଲି ସେ କହିଛନ୍ତି।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚର୍ଚ୍ଚାରେ ଥିଲା ଦୀପାଳିଙ୍କ ନାଁ

ବ୍ରଜରାଜନଗର ଉପନିର୍ବାଚନ ଲାଗି ନବ କିଶୋର ଦାସଙ୍କ ଝିଅ ପ୍ରାର୍ଥୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। କିନ୍ତୁ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ଦୀପାଳି ପଦ୍ମପୁର ଏବଂ ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ ମଧ୍ୟ କରିଛନ୍ତି। ନବ ଦାସଙ୍କ ହତ୍ୟା ପରେ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଦୀପାଳି ବିଜେଡିର ପ୍ରାର୍ଥୀ ହେବା ନେଇ ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା। ପୂର୍ବଭଳି ବିଜେଡି ପକ୍ଷରୁ ଦିବଗଙ୍ଗ ନେତାଙ୍କ ପରିବାରର  ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରାଯାଇଛି। ଦୀପାଳି ବାପାଙ୍କ ଲୋକପ୍ରିୟତା ସାଙ୍ଗକୁ ଅନୁକମ୍ପା ଭୋଟ ହାତେଇବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ନିକଟ ଅତୀତରେ ଯେତେସବୁ ଉପନିର୍ବାଚନ ହୋଇଛି ସବୁଠାରୁ ପଛରେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସର୍ବପ୍ରଥମେ ପ୍ରାର୍ଥୀ ଦେଇଛି। ଆସନ୍ତା ଏପ୍ରିଲ ୩ ତାରିଖରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ବିଜେଡି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଥିବା କୁହାଯାଉଛି।

ବିଜେଡି ପ୍ରାର୍ଥୀ ଦେବା ପରେ ଏବେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଛନ୍ତି। ତେବେ କିଏ ହେବେ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀ ତା’ ଉପରେ ସମସ୍ତଙ୍କ ନଜର।

Tags: #Politics #OdishaPolitics #JharsugudaByElection #DeepaliDas #NabaKishorDas #BJDCandidate

Comment